ଭୁବନେଶ୍ୱର: ରାଜଧାନୀକୁ ଅପରାଧମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ସରକାର ମାନବସମ୍ବଳ ବଦଳରେ ଏଆଇ(ଆଣ୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)କୁ ଅସ୍ତ୍ର କରିଛନ୍ତି। ସାରା ରାଜଧାନୀକୁ ଏଆଇ ନିୟନ୍ତ୍ରିତ କରିବାକୁ ମେଗା ଯୋଜନା ପ୍ରସ୍ତୁତ କରାଯାଇଛି। ସହରର ପ୍ରମୁଖ ଛକରେ ୩୧୦୦ଟି ଏଆଇ କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ହୋଇଛି। ଏହି କ୍ୟାମେରା ଏତେ ଉଚ୍ଚକ୍ଷମତା ସଂପନ୍ନ ଯେ କିଏ ମହିଳା, କିଏ ପୁରୁଷ, କେଉଁ ରଙ୍ଗ – ଏ ସବୁକୁ ଠଉରେଇ ନେବ। ଅପରାଧୀ ଓ ଗାଡ଼ିକୁ ବି ସହଜରେ ଧରିଦେବ। ପୂର୍ବରୁ ପ୍ରତି ୧ହଜାର ଜନସଂଖ୍ୟାରେ ୭୫ଟି ସାଧାରଣ କ୍ୟାମେରା ଲାଗୁଥିଲା। କିନ୍ତୁ ଏହି ଏଆଇ କ୍ୟାମେରା ୨୦୦୦ ଲୋକଙ୍କ ଉପରେ ନଜର ରଖିପାରିବ। ରାଜ୍ୟ ସରକାରଙ୍କ ଚୂଡ଼ାନ୍ତ ମୋହର ବାଜିବା ପରେ ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଅଧିକାରୀମାନେ ବିଦେଶର ବିଭିନ୍ନ ସହର ବୁଲିବା ସହ ସେଠାରେ ଟ୍ରାଫିକ୍ ଓ ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥାର ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ସରକାର ପ୍ରଥମ ପର୍ଯ୍ୟାୟରେ ରାଜଧାନୀରେ ଏଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ଅପରାଧ ଓ ଟ୍ରାଫିକ୍ ନିୟନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି ଫଳପ୍ରଦ ହୁଏ, ପର୍ଯ୍ୟାୟକ୍ରମେ ଅନ୍ୟ ସହରରେ ବି ଏହି ବ୍ୟବସ୍ଥା ଆପଣାଯିବ। 

Advertisment

ଗତକାଲି ଏଆଇ କ୍ୟାମେରା ଲଗାଇବାର ପ୍ରି-ବିଡିଂ ବୈଠକ ଶେଷ ହୋଇଛି। ୧୪ଟି ସଂସ୍ଥା ଏଥିରେ ଅଂଶଗ୍ରହଣ କରିବା ସହ ଟେଣ୍ଡର ନେବାକୁ ଆଗ୍ରହ ଦେଖାଇଛନ୍ତି। ବଡ଼କଥା ହେଉଛି, ରାଜ୍ୟ ସରକାର ଏ ବାବଦରେ ଅଗ୍ରୀମ କୌଣସି ଖର୍ଚ୍ଚ କରିବେ ନାହିଁ। ଯେଉଁ ଠିକାସଂସ୍ଥା ଏହାର ଟେଣ୍ଡର ନେବ, ସଂପୃକ୍ତ ସଂସ୍ଥା ସମସ୍ତ ଖର୍ଚ୍ଚ କରିବ। ଏଆଇ କ୍ୟାମେରା କିଣାଠାରୁ ଆରମ୍ଭ କରି ଲଗାଇବା ଓ କାର୍ଯ୍ୟକ୍ଷମ କରିବା ପର୍ଯ୍ୟନ୍ତ ସବୁ କାମ ନିଜସ୍ବ ଖର୍ଚ୍ଚରେ କରିବ। ରାଜ୍ୟ ସରକାର କିସ୍ତିରେ ଏହି ଟଙ୍କା ଠିକାସଂସ୍ଥାକୁ ଦେବେ। ସେ ପୁଣି କାମ ଦେଖିବା ପରେ। ଯଦି କ୍ୟାମେରା ଠିକ୍ ଚାଲିଲା, ତେବେ ଠିକାସଂସ୍ଥାକୁ କିସ୍ତି ଟଙ୍କା ମିଳିବ। ନଚେତ୍ ସଂପୃକ୍ତ ସଂସ୍ଥା ଟଙ୍କା ନେବା ବଦଳରେ ଟଙ୍କା ଗଣିବ।

ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିସ୍ତୃତ ସମୀକ୍ଷା ଓ ଅନୁଧ୍ୟାନ ପରେ ୬୪୫ଟି ସ୍ଥାନରେ ୩୧୦୦ଟି ଏଆଇ କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୫୦୦ଟି ଏଆଇ କ୍ୟାମେରା ଲଗାଯିବ ଓ ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଚାଲିଛି। ଦ୍ବିତୀୟ ପର୍ଯ୍ୟାୟରେ ବାକି ଏଆଇ କ୍ୟାମେରା ଲଗାଯିବ ଓ ଏଥିପାଇଁ ଭିନ୍ନ ଏକ ଟେଣ୍ଡର କରାଯିବ। ପ୍ରଥମ ଥର ପାଇଁ ଓଡ଼ିଶାରେ ଓପେକ୍ସ ମଡେଲ୍‌ରେ ଏଭଳି ଟେଣ୍ଡର କରାଯାଇଛି। ପୂର୍ବରୁ ସରକାରଙ୍କୁ ସବୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲା। ଠିକାସଂସ୍ଥା କାମ କରିବା ପରେ ଆଉ ଧରାଛୁଆଁ ଦେଉନଥିଲେ। ଏଣୁ କୌଣସିଠାରେ ସିସି କ୍ୟାମେରା ଅବା ଅନ୍ୟ ଭିତ୍ତିଭୂମି ଖରାପ ହେଲେ, ହଇରାଣ ହେବାକୁ ପଡ଼ୁଥିଲା। କିନ୍ତୁ ଓପେକ୍ସ ମଡେଲ୍ ଟେଣ୍ଡରରେ ସଂପୃକ୍ତ ଠିକାସଂସ୍ଥା ସବୁ କରିବ। ଏହା ପୂର୍ଣ୍ଣ ଭାବେ ପର୍‌ଫର୍ମାନ୍ସ ବେସ୍‌ଡ ଟେଣ୍ଡର। ଯଦ୍ବାରା ଯେଉଁ ଠିକାସଂସ୍ଥା କାମ କରିବେ, ସେମାନେ ଭଲ କାମ କରୁଛନ୍ତି କି ନାହିଁ, ସହଜରେ ଜାଣିହେବ ଓ ସେହି ଅନୁସାରେ ଆମେ ତାଙ୍କୁ ଟଙ୍କା ଦେବୁ କି ଦେବୁନି, ନିଷ୍ପତ୍ତି ନେଇପାରିବୁ। ଠିକାସଂସ୍ଥାକୁ ୭ ବର୍ଷରେ ୮୪ଟି କିସ୍ତିରେ ଟଙ୍କା ଦେବାକୁ ଟେଣ୍ଡରରେ ସର୍ତ୍ତ ରହିଛି। କ୍ୟାମେରାଗୁଡ଼ିକ ଏତେ ଉଚ୍ଚକ୍ଷମତା ସଂପନ୍ନ ଯେ ଆମେ କେବଳ ରଙ୍ଗ ଦେଇଦେଲେ, ସେ ସହରରେ କେଉଁ ଜାଗାରେ କଳା ରଙ୍ଗର କେଉଁ ବାଇକ୍ ବୁଲୁଛି, ଠଉରେଇ ଦେବ। ଅପରାଧୀଙ୍କ ସାମାନ୍ୟ ସୂଚନା ଦେଲେ, ସଂପୂର୍ଣ୍ଣ ବିବରଣୀ ଥୋଇଦେବ। ଏହି ଏଆଇ କ୍ୟାମେରା ସବୁ ଥାନା ସହ ଯୋଡ଼ିହେବ। କେହି ଅପରାଧ ଘଟାଇ ଖସି ପାରିବେନି। ଅପରାଧୀ ଅବା ଅପରାଧରେ ସଂପୃକ୍ତ ଗାଡ଼ି ସହରର କେଉଁଠି ବୁଲୁଛି, ଜାଣିହେବ ଓ ତତ୍‌କ୍ଷଣାତ୍ ତାହାର ଅବସ୍ଥିତି ସହ ସଂପୃକ୍ତ ଥାନାକୁ ସୂଚନା ଚାଲିଯିବ। ଫଳରେ ଅପରାଧୀଙ୍କୁ ଧରିବା ସହଜ ହେବ।

ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏ ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଯେଉଁଥିରେ ଭୁବନେଶ୍ବର ପୁଲିସ କମିସନର୍, ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଏହାର ଭିତ୍ତିଭୂମି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ଓ ତତ୍କାଳ କାମ କରିବାକୁ ସହମତି ମିଳିଛି।