ଶିକ୍ଷା ବିରୋଧୀ ନୀତିକୁ ବିରୋଧ, ଏଆଇଡିଏସ୍‌ଓ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ବର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ବିରୋଧୀ ନୀତିକୁ ବିରୋଧ କରି ଆଜି ଏଆଇଡିଏସ୍‌ଓ ପକ୍ଷରୁ ଲୋୟର ପିଏମ୍‌ଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରସ୍ତାବିତ ଜାତୀୟ ଶିକ୍ଷାନୀତି ଖସଡ଼ା ୨୦୧୯ ବାତିଲ, ଛାତ୍ର ସ˚ସଦ ନିର୍ବାଚନ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର, ପ୍ରଥମ ଶ୍ରେଣୀରୁ ପାସ୍‌-ଫେଲ ବ୍ୟବସ୍ଥା ତୁରନ୍ତ ଲାଗୁ, ୯୬୬ ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତି ବାତିଲ କରିବା, ଖାଲି ପଡ଼ିଥିବା ଶିକ୍ଷକ, ଅଧ୍ୟାପକ ପଦବି ସ୍ଥାୟୀ ଭିତ୍ତିରେ ପୂରଣ କରିବା, ଶିକ୍ଷାର ସାମ୍ପ୍ରଦାୟୀକରଣ, ବ୍ୟବସାୟୀକରଣ ଓ ଫିସ୍‌ ବୃଦ୍ଧି ବନ୍ଦ କରିବା, ଛାତ୍ରୀ ଓ ମହିଳାମାନଙ୍କ ଉପରେ ଆକ୍ରମଣ ବନ୍ଦ କରିବା ଆଦି ବିଭିନ୍ନ ଦାବି ନେଇ ଲୋୟର ପିଏମ୍‌ଜିରେ ଗର୍ଜିଥିଲେ।

ବିଜେଡି ସରକାର ଏବ˚ କେନ୍ଦ୍ରର ବିଜେପି ସରକାର ସହ ସଲାସୁତୁରା କରି ବିଭିନ୍ନ ଶିକ୍ଷା ବିରୋଧୀ ନୀତି କାର୍ଯ୍ୟକାରୀ କରିଚାଲିଛି। ସରକାର ଦାବି ଗୁଡ଼ିକ ଉପରେ ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜିର ଏହି ବିକ୍ଷୋଭରେ ଅନୁ‌ଷ୍ଠାନର ସଭାପତି ଗଣେଶ ତ୍ରିପାଠୀ, ସମ୍ପାଦକ ସୁବାସ ନାୟକ, ଉପସଭାପତି ସୋମନାଥ ବେହେରା, ସିଦ୍ଧାର୍ଥ ରଥ, ଜୟନ୍ତ ମହାନ୍ତି, ସୁନୀଲ ଭୋଇ, ପରମାନନ୍ଦ ସାହୁ, ମଧୁସ୍ମିତା ସାହୁ, କ୍ରିଷ୍ଣାରାଣୀ ସାହୁ ପ୍ରମୁଖ ନେତୃତ୍ବ ଦେଇଥିଲେ।

ସମ୍ବନ୍ଧିତ ଖବର