ଭୁବନେଶ୍ବର: ବେଙ୍ଗାଲୁରୁରେ ଆୟୋଜିତ ‘ଓଡ଼ିଶା ଉତ୍ସବ’ର ଉଦ୍ଘାଟନୀ ଉତ୍ସବ ଅବସରରେ ଚକଲେଟ୍ ପ୍ରଡକ୍ସନ୍ ପ୍ରଯୋଜିତ ବହୁଚର୍ଚ୍ଚିତ ନାଟକ ‘ଆହେ ନୀଳଶଇଳ’ ଆଜି ମଞ୍ଚସ୍ଥ ହୋଇଯାଇଛି। ସେଠାକାର ‘ରବୀନ୍ଦ୍ର କଳାକ୍ଷେତ୍ର’ଠାରେ ଅନୁଷ୍ଠିତ ଏହି ନାଟକକୁ ଦେଖିବା ପାଇଁ ପ୍ରବାସୀ ଓଡ଼ିଆଙ୍କ ସମେତ ବେଙ୍ଗାଲୁରୁର ଜନସାଧାରଣମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା। ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ରାଜା ରାମଚନ୍ଦ୍ରଦେବ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରରେ ପୁନଃପ୍ରତିଷ୍ଠା କରିବାର ଐତିହାସିକ କାହାଣୀକୁ କଳାକାରମାନେ ଅତି ନିଖୁଣ ଭାବେ ପରିବେଷଣ କରି ଦର୍ଶକଙ୍କ ହୃଦୟ ଜିତିଥିଲେ। ଓଡ଼ିଆ ବୁଝି ପାରୁନଥିବା ଦର୍ଶକମାନେ ବି ନାଟକର ପ୍ରତିଟି ଦୃଶ୍ୟକୁ ମନଭରି ଉପଭୋଗ କରିଥିଲେ। ନାଟକଟି ଜଗନ୍ନାଥ ମହାପ୍ରଭୁଙ୍କ ବିଚିତ୍ର ଲୀଳାର କାହାଣୀ ଉପରେ ପର୍ଯ୍ୟବସିତ ହୋଇଥିବା ବେଳେ କଳାକାରମାନଙ୍କ ନିଖୁଣ ଅଭିନୟ କନ୍ନଡ଼ ଦର୍ଶକଙ୍କ ବି ମନ ମୋହିଥିଲା। ସମୟ ଅନ୍ତରାଳରେ ଦର୍ଶକଙ୍କ ଜୟ ଜଗନ୍ନାଥ ଧ୍ବନି ଓ କରତାଳିରେ ପୂରା ପ୍ରେକ୍ଷାଳୟ ପରିସର ଫାଟି ପଡ଼ିଥିଲା।
ତେବେ ଦୁଇ ଦୁଇଟି ପର୍ଯ୍ୟାୟରେ ମଞ୍ଚସ୍ଥ ହୋଇ ଓଡ଼ିଶା ମଞ୍ଚ ଦୁନିଆରେ ଚହଳ ସୃଷ୍ଟି କରିଥିବା ଏହି ନାଟକ ଆସନ୍ତା ନଭେମ୍ବର ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ପୁଣିଥରେ ଭୁବନେଶ୍ବରରେ ପରିବେଷଣ ହେବ ବୋଲି ନାଟକର ରୂପକାର ତଥା ‘ସମ୍ବାଦ ଗ୍ରୁପ୍’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ସୂଚନା ଦେଇଛନ୍ତି।