କୃଷି ଓଡ଼ିଶା-୨୦୨୧ର ଦ୍ବିତୀୟ ଦିବସ: କୃଷିରେ ନୂତନ ପଦ୍ଧତିକୁ ଗ୍ରହଣ ପାଇଁ ଆହ୍ବାନ

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ଓ ବଜାର ଚାହିଦାକୁ ଦୃଷ୍ଟିରେ ରଖି ପାରମ୍ପରିକ ପଦ୍ଧତି ବଦଳରେ ନୂତନ ପଦ୍ଧତିକୁ ଆପଣାଇ ପାରିଲେ କୃଷିର ସାମଗ୍ରିକ ବିକାଶ ହୋଇପାରିବ ବୋଲି କହିଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।
‘କୃଷି ଓଡ଼ିଶା-୨୦୨୧’ର ଦ୍ୱିତୀୟ ଦିବସର ସାନ୍ଧ୍ୟ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଲେ ଯେ ସଂପ୍ରତି ‘କୃଷି ଓଡ଼ିଶା’ର ଲୋକପ୍ରିୟତା ବୃଦ୍ଧି ପାଇବାରୁ ଏହା ଏକ ବୃହତ୍‌ ମେଳା ଭାବରେ ତା’ର ଉପସ୍ଥିତି ଜାହିର କରିପାରିଛି। ପ୍ରାରମ୍ଭରେ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରତ୍ନାକର ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କୃଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପଶୁପାଳନ ବିଭାଗର ନିର୍ଦେଶକ ରତ୍ନାକର ରାଉତ, ଏନ୍‌ଆର୍‌ଏଏର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ଦଲୱାଇ, ସମବାୟ ବିଭାଗ ସଚିବ ବୀରବିକ୍ରମ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ଗୋପବନ୍ଧୁ ଶତପଥୀ ଧନ୍ୟବାଦ ଦେଇଥିଲେ। ସକାଳେ ଅନୁଷ୍ଠିତ ପାଠଚକ୍ରରେ ‘କୃଷକ ଉତ୍ପାଦନକାରୀ ଗୋଷ୍ଠୀ-କୃଷକ ସଶକ୍ତୀକରଣ’ ଶୀର୍ଷକ ଆଲୋଚନାକୁ ଉପଦେଷ୍ଟା କୃତ୍ତିବାସ ପାତ୍ର ଉଦ୍‌ଘାଟନ କରିଥିବା ବେଳେ କୃଷି ନିର୍ଦେଶକ ଏମ୍‌. ମୁଥୁକୁମାର ପରିଚାଳନା କରିଥିଲେ। ଡ. ମୁଥୁକୁମାର ସମନ୍ବିତ ଚାଷ, ଏଫ୍‌ପିଓର ବିଭିନ୍ନ ଦିଗ ଉପରେ ପରିଚାଳନାକୁ ଗୁରୁତ୍ବ ଦେଇଥିଲେ। ଏଫ୍‌ପିଓ ପରାମର୍ଶଦାତା ଋତମ୍ଭରା ମିଶ୍ର କୃଷକଙ୍କ ପାଇଁ କର୍ପସ ପାଣ୍ଠି ଗଠନ ଉପରେ କହିଥିଲେ। ଏଜିଏମ ନାବାର୍ଡ ଅନାମିକା ପଣ୍ଡା, ସମ୍ପାଦକ ରଶ୍ମି ମହାନ୍ତି, ବିଶ୍ବଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। କୃଷକ ଏଫ୍‌ପିଓଗୁଡ଼ିକ ବିକ୍ରି ସୁବିଧା ପାଇଁ ଗଠନ କରାଯାଇଥିବା ସମ୍ପର୍କରେ କହିଥିଲେ।

ଫୁଲଚାଷ ଜୀବିକା ନିର୍ବାହ, ସମୃଦ୍ଧିର ନୂତନ ଦିଗନ୍ତକୁ ନେଇ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନାଚକ୍ର ହୋଇଥିଲା। ଏଥିରେ ଉଦ୍ୟାନ କୃଷି ନିର୍ଦେଶକ ଡ. ରୋହିତ ଲେଙ୍କା ଫୁଲଚାଷର ପ୍ରସାର ପାଇଁ ସମ୍ଭାବନା ରହିଥିବା କହିଥିଲେ। କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ପ୍ରଫେସର୍‌ ଡ. ଶଶିକଳା ବେଉରା, ଡ. ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ‘ମାଛଚାଷ-ଚାଷୀଙ୍କ ଆର୍ଥିକ ଉନ୍ନତିର ସୁଗମ ପଥ’କୁ ନେଇ ତୃତୀୟ ପର୍ଯ୍ୟାୟ ଆଲୋଚନାଚକ୍ର ହୋଇଥିଲା। ଏଥିରେ ମତ୍ସ୍ୟ କମିସନର୍‌ ଆର୍‌. ରଘୁପ୍ରସାଦ, ଅତିରିକ୍ତ ନିର୍ଦେଶକ ଡି. ଭଞ୍ଜ, ଓଡ଼ିଶା ମତ୍ସ୍ୟ ବିଭାଗ ନିଗମ ଅଧ୍ୟକ୍ଷ ଅସିତ ପଟ୍ଟନାୟକ, ସିଫା ବୈଜ୍ଞାନିକ ଡ. ଜିତେନ୍ଦ୍ର ରାୟ, ବୈଜ୍ଞାନିକ ଡ. ଅମ୍ବିକା ପ୍ରସାଦ ନାୟକ, ସାମୁଦ୍ରିକ ମାଛ ରପ୍ତାନୀ ସଂଘ ସଭାପତି ଡ. କମଳେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର