ଏମ୍ସରେ ପଦୋନ୍ନତିରୁ ୧୧ ଯୋଗ୍ୟ ଡାକ୍ତର ବାଦ୍ ପଡ଼ିବାକୁ ନେଇ ଅସନ୍ତୋଷ, ଅଧ୍ୟକ୍ଷଙ୍କୁ ଦାବିପତ୍ର

ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ଅସନ୍ତୁଷ୍ଟ

ଭୁବନେଶ୍ବର: ଏମ୍ସ ଭୁବନେଶ୍ବରର ବଢୁଛି ଡାକ୍ତର ଅସନ୍ତୋଷ। କିଛି ଦିନ ପୂର୍ବରୁ ପ୍ରକାଶ ପାଇଥିବା ପଦୋନ୍ନତି ତାଲିକାରେ ୧୧ ଜଣ ଯୋଗ୍ୟ ଡାକ୍ତର ବାଦ୍‌ ପଡ଼ିବା ପରେ ଏହା ସାମ୍ନାକୁ ଆସିଛି। ଏମ୍ସ ଡାକ୍ତର ସଂଘ ପରିଚାଳନା ପରିଷଦ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇ ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଏବଂ ଏମ୍ସ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହା ବ୍ୟତୀତ ଏମ୍ସ ଅଧ୍ୟକ୍ଷଙ୍କୁ ପତ୍ର ଲେଖି ବାଦ୍‌ ପଡ଼ିଥିବା ଡାକ୍ତରଙ୍କ ଫଳାଫଳ ଏମ୍ସ ଦିଲ୍ଲୀର ବାହାରିଆ କମିଟି ପକ୍ଷରୁ ସମୀକ୍ଷା କରାଯାଉ ଏବଂ ଯେଉଁମାନେ ପଦୋନ୍ନତି ପାଇଥିବା ଡାକ୍ତରଙ୍କ ସହିତ ସମାନ କିମ୍ବା ଅଧିକ ନମ୍ବର ରଖିଥିବେ, ସେମାନଙ୍କୁ ପଦୋନ୍ନତି ଦିଆଯାଉ ବୋଲି କହିଛନ୍ତି। ପ୍ରତ୍ୟେକ ଫେକଲ୍‌ଟିଙ୍କୁ ନମ୍ବର ତାଲିକା (ସ୍କୋର ସିଟ୍‌) ପ୍ରଦାନ ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି। କିଛି ଦିନ ପୂର୍ବରୁ ଏମାନେ ଏମ୍ସ ପରିଚାଳନା ବୋର୍ଡର ଦୁଇ ଜଣ ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ଓ ଅମର ପଟ୍ଟନାୟକଙ୍କ ସହିତ ଏହି ପ୍ରସଙ୍ଗରେ ଆଲୋଚନା କରି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସୂଚନା ଅନୁଯାୟୀ ବିଭିନ୍ନ ବିଭାଗର ଏମ୍ସର ସମୁଦାୟ ୩୯ ଡାକ୍ତରଙ୍କ ପଦୋନ୍ନତି ହେବାର ଥିଲା। ଏଥିରେ ସହଯୋଗୀରୁ ସହକାରୀ, ସହକାରୀରୁ ଅତିରିକ୍ତ ପ୍ରଫେସର, ଅତିରିକ୍ତ ପ୍ରଫେସରରୁ ପ୍ରଫେସର ଭାବରେ ପଦୋନ୍ନତି ଦିଆଯିବାର ଥିଲା। ମାତ୍ର ଏଥିରେ ଯୋଗ୍ୟ ଡାକ୍ତରଙ୍କୁ ବାଦ୍‌ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ଏପରିକି ଅତିରିକ୍ତ ପ୍ରଫେସରରୁ ପ୍ରଫେସର ପଦ ପାଇଁ ଯୋଗ୍ୟ ବିବେଚିତ ୬୦ ପ୍ରତିଶତରୁ ଅଧିକଙ୍କୁ ପଦୋନ୍ନତି ଦିଆଗଲା ନାହିଁ। ଆନାଟୋମି, ଇଏନ୍‌ଟି, ଡର୍ମାଟୋଲୋଜି ବିଭାଗରେ ଦୀର୍ଘ ଦିନ ଧରି ପ୍ରଫେସର ପଦ ଖାଲି ରହିଥିଲେ ମଧ୍ୟ ଏଥିରେ କାହାକୁ ନିଯୁକ୍ତି ଦିଆଗଲା ନାହିଁ। ଏଥିଯୋଗୁଁ ଏହି ବିଭାଗ ଯୋଗ୍ୟ ବ୍ୟକ୍ତି ଥାଇ ମଧ୍ୟ ପ୍ରଫେସର ଶୂନ୍ୟ ହୋଇ ରହିଛି। ପଦୋନ୍ନତିରୁ ବଞ୍ଚିତ ମାଇକ୍ରୋବାଇଲୋଜି ବିଭାଗର ୨ ଜଣ ଫେକଲ୍‌ଟି ଚଳିତ କରୋନାରେ ସର୍ବାଧିକ କାର୍ଯ୍ୟ କରିଥିଲେ।

ବିଶେଷକରି ମ୍ୟୁକରମାଇକୋସିସ ନିୟନ୍ତ୍ରଣ ପାଇଁ ମାଇକ୍ରୋବାଇଲୋଜି ବିଭାଗର ଦାୟିତ୍ବ ଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ପଦୋନ୍ନତିରୁ ବଞ୍ଚିତ ୧୧ ଜଣ ଡାକ୍ତରଙ୍କ ମଧ୍ୟରୁ ୬ ଜଣ ମହିଳା ହୋଇଥିବାରୁ ଏହି ଦାବିପତ୍ର ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀଙ୍କୁ ମଧ୍ୟ ଦିଆଯିବାର ନିଷ୍ପତ୍ତି ହୋଇଛି। ଏମ୍ସ ଭୁବନେଶ୍ବର ସଭାପତିଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ରରେ କୁହାଯାଇଛି, ଏହି ଡାକ୍ତରଖାନା ଦୀର୍ଘ ଦିନ ଧରି ଡାକ୍ତର ଅଭାବ, ଭିତ୍ତିଭୂମି ସମସ୍ୟା ରହିଛି। ଯାହାକି ସେମାନଙ୍କ ପଦୋନ୍ନତି ପାଇଁ ବାଧକ ହୋଇଛି। ପଦୋନ୍ନତି ଆକଳନ ପ୍ରସ୍ତୁତ ବେଳେ ଏହା ଦେଖିବା ଉଚିତ। ଏ ସଂକ୍ରାନ୍ତରେ ଦୃଷ୍ଟି ଦିଆ ନ ଗଲେ ରୋଗୀ ସେବା ପ୍ରଭାବିତ ହେବା ନେଇ ଆଶଙ୍କା ରହିଥିବା କୁହାଯାଉଛି। ଏ ସଂପର୍କରେ ଏମ୍ସ ସଭାପତି ସୁବ୍ରତ ଆଚାର୍ଯ୍ୟ କହିଛନ୍ତି, ଡାକ୍ତରଖାନା ବାହାରେ ଏକ ଷ୍ଟାଣ୍ଡିଂ ସିଲେକ୍ସନ କମିଟି ପକ୍ଷରୁ ପଦୋନ୍ନତି ଦିଆଯାଏ। ଡାକ୍ତରଙ୍କ କାର୍ଯ୍ୟ ଆଧାରରେ ନିଷ୍ପତ୍ତି ହୁଏ। ଏଥିରେ ତାଙ୍କର କିଛି କହିବାର ନାହିଁ।

ସମ୍ବନ୍ଧିତ ଖବର