କାର୍ଯ୍ୟକ୍ଷମ ହେଲା ଏମ୍‌ସ ଆୟୁଷ ବ୍ଲକ୍‌, ମାସକ ମଧ୍ୟରେ ରୋଗୀ ଆଡ୍‌ମିସନ୍‌

ପଞ୍ଚକର୍ମ, ଆଖି ଚିକିତ୍ସା, ଯୋଗ ପ୍ରଶିକ୍ଷଣ ଚାଲିବ

ଭୁବନେଶ୍ବର : କୋଭିଡ୍‌ ପାଇଁ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବା ଭୁବନେଶ୍ବର ଏମ୍‌ସର ଆୟୁଷ ବ୍ଲକ୍‌ ଏବେ ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି। ଓପିଡିରେ ରୋଗୀ ଦେଖା ଚାଲିଛି ଓ ଖୁବ୍‌ ଶୀଘ୍ର ରୋଗୀଙ୍କୁ ଶଯ୍ୟାରେ ରଖି ଚିକିତ୍ସା ଯୋଗାଇ ଦିଆଯିବ। ମାସକ ମଧ୍ୟରେ ଏଠାରେ ରୋଗୀଙ୍କୁ ଆଡ୍‌ମିସନ୍‌ କରି ଚିକିତ୍ସା ସେବା ଯୋଗାଇଦିଆଯିବ। ସେହିଭଳି ଏଠାରେ ଏଣିକି ପଞ୍ଚକର୍ମ, ଆଖି ଚିକିତ୍ସା, କଟିବସ୍ତି ଆଦି ସୁବିଧା ଉପଲବ୍‌ଧ ହେବ। ଦରକାର ବେଳେ ଡାକ୍ତରଖାନା ବାହାର ବ୍ୟକ୍ତି ମଧ୍ୟ ଏଠାରେ ଗୋଟିଏ ଘଣ୍ଟା ପାଇଁ ଯୋଗ ପ୍ରଶିକ୍ଷଣ ନେଇପାରିବେ। ଏଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି ଏମ୍‌ସ ଡାକ୍ତର ପ୍ରଶାନ୍ତ ସାହୁ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୬ ମସିହାରୁ ଏମ୍‌ସରେ ରହିଛି ଆୟୁଷ ବିଭାଗ। ଏଠାରେ ହୋମିଓପାଥି, ଆର୍ୟୁବେଦ ଓ ଯୋଗ ଆଦି ବିଭାଗ ରହିଛି। ୨୦୧୯ ମସିହାରୁ ଆର୍ୟୁବେଦ ବିଭାଗରେ ୨ ଡାକ୍ତର, ହୋମିଓପାଥିରେ ୨ଜଣ ଏବଂ ଜଣେ ଯୋଗ ପ୍ରଶିକ୍ଷକ ନିଯୁକ୍ତି ପାଇଛନ୍ତି। ଓପିଡି ସହିତ ୩୦ ଶଯ୍ୟା ବିଶିଷ୍ଟ ଆଇପିଡି ରହିଛି। ବର୍ତ୍ତମାନ ୬ ଶଯ୍ୟାକୁ କାର୍ଯ୍ୟକ୍ଷମ କରାଯାଇଛି। ପୂର୍ବରୁ ଦୈନିକ ୨୫ରୁ ୩୦ ରୋଗୀ ଓପିଡିକୁ ଆସୁଥିଲେ। କୋଭିଡ୍‌ କାଳରେ ଏହି ସଂଖ୍ୟା ହ୍ରାସ ପାଇଥିଲା। ଏବେ ପୁଣି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ଆର୍ୟୁବେଦ ଚିକିତ୍ସା ପଦ୍ଧତିରେ ବାତରୋଗ, ପେଟରୋଗ, ସ୍ତ୍ରୀରୋଗ, ପାଚନ ସମସ୍ୟା, ମଧୁମେହ, ଥାଇରଏଡ୍‌, ବନ୍ଧ୍ୟାକରଣ ଆଦି ସମସ୍ୟାର ଚିକିତ୍ସା କରାଯାଉଛି। ହୋମିଓପାଥିରେ ଶିଶୁ ରୋଗ, ଥଣ୍ଡା, କାଶ, ଚର୍ମ, ଷ୍ଟୋନ୍‌ ସମସ୍ୟା ଆଦି ବହୁ ପ୍ରକାର ରୋଗର ଚିକିତ୍ସା ସେବା ମିଳୁଛି। ଏଥିସହିତ ଯୋଗ ଚିକିତ୍ସା ମଧ୍ୟ କରାଯାଉଛି। ମାନସିକ ରୋଗ ବିଭାଗ ସମେତ ବିଭିନ୍ନ ବିଭାଗକୁ ଆସୁଥିବା ରୋଗୀଙ୍କୁ ଯୋଗ ପାଇଁ ପରାମର୍ଶ ଦିଆଯାଏ।

ଆୟୁଷ ବ୍ଲକରେ ପଞ୍ଚକର୍ମ ଆରମ୍ଭ ପାଇଁ ଡାକ୍ତରମାନେ ଦୁଇ ବର୍ଷରୁ ଊର୍ଧ୍ବ ସମୟ ହେଲା ପ୍ରସ୍ତୁତ ହେଉଥିଲେ। ଏଥିପାଇଁ ଆବଶ୍ୟକ ଉପକରଣ ୨୦୨୦ ମସିହାରେ କେରଳରୁ ଆସି ପହଞ୍ଚିଥିଲା। ମାତ୍ର ଠିକ୍‌ ସମୟ ବେଳକୁ କୋଭିଡ୍‌ ହେବାରୁ ସବୁ କିଛି ଅଟକି ଯାଇଥିଲା। ଆୟୁଷ ବ୍ଲକ୍‌କୁ କୋଭିଡ ଡାକ୍ତରଖାନା କରାଯିବାରୁ ମୂଳ କାମ ଅଟକି ଯାଇଥିଲା। ବର୍ତ୍ତମାନ କିନ୍ତୁ ଖୁବ୍‌ ଶୀଘ୍ର ପଞ୍ଚ କର୍ମ ଚିକିତ୍ସା ହେବ। ଏହି ଚିକିତ୍ସା କାର୍ଯ୍ୟକାରୀ ହେଲେ, ଅଟୋଇମ୍ୟୁନ୍‌ ଡିଜ୍‌ଅର୍ଡର ଚିକିତ୍ସା ହୋଇପାରିବ। ଏଥିପାଇଁ ଏବେ ଏଲୋପାଥିରେ କେବଳ ଷ୍ଟେରଏଡ୍‌ ଦ୍ବାରା ଚିକିତ୍ସା କରାଯାଉଛି। କିନ୍ତୁ ପଞ୍ଚକର୍ମ ଜରିଆରେ ସୁବିଧାଜନକ ଚିକିତ୍ସା ହୋଇପାରିବ ବିଶେଷଜ୍ଞ କହିଛନ୍ତି।

ସମ୍ବନ୍ଧିତ ଖବର