ଭୁବନେଶ୍ବର: ରାଜଧାନୀରେ ଛକି ବସିଛି ଏଆଇ କ୍ୟାମେରା। ଟ୍ରାଫିକ୍‌ ନିୟମକୁ ଫୁ’ କରି ଦେଉଥିବା ଅମାନିଆଙ୍କୁ ସାବାଡ କରିବାକୁ ଏଆଇ କ୍ୟାମେରା ଜଗି ରହି ଅନ୍‌ଲାଇନ୍‌ ଚାଲାଣ କାଟୁଛି। ଟ୍ରାଫିକ୍‌ ପୁଲିସ ତଥ୍ୟ ଅନୁସାରେ ଚଳିତ ମାସ ଅର୍ଥାତ୍ ମେ ୨୪ ତାରିଖ ସୁଦ୍ଧା ଏଆଇ କ୍ୟାମେରା ୩ କୋଟି ୨୫ ଲକ୍ଷ ଟଙ୍କାର ଚାଲାଣ କାଟିଛି। ୩୨,୬୦୦ଜଣ ଅମାନିଆଙ୍କୁ ଚିହ୍ନଟକରି ସେମାନଙ୍କ ନିକଟକୁ ଅନ୍‌ଲାଇନ୍‌ ଚାଲାଣ ପଠାଇଛି। ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଳାଉଥିବା ଆରୋହୀ, ସିଟ୍‌ ବେଲ୍‌ଟ ନ ବାନ୍ଧି କାର୍‌ ଚଳାଉଥିବା ଚାଳକ, ରଙ୍ଗ୍‌ ରୁଟ୍‌ରେ ଯାଉଥିବା ବାଇକ୍‌ ଓ ୩ଜଣ ବସିଥିବା ବାଇକ୍‌ ଓ ବେଆଇନ ପାର୍କିଂ କରିଥିବା କାର୍‌ଗୁଡ଼ିକୁ ଏଆଇ ଚିହ୍ନଟ କରି ଏମିତି ଜରିମାନା କରୁଛି। ଦିନକୁ ଦିନ ରାଜଧାନୀରେ ମଟରଗାଡ଼ିର ଘନତା ଦ୍ରୁତବେଗରେ ବଢ଼ିଚାଲିଛି। 

Advertisment

ପରିତାପର ବିଷୟ ହେଉଛି, ସବୁପ୍ରକାର ସଚେତନତା ପରେ ବି ବର୍ଦ୍ଧିତ ଗାଡ଼ିଗୁଡ଼ିକ ସହ ତାଳଦେଇ ବଢ଼ିଛି ଟ୍ରାଫିକ୍‌ ନିୟମ ଉଲ୍ଲଂଘନ। ଜରିମାନା ହେଉ କି ଚାଲାଣ କାଟିବା ବ୍ୟବସ୍ଥା ପରେ ବି ଲୋକେ ଚେତୁନାହାନ୍ତି। ଗଳିକନ୍ଦିରେ ଖସିବାକୁ ବାଟ ଖୋଜୁଛନ୍ତି। ରାତିରେ ଅମାନିଆଙ୍କ ଉତ୍ପାତ ବେଶି ବଢ଼ିଯାଉଛି। ଫଳରେ ରାଜଧାନୀରେ ସଡ଼କ ଦୁର୍ଘଟଣା ଏକ ନିତିଦିନିଆ ଘଟଣା ହୋଇଗଲାଣି। ଏଥିରେ ରୋକ୍‌ ଲଗାଇବାକୁ ଟ୍ରାଫିକ୍‌ ପୁଲିସ ଏଆଇ କ୍ୟାମେରାର ସହାୟତା ନେଇଛି। ଟ୍ରାଫିକ୍‌ ଡିସିପି ତପନ ମହାନ୍ତିଙ୍କ ସୂଚନାନୁସାରେ ଏବେ ରାଜଧାନୀର ୯୫ଟି ପ୍ରମୁଖ ଛକ ଓ ଗଳିକନ୍ଦିରେ ୧୫୦୦ ଏଆଇ ସଫ୍‌ଟଵେର୍‌ ଥିବା ପିଟିଜେଡ୍ ଓ ଏଏମ୍‌ପିଆର୍‌ କ୍ୟାମେରା ଖଞ୍ଜାଯାଇଛି। ଫଳରେ ଦୈନିକ ହାରାହାରି ୧୮୦୦ରୁ ଅଧିକ ଚାଲାଣ କଟୁଛି ଏବଂ ହାରାହରି ୧୮ ଲକ୍ଷ ଟଙ୍କାର ଚାଲାଣ କଟାଯାଉଛି। ୯୦ ଦିନ ଭିତରେ ଚାଲାଣ ନ ଭରିଲେ, ସେସବୁକୁ କୋର୍ଟକୁ ପଠାଇ ଦିଆଯାଉଛି।