ମଞ୍ଚସ୍ଥ ହେଲା ‘ଆହେ ନୀଳଶଇଳ’, ପୁଣି ସେଇ ଉନ୍ମାଦନା

ଭୁବନେଶ୍ବର: ସାରା ଦୁନିଆର ରକ୍ଷକ ଯିଏ, ନିଜ ରକ୍ଷା ପାଇଁ ଧାଉଁଛି ସିଏ…। ପ୍ରେକ୍ଷାଳୟରୁ ଗୁଞ୍ଜରି ଉଠୁଥିବା ଏହି ସଙ୍ଗୀତ ଦର୍ଶକଙ୍କ ଆଖିରେ ଲୁହ ଓ ହୃଦୟକୁ କୋହରେ ଭରି ଦେଉଥିଲା। ପ୍ରତିଟି ଦର୍ଶକ ଭାବବିହ୍ବଳିତ ହୋଇ ପଡ଼ୁଥିଲେ। ମଞ୍ଚ ଉପରୁ କାହାର ନଜର ହଟୁ ନଥିଲା। ମଝିରେ ମଝିରେ କରତାଳିର ଗୁଞ୍ଜରଣ ଓ ଜୟ ଜଗନ୍ନାଥ ଧ୍ବନିରେ ପୂରା ପ୍ରେକ୍ଷାଳୟ ଫାଟି ପଡ଼ୁଥିଲା। ଗଜପତି ରାମଚନ୍ଦ୍ରଦେବଙ୍କ ତ୍ୟାଗ ଓ ବଳିଦାନର କାହାଣୀ ଉପରେ ପର୍ଯ୍ୟବସିତ ନାଟକ ‘ଆହେ ନୀଳଶଇଳ’ ପୂର୍ବଥର ଭଳି ଏଥର ମଧ୍ୟ ଦର୍ଶକଙ୍କ ମଧ୍ୟରେ ସେହି ଉନ୍ମାଦନା ସୃଷ୍ଟି କରିଛି। ପୂରା ପ୍ରେକ୍ଷାଳୟ ଆଜି ଦର୍ଶକପୂର୍ଣ୍ଣ ରହିଥିଲା। ଦର୍ଶକଙ୍କ ଅନୁରୋଧକ୍ରମେ ରେଡିଓ ଚକଲେଟ୍‌ ପ୍ରଡକ୍ସନ୍‌ ପକ୍ଷରୁ ବାହୁଡ଼ା ଯାତ୍ରା ଅବ୍ୟବହିତ ପୂର୍ବରୁ ପୁଣିଥରେ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଛି ଏହି ଐତିହାସିକ ନାଟକ।

ଓଡ଼ିଆଙ୍କ ଇଷ୍ଟଦେବତା କାଳିଆ ଠାକୁର ଭାରି କପଟିଆ। ଷଡ଼ଯନ୍ତ୍ର ଓ ଧର୍ମସଂକଟର ଶିକାର ହୋଇ ଗଜପତି ରାମଚନ୍ଦ୍ର ଦେବ ନିଜ ଧର୍ମ ତ୍ୟାଗ କରନ୍ତି। କଟକର ନାଏବ ନିଜାମ୍‌ ତକୀ ଖାଁର ବନ୍ଦୀ ଭାବେ ଜୀବନ କାଟନ୍ତି। ସେହି ସମୟରେ ଲକ୍ଷ୍ମୀ ପରମଗୁରୁଙ୍କୁ ମାଧ୍ୟମ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ଗଜପତିଙ୍କୁ ନିଜ ପାଖକୁ ଟାଣି ଆଣନ୍ତି। ତକୀ ଖାଁ ଆକ୍ରମଣରୁ ଶ୍ରୀବିଗ୍ରହଙ୍କୁ ରକ୍ଷା କରିବାକୁ ଗଜପତି ବହୁ ସଂଘର୍ଷ କରନ୍ତି। ଯୁଦ୍ଧ ଲଢ଼ନ୍ତି, ଜିତନ୍ତି ବି। ବିଗ୍ରହମାନେ ଶ୍ରୀମନ୍ଦିରରେ ପୁନଃପ୍ରତିଷ୍ଠା ହୁଅନ୍ତି। କିନ୍ତୁ ଶ୍ରୀମନ୍ଦିରକୁ ସବୁଦିନ ପାଇଁ ଗଜପତିଙ୍କ ବାଟ ବନ୍ଦ ହୋଇଯାଏ। ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ଆହେ ନୀଳଶଇଳ’ ଦ୍ବାରା ଅନୁପ୍ରେରିତ ଏହି ନାଟକକୁ ଲାଲା ବିରେନ୍‌ ରାୟ ନିର୍ଦ୍ଦେଶନା ଦେଇଥିଲେ। ଶଙ୍କର ତ୍ରିପାଠୀ ଓ ପ୍ରତିମା ହୋତା ନାଟ୍ୟରୂପ ଦେଇଥିଲେ।

ନାଟକରେ ଗଜପତି ଚରିତ୍ରରେ ଲରେନ୍ସ ବେହେରା, ମହାରାଣୀ ଲଳିତା ଭୂମିକାରେ ସୋଫିଆ ଆଲାମ୍‌, ତକୀ ଖାଁ ଭାବେ ପ୍ରକାଶ ଜେନା, ରଜିଆ ଭୂମିକାରେ ଶ୍ରଦ୍ଧା ପାଣିଗ୍ରାହୀ, ମନୀଷା ରଥ, ରାଜେନ୍ଦ୍ର ସ୍ବାଇଁ, ଶମ୍ଭୁ ହୋତା, ଆଶିଷ, ହାଡ଼ୁ, ଗୋବିନ୍ଦ ମହାପାତ୍ର, ଚିନ୍ମୟ, ଉମାକାନ୍ତ, ପାର୍ଥସାରଥୀ, ରଘୁନାଥ ବେହେରା, ଆର୍‌ଜେ କେପି, ସୁନୀଲ ପଢ଼ିହାରି, ସୁଜିତ୍‌ କୁମାର, ବିପ୍ରାଜ୍ଞ ନାୟକ, ପ୍ରଭାତ, କିଶୋର, ଚିତ୍ରସେନ ଓ ଆଲୋକ ଅଭିନୟ କରିଥିଲେ। ଗୀତିକାର ଗୁରୁ ଶତପଥୀଙ୍କ ଗୀତ ଓ ସୌମିତ୍ରୀ ପଲେଇଙ୍କ ସଙ୍ଗୀତ ନିର୍ଦ୍ଦେନାରେ ଋତୁରାଜ୍‌, ଶ୍ରୀଚରଣ, ନାଜିଆ ଆଲାମ୍‌, ଅଭିଜିତ୍‌ ଓ ଶଶାଙ୍କ କଣ୍ଠଦାନ କରିଥିଲେ। ବିଷୟବସ୍ତୁ ସଙ୍ଗୀତରେ ସୌମିତ୍ରୀ, ଶ୍ରୀକାନ୍ତ, ସତ୍ୟ ଓ ପ୍ରଚ୍ଛଦପଟରେ ଶକ୍ତି ପ୍ରସାଦ ମିଶ୍ର ସହଯୋଗ କରିଥିଲେ। ସହନିର୍ଦ୍ଦେଶକ ଅନନ୍ତ, ଜିତେନ୍ଦ୍ର, ସୁବାସ ସହଯୋଗ କରିଥିଲେ। ଆସନ୍ତା ୨ ଦିନ ଏହି ନାଟକ ଚାଲିବ।

ନାଟକ ପୂର୍ବରୁ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବିନୀ ପାତ୍ର, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଓ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଉନ୍ମୋଚିତ ହେଲା ‘ଆହେ ନୀଳଶଇଳ’ ପୁସ୍ତକ

ଏହି ଅବସରରେ ‘ଆମ ଓଡ଼ିଶା’ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ‘ଆହେ ନୀଳ‌ଶଇଳ’ ନାଟକ ପୁସ୍ତକ ଆଜି ମଞ୍ଚରେ ଉନ୍ମୋଚିତ ହୋଇଥିଲା। ଆଜି ପ୍ରଥମ ଦିନରେ ହିଁ ପୁସ୍ତକଟିକୁ ସଂଗ୍ରହ କରିବାକୁ ପାଠକଙ୍କ ମଧ୍ୟରେ ବେଶ୍‌ ଆଗ୍ରହ ପ୍ରକାଶ ପାଇଥିଲା। ପୁସ୍ତକର ମୂଲ୍ୟ ୧୦୦ ଟଙ୍କା ରହିଥିବା ବେଳେ ଏହା ଏବେ ରିହାତି ମୂଲ୍ୟରେ ୭୦ ଟଙ୍କାରେ ଉପଲବ୍ଧ ହେଉଛି। ପୁସ୍ତକଟି ଆସନ୍ତା ରବିବାର ଯାଏ ରବୀନ୍ଦ୍ର ମଣ୍ଡପରେ ସୁଲଭ ମୂଲ୍ୟ‌ରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର