ଖଣ୍ଡଗିରି: ବିଏମ୍‌ସି ଜଳାଶୟ ପୁନରୁଦ୍ଧାର ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛି । ସହରରେ ଜଳାଶୟର ପୁନରୁଦ୍ଧାର ହେଲେ ଭୂତଳଜଳ ରିଚାର୍ଜ ହେବା ସହ ଜଳବାୟୁରେ ଦେଖା ଯାଉଥିବା ଅନିୟମିତତାରେ ସୁଧାର ଆସିବ। ସ୍ଥାନୀୟ ଲୋକେ ସୁବିଧା ପାଇବେ। ଜୀବଜନ୍ତୁ ପାଣି ପାଇଁ ଅସୁବିଧା ଭୋଗିବେନି। ହେଲେ ସେ ଉଦ୍ଦେଶ୍ୟ ପୂରଣ ହେଉଛି କି ନାଇଁ ସେ କଥା ଦେଖିବାକୁ କେହି ନାହାନ୍ତି। କେବଳ କେମିତି ଟଙ୍କା ଖର୍ଚ୍ଚ ହେବ ସେଥିରେ ସମସ୍ତେ ମନ ଦେଇଛନ୍ତି। 

Advertisment

୪୯ ନମ୍ବର ୱାର୍ଡରେ ଥିବା ଆଇଗିଣିଆ ପୋଖରୀ ନବୀକରଣର ଅଳ୍ପ କେଇଦିନ ଭିତରେ କୋଠା ଭୁଶୁଡ଼ି ପୋଖରୀ ଭିତରେ ପଡ଼ିଛି। ପାଣି ମଇଳା ଏମିତି ଯେ ଗୋଡ଼ ଧୋଇହେଉନି। ୪ ବର୍ଷ ତଳେ ୪୦ଲକ୍ଷ ଟଙ୍କା ବ୍ୟୟରେ ଏହାର ପୁନରୁଦ୍ଧାର କରାଯାଇଥିଲା। ଚାରିପାଖେ ପେଭର୍‌ ବ୍ଲକ୍‌, ଚାରିକାନ୍ଥରେ ଚିତ୍ର, ପିଣ୍ତି ସହ ପାଣି ସଫା ହୋଇଥିଲା। ଗାଧୋଇବା ପରେ କପଡ଼ା ବଦଳାଇବା ପାଇଁ ବ୍ୟବସ୍ଥା ହୋଇ ନଥିବାରୁ ଗ୍ରାମର କିଛି ବ୍ୟକ୍ତି ନିଜ ପକେଟ୍‌ରୁ ଟଙ୍କା ଖର୍ଚ୍ଚ କରି ପୋଖରୀ ହୁଡ଼ାରେ ପୋଷାକ ବଦଳାଇବା ଘର ତିଆରି କଲେ। କିନ୍ତୁ ଏବେ ପୁଷ୍କରିଣୀର ଅବସ୍ଥା ଦେଖିଲେ କେହି ବିଶ୍ବାସ କରିବେନି ଯେ ୩ /୪ବର୍ଷ ତଳେ ଏହାର କାମ ହୋଇଥିଲା। ଗତ ବର୍ଷା ଦିନେ ପୁ‌ଷ୍କରିଣୀକୁ ଲାଗି ହୋଇଥିବା ଗାଧୁଆଘର ସମ୍ପୂର୍ଣ୍ଣ ପା‌ଣି ଭିତରେ ଧସିଗଲା। ଏବେ ବି ପୂରା କୋଠା‌ ପାଣି ଭିତରେ। ଚାରିପଟ ରେଲିଂ, ପେଭର ବ୍ଲକ୍‌ ଭାଙ୍ଗିବା ସହିତ ମାଟି ଧସି ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଛି। 

୨୦୨୧ ଅଗଷ୍ଟ ମାସରେ ଉଦ୍‌ଘାଟିତ ହୋଇଥିବା ଏହି ପୋଖରୀର ନବ‌କଳେବର ମାତ୍ର ବର୍ଷ କେତୋଟିରେ ନଷ୍ଟ ହୋଇଯାଇଛି। ଗ୍ରାମବାସୀ ତୁଠ କାର୍ଯ୍ୟ ପାଇଁ ବ୍ୟବହାର କରୁଥିଲେ। ଏଥିପାଇଁ ସ୍ବତନ୍ତ୍ର ଗେଟ୍‌ ଓ ପିଣ୍ଡି ହୋଇଥିଲା। ପୋଖରୀ ହୁଡ଼ାରେ ଲାଇଟ୍‌ ଲଗା ଯାଇଥିଲା। କିନ୍ତୂ ଏବେ ପୋଷାକ ବଦଳାଇବା ଘର ସହିତ ଲାଇଟ୍‌ ଖୁଣ୍ଟ, ପେଭର ବ୍ଲକ୍‌ ମଧ୍ୟ ଭୁଶୁଡ଼ି ପଡ଼ିଛି।  ଏଗୁଡ଼ିକ ସଫା କରାଯାଇ ନାହିଁ। ପୋଖରୀରୁ ଅଳିଆ ସଫା ହେଉ ନଥିବାରୁ ଦଶାହ କାମ ପାଇଁ ଆସୁଥିବା ଲୋକେ ହଇରାଣ ହେଉଛନ୍ତି। ପୋଖରୀଟିକୁ ଏବେ ମରାମତି ନକଲେ ଖୁବ୍‌ଶୀଘ୍ର ଏହା ଏକ ପରିତ୍ୟକ୍ତ ସ୍ଥାନରେ ପରିଣତ ହୋଇଯିବାର ଆଶଙ୍କା ରହିଛି।

 ଏ ନେଇ ସ୍ଥାନୀୟ କର୍ପୋରେଟର୍‌ କହିଛନ୍ତି, ଆଇଗିଣିଆ ପୋଖରୀ ଖୁବ୍‌ଶୀଘ୍ର ସଫା‌ ହେବା ସହ ଯେଉଁସବୁ ଅସୁବିଧା ରହିଛି ତା’ର ସମାଧାନ କରାଯିବ। ଏ ନେଇ ଖୁବ୍ ଶୀଘ୍ର ଟେଣ୍ଡର ହେବ।