ଅହମଦାବାଦ: ଅହମଦାବାଦରେ ଜୁନ୍ ୧୨ ତାରିଖରେ ଏୟାର ଇଣ୍ଡିଆର ବୋଇଙ୍ଗ୍ ୭୮୭-୮ ବିମାନ ଭୟାବହ ଦୁଘଟଣାର ଶିକାର ହୋଇଥିବା ବେଳେ ଆଜି ଭାରତର ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଏ ବାବଦ ପ୍ରାଥମିକ ତଦନ୍ତ ରିପୋର୍ଟ ଜାରି କରିଛି। ଏଏଆଇବି ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବିମାନର ଦୁଇଟି ଯାକ ଇଞ୍ଜିନ ହଠାତ୍ କାମ କରିବା ବନ୍ଦ କରିଦେଇଥିଲା। ବିମାନଟି ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ ମଧ୍ୟରେ ଏଭଳି ସ୍ଥିତି ଉପୁଜିଥିଲା ଏବଂ ଉଭୟ ଇଂଜିନ୍ ଅଚାନକ ଅଚଳ ହୋଇଗଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ଇଞ୍ଜିନ-୧ ଓ ଇଞ୍ଜିନ୍-୨ର ଇନ୍ଧନ କଟ୍ଅଫ୍ ସୁଇଚ୍ ‘ରନ୍’ରୁ ‘କଟ୍ ଅଫ୍’ ସ୍ଥିତିକୁ ଯିବା ପୂର୍ବରୁ ବିମାନଟି ଏୟାରସ୍ପିଡ୍ର ସର୍ବାଧିକ ବେଗ ୦୮:୦୮:୪୨ ୟୁଟିସିରେ ପହଞ୍ଚିଥିଲା। ଉଡ଼ାଣ ସମୟରେ ହିଁ ଉଭୟ ଇଞ୍ଜିନ ବନ୍ଦ ହୋଇଯିବାରୁ ଏହା ଖସିବା ଆରମ୍ଭ କରିଥିଲା।
ରିପୋର୍ଟରୁ ଏହା ମଧ୍ୟ ଜଣାପଡିଛି ଯେ ଉଡ଼ାଣ ଭରିବାର ଠିକ୍ ପରେ ପରେ ପ୍ରଥମ ଇଂଜିନ୍ ବିଫଳ ହୋଇଥିଲା ଏବଂ ମାତ୍ର ଗୋଟିଏ ସେକେଣ୍ଡ ମଧ୍ୟରେ ଦ୍ବିତୀୟ ଇଞ୍ଜିନ କାମ କରିବା ବନ୍ଦ କରିଦେଲା। ଉଭୟ ଇଂଜିନର ଇନ୍ଧନ କଟଅଫ୍ ସୁଇଚ୍ ଗୋଟିଏ ପରେ ଗୋଟିଏ କଟ୍ ଅଫ୍ ସ୍ଥିତିକୁ ପରିବର୍ତ୍ତିତ ହେବାମାତ୍ରେ ପାଇଲଟ ଜରୁରୀ ବାର୍ତ୍ତା ପଠାଇଥିଲେ। ମାତ୍ର ସେତେବେଳକୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।
କକପିଟ୍ ଭଏସ୍ ରେକର୍ଡିଂରେ ଜଣେ ପାଇଲଟ୍ ଅନ୍ୟ ଜଣଙ୍କୁ ଇଞ୍ଜିନ୍ କାହିଁକି ଅଚଳ ହୋଇଯାଉଛି ବୋଲି ପଚାରିଥିବା ଶୁଣିବାକୁ ମିଳିଥିଲା, ଯାହାର ଉତ୍ତରରେ ଦ୍ୱିତୀୟ ପାଇଲଟ୍ କହିଥିଲେ ଯେ ଏଭଳି କାହିଁକି ହେଉଛି, ସେ ଜାଣିପାରୁ ନାହାନ୍ତି ଏଭଳି ସ୍ଥିତିକୁ ଆସିବା ପାଇଁ ସେ କିଛି କରିନାହାନ୍ତି। ରିପୋର୍ଟରେ ସ୍ୱୀକାର କରାଯାଇଛି ଯେ ବିମାନର ପ୍ରାରମ୍ଭିକ ଉଡ଼ାଣ ସମୟରେ ‘ରାମ୍ ଏୟାର ଟର୍ବାଇନ୍ (ଆରଏଟି) ମୁତୟନ ହୋଇଥିଲା। ବିମାନବନ୍ଦର ପରିସରର ପାଚେରି ଅତିକ୍ରମ କରିବା ପୂର୍ବରୁ ହିଁ ବିମାନଟି ଉଚ୍ଚତା ହରାଇବା ଆରମ୍ଭ କରିଥିଲା। ଉଡ଼ାଣ ପଥ ନିକଟରେ କୌଣସି ବିଶେଷ ପକ୍ଷୀ ଗତିବିଧି ଦେଖିବାକୁ ମିଳିନଥିବା ବେଳେ ଏହି ପର୍ଯ୍ୟାୟରେ ପକ୍ଷୀ ଧକ୍କା ହେବାର ସମ୍ଭାବ୍ୟ କାରଣ ନାହିଁ ବୋଲି ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି। ଆଗକୁ ଏ ବାବଦ ବିସ୍ତୃତ ତଦନ୍ତ ରିପୋର୍ଟ ଜାରି ହେବ ବୋଲି ଜଣାପଡ଼ିଛି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp