ଭୁବନେଶ୍ବର: ପ୍ରତିକୂଳ ପାଗ ସତ୍ତ୍ବେ ରବୀନ୍ଦ୍ର ମଣ୍ଡପ ହାଉସଫୁଲ୍‌। ‘ଚକଲେଟ୍ ପ୍ରଡକସନ୍ସ’ ପ୍ରଯୋଜିତ ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ ଦେଖିବାକୁ ପୂର୍ବଦିନ ଭଳି ଆଜି ବି ପୂରା ପ୍ରେକ୍ଷାଳୟ ପୂରି ଉଠିଥିଲା। କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ମଞ୍ଚରେ ମହାପ୍ରଭୁଙ୍କ ନାଟକ ଦେଖିବା ପରେ ସ୍ବାଭାବିକ ଭାବେ ସେ ଭାବବିହ୍ବଳ ହୋଇଯାଇଥିଲେ। ଏହି ଅବସରରେ ସେ କହିଲେ, ଦିଲ୍ଲୀରେ ଥିବା ବେଳେ ମୁଁ ଅନେକ ନାଟକ ଦେଖିଛି। କିନ୍ତୁ ଏଭଳି ଉଚ୍ଚ‌କୋଟୀର ନାଟକ କେବେ ଦେଖିନଥିଲି। ନାଟକରେ ସମସ୍ତେ ନିଖୁଣ ଭାବେ ଅଭିନୟ କରିଛନ୍ତି। ନାଟକ ମୋ ହୃଦୟକୁ ଛୁଇଁଛି।

Advertisment

ଏହି ନାଟକ ରାଜ୍ୟ ତଥା ଦେଶ ବାହାରେ ପ୍ରଦର୍ଶିତ ହେଲେ ମହାପ୍ରଭୁ ଜଗନ୍ନାଥଙ୍କ ମହିମା ଅଧିକରୁ ଅଧିକ ପ୍ରଚାର ପ୍ରସାର ହେବ। ମଞ୍ଚ ନାଟକକୁ ପୁନର୍ଜୀବିତ କରିବା ପାଇଁ ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଓ ଟିମ୍‌କୁ ସେ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ନାଟକର ରୂପକାର ଶ୍ରୀମତୀ ପଟ୍ଟନାୟକଙ୍କ ସମେତ ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ, ଲେଖକ ଶଙ୍କର ତ୍ରିପାଠୀ ଓ ଟିମ୍‌ ମଞ୍ଚରେ ଉପସ୍ଥିତ ଥିଲେ। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ସଂଧ୍ୟା ୬ଟାରେ ନାଟକ ‘ଆହେ ନୀଳଶଇଳ’ ମଞ୍ଚସ୍ଥ ହେବ।