ଏଆଇଡିଏସ୍ଓର ଆଇନ ଅମାନ୍ୟ ଆନ୍ଦୋଳନ

ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତି ପ୍ରତିବାଦ‌ରେ ରାସ୍ତାକୁ ଓହ୍ଲାଇଛି ଏଆଇଡିଏସ୍‍ଓ। ନିଷ୍ପତ୍ତିର ଦୃଢ଼ ପ୍ରତିବାଦ କରିବା ସହ ପୂର୍ବଭଳି ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଦାବିରେ ସଙ୍ଗଠନ ଆଜି ଲୋୟର୍‌ ପିଏମ୍‌ଜିରେ ଆଇନଅମାନ୍ୟ ଆନ୍ଦୋଳନ କରିଛି। ସଙ୍ଗଠନର ଛାତ୍ରନେତାମାନେ କହିଛନ୍ତି ଯେ ବିଜେଡି ସରକାର ଇତିହାସକୁ ଉପେକ୍ଷା କରି ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ଛଡ଼େଇ ନେଇଛି। ଅତୀତରେ ଛାତ୍ର ସଂସଦ ନିର୍ବାଚନ ଆମ ରାଜ୍ୟ ତଥା ଦେଶରେ ବହୁ ରାଜନେତା, ସାହିତ୍ୟିକ, ବୈଜ୍ଞାନିକଙ୍କୁ ସୃଷ୍ଟି କରିଛି। ଭବିଷ୍ୟତରେ ମଧ୍ୟ ଏହା ଅପରିହାର୍ଯ୍ୟ। ଛାତ୍ରାବସ୍ଥାରୁ ଦେଶର ନେତୃତ୍ୱ ଦେବା ପାଇଁ ଛାତ୍ର ସଂସଦ ସୁଯୋଗ ସୃଷ୍ଟି କରିଥାଏ। ତେବେ ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେଡି ସରକାର ବହୁ ଶିକ୍ଷା ବିରୋଧୀ ନୀତି ପ୍ରଣୟନ କରିଛନ୍ତି। ଯେଉଁଥିପାଇଁ ବହୁ ଶିକ୍ଷକ ଓ ଅଧ୍ୟାପକ ପଦ ଖାଲିପଡ଼ିଛି। ଶିକ୍ଷାର ଘରୋଇକରଣ-ବ୍ୟବସାୟୀକରଣ ନୀତି ଯୋଗୁ ଲଗାମହୀନ ଫି’ ବୃଦ୍ଧି ଘଟୁଛି। ଏସବୁ ସମସ୍ୟା ବିରୋଧ‌ରେ କାଳେ ଛାତ୍ର ଆନ୍ଦୋଳନ ଗଢ଼ି ଉଠିବ, ସରକାରଙ୍କର ଅପରାଗତା ପଦାରେ ପଡ଼ିବ, ସେହି ଭୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଏଆଇଡିଏସ୍‍ଓ ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ କହିଛନ୍ତି। ଏହି ଆନ୍ଦୋଳନରେ ସଙ୍ଗଠନ ସମ୍ପାଦକ ସୁବାସ ନାଏକ, ଉପସଭାପତି ସିଦ୍ଧାର୍ଥ ରଥ, ଜୟନ୍ତ ମହାନ୍ତି, ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ନସିମ୍‍ ସରକାର, କ୍ରିଷ୍ଣାରାଣୀ ସାହୁ, ମଧୁସ୍ମିତା ସାହୁ, ରେଖା ଦଣ୍ଡପାଟ, ଶିବାନୀ ଶଙ୍କର ମିଶ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର