କଟକ: ଓଡ଼ିଶା ତଥା ଓଡ଼ିଶା ବାହାରେ ଏକାଧିକ ମଞ୍ଚରେ ପରିବେଷିତ ହୋଇ ଅଜସ୍ର ପ୍ରଶଂସା ସାଉଁଟିଥିବା ‘ଚକ୍‌ଲେଟ୍‌ ପ୍ରଡକ୍ସନ’ର ବହୁ ଚର୍ଚ୍ଚିତ ଓଡ଼ିଆ ନାଟକ ‘ଆହେ ନୀଳ ଶଇଳ’ ଆଜି ବାଲିଯାତ୍ରା କଟକ ମହୋତ୍ସବର ମୁଖ୍ୟ ଆକର୍ଷଣ ସାଜିଥିଲା। କୋଟି ଓଡ଼ିଆଙ୍କ ରକ୍ଷାକର୍ତ୍ତା ବଡ଼ଠାକୁର ଶ୍ରୀ ଜଗନ୍ନାଥ ଓ ତତ୍କାଳୀନ ଗଜପତି ରାଜା ରାମଚନ୍ଦ୍ର ଦେବଙ୍କ କାହାଣୀ ଆଧାରିତ ଏହି ନାଟକ ତଳବାଲିଯାତ୍ରା ପଡ଼ିଆ ଅକ୍ଷୟ ମହାନ୍ତି ମଞ୍ଚର ତୃତୀୟ ସନ୍ଧ୍ୟାରେ ବାଲିଯାତ୍ରାର ଅଗଣିତ ଦର୍ଶକଙ୍କୁ ଭକ୍ତିରସରେ ଭିଜାଇ ଦେଇଥିଲା। ଚକ୍‌ଲେଟ୍‌ ପ୍ରଡକ୍ସନ୍‌ର ବିଶି‌ଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ଓ ଡକ୍ଟର ପ୍ରତିମା ହୋତାଙ୍କ ପ୍ରଭାବଶାଳୀ ଚରନା ଓ ନାଟ୍ୟକାର ଲାଲା ବୀରେନ୍‌ ରାୟଙ୍କ ନିର୍ଦ୍ଦେଶନାରେ ୫୦ରୁ ଅଧିକ କଳାକାର ନିଖୁଣ ଅଭିନୟ କରି ନାଟକକୁ ଜୀବନ୍ତ ଗଢ଼ିତୋଳିଥିଲେ। 

Advertisment

ନାଟକ ଯେତିକ ଆଗଉଥିଲା, ଅକ୍ଷୟ ମହାନ୍ତି ମଞ୍ଚ ସମ୍ମୁଖ ‌ହଜାର ହଜାର ଦର୍ଶକଙ୍କ ଉତ୍ସାହ, ଉଦ୍‌ବେଗ ଓ ଉତ୍କଣ୍ଠା ସେହି ଅନୁସାରେ ବଢ଼ିଚାଲିଥିଲା। ପୁରୀ ଶ୍ରୀମନ୍ଦିରରୁ ଶ୍ରୀଜଗନ୍ନାଥଙ୍କୁ ଲୁଚାଇବା ଉଦ୍ଦେଶ୍ୟରେ ଚିଲିକା ହ୍ରଦସ୍ଥିତ ଗୁପ୍ତ ସ୍ଥାନକୁ ନିଆଯିବା ଦୃଶ୍ୟରେ ଦର୍ଶକଙ୍କ କୋହ ସ୍ପଷ୍ଟ ଭାବେ ବାରିହୋଇ ପଡ଼ୁଥିଲା। ଏପରିକି ପ୍ରତି ସିନ୍‌ ପରେ ପରେ ଦର୍ଶକଙ୍କ ତାଳିରୁ ବାରି ହେଉଥିଲା ସତରେ ଦର୍ଶକମାନେ ନାଟକରେ ଅନ୍ତର୍ଦେଶରେ ପ୍ରବେଶପୂର୍ବକ ନାଟକକୁ ଉପଭୋଗ କରୁଥିଲେ। ବାସ୍ତବରେ ନାଟକର ଐତିହାସିକ ବିଷୟବସ୍ତୁ, ଉ‌ଚ୍ଚକୋଟିର  ‌ନି‌ର୍ଦ୍ଦେଶନା ଓ ନିଖୁଣ ଅଭିନୟ ହିଁ ଅଗଣତ ଦର୍ଶକଙ୍କୁ ଲୁହ ଓ କୋହରେ ଭିଜାଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ ‘ଆହେ ନୀଳ ‌ଶଇଳ’ କଳାକାରମାନଙ୍କ ନିଖୁଳ ଅଭିନୟକୁ ଭୂୟସୀ ପ୍ରଶଂସା କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ। ଏହି‌ ଅବସରରେ ମୁଖ୍ୟ ଅତିଥି ଶ୍ରୀ ସାମଲ, ନାଟକର ପରିକଳ୍ପନା ତଥା ଏହାକୁ ବାସ୍ତବ ରୂପ ଦେଇଥିବା ‘ସମ୍ବାଦ’ର ସଂପାଦିକା ତନୟା ପଟ୍ଟନାୟକଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ସାମଲ, ନିଜେ ନାଟକକୁ ଦେଖିବାକୁ ଆସିଥି‌ଲେ ଓ ଏହାକୁ ଭରପୁର ଉପଭୋଗ କରିଥିବା ସ୍ବୀକାର କରିଥିଲେ।