ଭୁବନେଶ୍ବର: ରବୀନ୍ଦ୍ର ମଣ୍ଡପରେ ପରିବେଷିତ ହେବ ବହୁଚର୍ଚ୍ଚିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’। ଏପ୍ରିଲ ୭ରୁ ୧୦ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ସଂଧ୍ୟା ୬ଟାରେ ଦର୍ଶକ ମଞ୍ଚରେ ଦେଖିବାକୁ ପାଇବେ ଓଡ଼ିଶା ଇତିହାସର ଏକ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟର ନାଟ୍ୟରୂପ। ଅଷ୍ଟାଦଶ ଶତାବ୍ଦୀ ଓଡ଼ିଶାର ଏକ ଅନନ୍ୟ ଅଧ୍ୟାୟକୁ ଆଧାର କରି ‘ଚକଲେଟ୍ ପ୍ରଡକ୍ସସନ୍ସ’ ପକ୍ଷରୁ ଏହି ନାଟକ ପ୍ରସ୍ତୁତ କରାଯାଇଛି। ମୋଗଲ ଶାସନାଧୀନ ଓଡ଼ିଶାରେ ହିନ୍ଦୁ ବିଦ୍ବେଷୀ ନାଏବ ନଜିମର ବିଷଦୃଷ୍ଟିରୁ କିଭଳି ମହାପ୍ରଭୁଙ୍କ ମାନରକ୍ଷା ଲାଗି ତତ୍କାଳୀନ ଗଜପତି ରାମଚନ୍ଦ୍ର ଦେବ ବହୁ କଷ୍ଟ ସହିଛନ୍ତି ଓ ଅତ୍ୟାଚାରର ଶିକାର ହୋଇଛନ୍ତି ତାହା ‘ଆହେ ନୀଳଶଇଳ’ରେ ଉପସ୍ଥାପିତ ହୋଇଛି। ଏହାର କାହାଣୀ କଥାସମ୍ରାଟ୍ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ନୀଳଶୈଳ’ ଦ୍ବାରା ଆଂଶିକ ଭାବେ ଅନୁପ୍ରେରିତ।
ଖିମ୍ଜୀ ଜୁଏଲର୍ସ ଉପସ୍ଥାପିତ ‘ଆହେ ନୀଳଶଇଳ’ ନାଟକ ରଚନା କରିଛନ୍ତି ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ଓ ଡ. ପ୍ରତିମା ହୋତା। ନିର୍ଦ୍ଦେଶନା ଦେଇଛନ୍ତି ଲାଲା ବୀରେନ୍ ରାୟ। ଏଥିରେ ଅଭିନେତା ଲରେନ୍ସ ଗଜପତି ରାମଚନ୍ଦ୍ର ଦେବ, ସୋଫିଆ ଆଲମ୍ ମହାରାଣୀ, ପ୍ରକାଶ ଜେନା ତକି ଖାଁ, ଶ୍ରଦ୍ଧା ପାଣିଗ୍ରାହୀ ରେଜିଆ ଓ ମନୀଷା ରଥ ସରଦେଇ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ହାସ୍ୟାଭିନେତା ହାଡୁ ଷଣ୍ଢ ସୁଆର ଭୂମିକାରେ ନଜର ଆସିଥିବା ବେଳେ ଆରଜେ କେପି ମୁରାଦ ଅଲ୍ଲୀ ଚରିତ୍ର ନିଭାଇଛନ୍ତି। ଏହାବାଦ୍ ଆଶିଷ, ରାଜେନ୍ଦ୍ର, ପାର୍ଥ, ଚିନ୍ମୟ, ଶମ୍ଭୁ ହୋତା, ଗୋବିନ୍ଦ ମହାପାତ୍ର, ଉମା, ରଘୁନାଥ, ବିନୁ, ପ୍ରଭାତ, ସୁନୀଲ ଓ ରାକେଶ ପ୍ରମୁଖ କଳାକାର ଅନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ନିର୍ଦ୍ଦେଶନାରେ ସହଯୋଗ କରିଛନ୍ତି ଅନନ୍ତ, ସୁବାସ ଓ ଜିତୁ।
/sambad/media/post_attachments/wp-content/uploads/2022/04/Ahe-Nila-Saila.jpg)
ବଳିଷ୍ଠ ଅଭିନୟ, ମନଛୁଆଁ ସଂଳାପ ସହିତ ଏଥିରେ ରହିଛି ତିନିଟି ସୁମଧୁର ଗୀତ। ବଲିଉଡ୍ ଗାୟକ ଋତୁରାଜ୍ ମହାନ୍ତି ଗାଇଛନ୍ତି ଶୀର୍ଷକ ଗୀତ ‘ସାରା ଦୁନିଆର ରକ୍ଷକ ଯିଏ, ନିଜ ରକ୍ଷା ପାଇଁ ଧାଉଁଛି ସିଏ..’। କଣ୍ଠଶିଳ୍ପୀ ନାଜିଆ ଆଲମ୍ ଓ ଅଭିଜିତ ମିଶ୍ରଙ୍କ କଣ୍ଠରେ ଭକ୍ତ ସାଲବେଗଙ୍କ ରଚିତ ଲୋକପ୍ରିୟ ଗୀତ ‘ଆହେ ନୀଳଶୈଳ ପ୍ରବଳମତ୍ତ ବାରଣ..’ ରେକର୍ଡ ହୋଇଛି। ଲୋକପ୍ରିୟ ଗାୟକ ଶ୍ରୀଚରଣ ଶ୍ରୀକ୍ଷେତ୍ରର ଲୋକସଂସ୍କୃତି ଆଧାରିତ ଏକ ଭାଙ୍ଗଗୀତ ଗାଇଛନ୍ତି। ସୌମିତ୍ରୀ ପଲାଇ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୁରୁ ଶତପଥୀ ଗୀତ ରଚନା କରିଛନ୍ତି। ନୃତ୍ୟ ନିର୍ଦ୍ଦେଶନାରେ ବିଦୁ ଥିବା ବେଳେ ଫାଇଟ୍ ଦାୟିତ୍ବ ସମ୍ଭାଳିଛନ୍ତି ଫେଟ ଫାଇଟର୍ସର ଜ୍ଞାନ। କଷ୍ଟ୍ୟୁମ୍ ଡିଜାଇନ୍ କରିଛନ୍ତି ରାମୁଲି କ୍ରିଏସନ୍ ଓ ପୋଷାକ ଯୋଗାଇଛନ୍ତି ଜନତା ଚିତ୍ରାଳୟ। ଆଗ୍ରହୀ ଦର୍ଶକଙ୍କ ଲାଗି ଅନ୍ଲାଇନରେ ନାଟକର ଟିକେଟ ଉପଲବ୍ଧ ହେଉଛି। ‘ବୁକ୍ ମାଇଁ ସୋ’ ୱେବ୍ସାଇଟ ମାଧ୍ୟମରେ ଏହାର ବୁକିଂ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Aahe-Nila-Saila-Play-in-Rabindra-Mandap_Thumbnail.jpg)