ଭୁବନେଶ୍ବର: ମହିଳାଙ୍କ ନାମରେ ଚାଷ ଜମି ନାହିଁ। ଏଥିପାଇଁ ସେମାନେ ସରକାରୀ ସୁବିଧାରୁ ବଞ୍ଚିତ। କିନ୍ତୁ ଉତ୍ପାଦନରେ ସେମାନଙ୍କ ଯୋଗଦାନ କିଛି କମ୍‌ ନୁହେଁ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପୁରୁଷମାନଙ୍କ ତୁଳନାରେ ମହିଳାମାନେ ଚାଷ କ୍ଷେତ୍ରରେ ଅଧିକ ସକ୍ରିୟ। ସେମାନେ ହିଁ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି। ଜନତା ମୈଦାନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଆୟୋଜିତ କୃଷି ଓଡ଼ିଶା କାର୍ଯ୍ୟକ୍ରମର ଉଦ୍‌ଯାପନୀ ଦିବସରେ ଏହି ବକ୍ତବ୍ୟ ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ।
ସେ ପୁଣି କହିଛନ୍ତି, ଗାଁର ବିକାଶ ହେଲେ ଦେଶର ବିକାଶ ହେବ। ମହିଳା ଚାଷୀମାନେ ଆଧୁନିକ ଯନ୍ତ୍ରପାତି, ଜ୍ଞାନକୌଶଳ ବ୍ୟବହାର ସହିତ ଏସ୍‌ଏଚ୍‌ଜିମାନେ ନିଜ ଉତ୍ପାଦନର ଭଲ ପ୍ୟାକେଜିଂ, ମାର୍କେଟିଂ ଉପରେ ଧ୍ୟାନ ଦେବା ଆବଶ୍ୟକ। ମହିଳାଙ୍କ ଯୋଗଦାନ ବିନା ଯେ କୌଣସି ପ୍ରକାର ବିକାଶ ଅସମ୍ଭବ। ଚାଷ, ପଶୁପାଳନ, ମତ୍ସ୍ୟଚାଷ ଆଦି ପ୍ରତ୍ୟେକ କ୍ଷେତ୍ରରେ ସେମାନେ ନିୟୋଜିତ। କୃଷି ଉପରେ ଅଧିକ ଗୁରୁତ୍ବ ଦିଆଯାଉଥିବାରୁ ଉତ୍ପାଦନ ବଢ଼ିଛି।

Advertisment

ସେଥିପାଇଁ ଓଡ଼ିଶା ସରକାର କୃଷି କର୍ମଣ ପୁରସ୍କାର ପାଉଛନ୍ତି। ଏହା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ। ରାଜ୍ୟର ମିସନ ଶକ୍ତି ଦ୍ୱାରା ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରି ମହିଳାମାନେ ଜୀବିକାର୍ଜନ ସହ ଆୟ ବୃଦ୍ଧି କରିପାରୁଛନ୍ତି ବୋଲି ସେ କହିଛନ୍ତି। କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ଉପଖଣ୍ଡସ୍ତରରେ ଆୟୋଜନ କରାଯାଇଥିବା ଏହି ମେଳା ବେଶ୍‌ ସଫଳ ହୋଇଛି। ପ୍ରାୟ ୧୪୦୦ କୋଟି ଟଙ୍କାର କୃଷି ଯନ୍ତ୍ରପାତି କାରବାର ହୋଇଛି। ଚାଷୀମାନଙ୍କୁ ୫୦୦ କୋଟି ଟଙ୍କାର ରିହାତି ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ଚାଷୀଙ୍କ ହାତକୁ ଟଙ୍କା ଦେବା, ରୋଜଗାର ସୃଷ୍ଟି କରିବା ଓ ଉତ୍ପାଦନ ବଢ଼ାଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଆଗାମୀ ଦିନରେ କୃଷି ଯନ୍ତ୍ରପାତି ମେଳା ବ୍ଲକ୍‌ସ୍ତରରେ ଆୟୋଜନ କରାଯିବ। ଏହି ଅବସରରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଜଳ ସମ୍ପଦ ବିଭାଗ ଓ କୃଷି ବିଭାଗ ମଧ୍ୟରେ ସମନ୍ୱୟ ରଖିବାକୁ ଗୁରୁତ୍ବ ଦିଆଯାଉଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲେ। କୃଷି କ୍ଷେତ୍ରର ନିରନ୍ତର ରୂପାନ୍ତରଣ ପାଇଁ ମହିଳାମାନଙ୍କ ଯୋଗଦାନ ନିତାନ୍ତ ଆବଶ୍ୟକ ବୋଲି ସେ କହିଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧରୀ ଧନ୍ୟବାଦ ଦେଇଥିଲେ।