ଓୟୁଏଟିରେ ଅହିରାଜର ହାଡ଼ ପ୍ଲାଷ୍ଟର୍‌, ଇଟାମାଡ଼ରେ ପିଞ୍ଜରା ଭାଙ୍ଗିଥିଲା

ଭୁବନେଶ୍ବର : ଇଟାମାଡ଼ରେ ପିଞ୍ଜରା ହାଡ଼ ଭାଙ୍ଗିଥିବା ୧୨ଫୁଟ୍ ଲମ୍ବ ଅଣ୍ଡିରା ଅହିରାଜର ଗୁରୁବାର ଦିନ ପ୍ଲାଷ୍ଟର୍‌ କରାଯାଇଛି। ଓୟୁଏଟି ପ୍ରାଣୀ ଚିକିତ୍ସାଳୟର ସର୍ଜରି ବିଭାଗର ପ୍ରଫେସର୍‌ ଡା. ଇନ୍ଦ୍ରମଣି ନାଥ, ଆସିଷ୍ଟାଣ୍ଟ ପ୍ରଫେସର୍‌ ସିଦ୍ଧାର୍ଥ ଶଙ୍କର ବେହେରା ଓ ତାଙ୍କ ଟିମ୍ ମିଳିତ ଭାବେ ଅହିରାଜର ହାଡ଼ ପ୍ଲାଷ୍ଟର୍‌ କରିଛନ୍ତି। ୩ ଇଞ୍ଚ ମୋଟେଇ ପିଭିସି ପାଇପ୍‌କୁ ଦୁଇ ଫାଳ କରାଯାଇ ତାର ଭିତର ଭାଗରେ ତୁଳା ଓ ମାଇକ୍ରୋପୋର ବ୍ୟାଣ୍ଡେଜ୍ ସାହାଯ୍ୟରେ ପ୍ୟାଡିଙ୍ଗ୍‌ ଦିଆଯାଇଥିଲା। ଏହାପରେ ସାପଟିର ମୁଣ୍ଡକୁ ଏକ ଟ୍ରାନ୍ସପାରେଣ୍ଟ ରିଷ୍ଟେନିଂ ଟ୍ୟୁବ୍ ଭିତରେ ଭର୍ତ୍ତି କରାଯାଇଥିଲା।

ସାପଟିର ଆଘାତ ସ୍ଥାନରେ ପୋଭିଡିନ୍‌ ଆୟୋଡିନ୍‌ ପାଉଡର୍‌କୁ ସିଞ୍ଚନ କରାଯାଇଥିଲା। ତା’ପରେ ତିଆରି ହୋଇଥିବା ନରମ ଗଦି ରୂପକ ପ୍ଲାଷ୍ଟିକ ପାଇପକୁ ଆଘାତ ସ୍ଥାନର ଦୁଇପାଖରେ ରଖି ଲିଉକୋପ୍ଲାଷ୍ଟ ଓ ମାଇକ୍ରୋପୋର ବ୍ୟାଣ୍ଡେଜ୍ ଗୁଡ଼ାଇ ପ୍ଲାଷ୍ଟର୍‌ କରାଯାଇଛି। ସାପଟିର ପ୍ଲାଷ୍ଟର ହେବା ସମୟରେ ଆଣ୍ଟିବାୟୋଟିକ ଓ ପେନ୍ କିଲର ଇଂଜେକସନ୍ ଦିଆଯାଇଥିଲା। ବର୍ତ୍ତମାନ ସାପକୁ ୩ସପ୍ତାହ ପାଇଁ ନିରୀକ୍ଷଣରେ ରଖାଯିବା ପରେ ପ୍ଲାଷ୍ଟର୍‌ ଖୋଲାଯିବ ବୋଲି ଡା. ଇନ୍ଦ୍ରମଣି ନାଥ କହିଛନ୍ତି। ଅହିରାଜ ସାପର ହାଡ଼ଭଙ୍ଗା ଚିକିତ୍ସା ଦେଶରେ ପ୍ରଥମ ବୋଲି ଡା. ନାଥ କହିଛନ୍ତି। ସ୍ନେକ ହେଲ୍ପ ଲାଇନ୍ ସାଧାରଣ ସଂପାଦକ ତଥା ଖୋର୍ଦ୍ଧା ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଅହିରାଜ ସୁସ୍ଥ ହେବା ପରେ ଉଦ୍ଧାର ହୋଇଥିବା ସ୍ଥାନ ନିକଟସ୍ଥ ଜଙ୍ଗଲରେ ଛାଡ଼ିବା ପାଇଁ ପ୍ରସ୍ତାବ ଦିଆଯିବ।

ସୂଚନାଯୋଗ୍ୟ, ଗତ ୨୪ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ଚିଲିକା ଛକ ନିକଟ ରିଙ୍କୁ ବିଶ୍ବାଳଙ୍କ ବାଡ଼ିରୁ ଏହି ୧୨ଫୁଟ୍ ସାପ ଉଦ୍ଧାର କରାଯାଇଥିଲା। ଉଦ୍ଧାର ସମୟରେ ସାପ ଉପରକୁ କେହି ଜଣେ ଇଟା ମାଡ଼ କରିଦେବାରୁ ସାପଟିର ୪ଟି ପିଞ୍ଜରା ହାଡ଼ ଭାଙ୍ଗି ଯାଇଥିଲା। ପ୍ଲାଷ୍ଟର୍‌ ପାଇଁ ତାକୁ ଓୟୁଏଟି ପ୍ରାଣୀ ଚିକିତ୍ସାଳୟକୁ ଅଣାଯାଇଥିଲା।

ସମ୍ବନ୍ଧିତ ଖବର