ଏମ୍‌ସ୍‌ର ୭ ଡାକ୍ତର ଆକ୍ରାନ୍ତ ହେଲେଣି, ମଂଗଳବାର ଚିହ୍ନଟ ୫ ପଜିଟିଭ୍‌ଙ୍କ ମଧ୍ୟରେ ଏମ୍‌ସର ଜଣେ ଡାକ୍ତର

ଭୁବନେଶ୍ବର: ଏମ୍‌ସ୍‌ରେ ଡାକ୍ତରଙ୍କ ମଧ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ଜଣେ ମହିଳା ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ଜଣେ ପୁରୁଷ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଏମ୍‌ସ୍‌ର ସମୁଦାୟ ୭ଜଣ ଡାକ୍ତର ଏ ପର୍ଯ୍ୟନ୍ତ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। ବିଏମ୍‌ସି ପକ୍ଷରୁ ଆଜି ରାଜଧାନୀରେ ୫ ପଜିଟିଭ୍‌ ବାହାରିଥିବା ସୂଚନା ଦିଆଯାଇଛି। ତହିଁରେ ୨୪ବର୍ଷର ଜଣେ ଡାକ୍ତର ପଜିଟିଭ୍ ରହିଛନ୍ତି। ୧୫ଦିନ ପୂର୍ବରୁ ସଂପୃକ୍ତ ଡାକ୍ତର ଜଣକ କୋଭିଡ ଡ୍ୟୁଟି କରୁଥିଲେ। ଏବେ ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିଛିଦିନ ପୂର୍ବରୁ ଏମ୍‌ସର ଜଣେ ମହିଳା ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗତ ସପ୍ତାହରେ ଏକକାଳୀନ ୪ଜଣ ଡାକ୍ତର ଆକ୍ରାନ୍ତ ହୋଇଥିଲେ। ଯାହାଫଳରେ ଏମ୍‌ସରେ ୭ଜଣ ଡାକ୍ତର ଏଥିରେ ସଂକ୍ରମିତ ହୋଇଛନ୍ତି।

ରାଜଧାନୀରେ କରୋନା ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଡୁମୁଡୁମା ହାଉସିଂବୋର୍ଡ ‌କଲୋନିର ୩୭ବର୍ଷର ଜଣେ ପୁରୁଷ ରହିଛନ୍ତି। ଜଣେ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ସେ ସଂକ୍ରମିତ ହୋଇଛନ୍ତି। ସେହିପରି ଘରେ ସଙ୍ଗରୋଧରେ ଥିବା ୩ଜଣ ଆକ୍ରାନ୍ତ ଥିବା ଚିହ୍ନଟ କରାଯାଇଛି। ସତ୍ୟନଗରର ଦିଲ୍ଲୀ ଫେରନ୍ତା ୩୬ବର୍ଷର ଜଣେ ଯୁବକ, ଜୟଦେବବିହାର ନିକଟସ୍ଥ ନିରଙ୍କାରୀନଗରର ଦିଲ୍ଲୀ ଫେରନ୍ତା ୨୨ବର୍ଷର ଯୁବକ ଓ ପଟିଆ ଶ୍ରୀ ବିହାରର ପୂର୍ବରୁ ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୨୫ବର୍ଷର ଜଣେ ଯୁବତୀ ସଂକ୍ରମିତ ହୋଇଛନ୍ତି। ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ମିଶାଇ ରାଜଧାନୀରେ ଏ ପର୍ଯ୍ୟନ୍ତ ୧୩୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୪ଜଣ ସୁସ୍ଥ ହୋଇଥିବା ବେଳେ ୫୪ ଜଣ ଆକ୍ରାନ୍ତ ଏବେ ବି ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର