ଭୁବନେଶ୍ୱର : ଭୁବନେଶ୍ୱର ଏମ୍‌ସର ଆୟୁଷ ବିଭାଗ ଗତ କିଛି ଦିନ ହେଲା ଅଚଳ ପ୍ରାୟ ଅବସ୍ଥାରେ। ଓପିଡି, ଡାକ୍ତର ଓ ଅନ୍ୟ ଷ୍ଟାଫ୍‌ ଥିବା ସତ୍ତ୍ବେ ଗତ କିଛି ଦିନ ‌ହେଲା ଏଠାକୁ ରୋଗୀଙ୍କ ଆସିବା ବହୁ ପରିମାଣ‌ରେ ହ୍ରାସ ପାଇଛି। ଏଠାକୁ ଆସୁଥିବା ଦୈନିକ ରୋଗୀ ସଂଖ୍ୟା ଦେଖିଲେ, ଏହା ଯେ ଏମ୍‌ସ ଭଳି ବିଶ୍ବସ୍ତରୀୟ ହସ୍ପିଟାଲର ଏକ ଶାଖା ବୋଲି ସହଜରେ ବିଶ୍ବାସ କରିହେବ ନାହିଁ। ଏହାକୁ କୋଭିଡ୍‌ ହସ୍ପିଟାଲରେ ପରିଣତ କରିବା ପରେ ଏଭଳି ଅବସ୍ଥା। ତେବେ ଖୁବ୍‌ ଶୀଘ୍ର ଏଠାରେ ପଞ୍ଚକର୍ମ ଚିକିତ୍ସା ସେବା ଆରମ୍ଭ ହେବାକୁ ଯାଉଥିବାରୁ ପୁଣି ଏହି ବିଭାଗ ଚଳଚଞ୍ଚଳ ହେବ ବୋଲି କୁହାଯାଉଛି। ପଞ୍ଚକର୍ମ ଚିକିତ୍ସାରେ ଚୁଟି ଝଡ଼ିବାଠାରୁ ଆରମ୍ଭ କରି ମାନସିକ ରୋଗ ଓ ଅଟୋଇମ୍ୟୁନ୍‌ ଡିଜ୍‌ଅର୍ଡର ଭଳି ଜଟିଳ ରୋଗର ଚିକିତ୍ସା ହୋଇପାରିବ।

Advertisment

ସୂଚନାନୁସାରେ ପଞ୍ଚକର୍ମ ଚିକିତ୍ସା ପାଇଁ ଆବଶ୍ୟକ ସରଞ୍ଜାମ ଏମ୍‌ସରେ ପହଞ୍ଚି ସାରିଛି। ଏସବୁକୁ ଖୁବ୍‌ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ। ପଞ୍ଚକର୍ମ ଚିକିତ୍ସା କାର୍ଯ୍ୟକାରୀ ହେଲେ, ଅଟୋଇମ୍ୟୁନ୍‌ ଡିଜ୍‌ଅର୍ଡର୍‌ ଚିକିତ୍ସା କରାଯିବ। ଏଥିପାଇଁ ଏଲୋପାଥି ଚିକିତ୍ସାରେ କେବଳ ଷ୍ଟେରଏଡ୍‌ ବ୍ୟବହାର କରାଯାଉଛି। ଏହାର ପାର୍ଶ୍ବ ପ୍ରତିକ୍ରିୟା ରହିଛି। କିନ୍ତୁ ପଞ୍ଚକର୍ମ ଜରିଆରେ ବିନା ପାର୍ଶ୍ବ ପ୍ରତିକ୍ରିୟାରେ ଏହି ଚିକିତ୍ସା କରାଯାଇପାରିବ ବୋଲି ଆୟୁର୍ବେଦ ବିଶେଷଜ୍ଞ କହିଛନ୍ତି। ସ୍ବଳ୍ପ ମୂଲ୍ୟରେ ରୋଗୀମାନେ ଉପକୃତ ହେବେ। ଉଲ୍ଲେଖଯୋଗ୍ୟ, ୨୦୧୬ରୁ ଏମ୍‌ସରେ ଆୟୁଷ ବିଭାଗ କାମ କରୁଛି। ହୋମିଓପାଥି, ଆୟୁର୍ବେଦ ଓ ଯୋଗ ଆଦି ବିଭାଗ ଏଥିରେ ସାମିଲ୍ ହୋଇଛି। ୨୦୧୯ରୁ ଆର୍ୟୁବେଦ ବିଭାଗରେ ୨ ଡାକ୍ତର, ହୋମିଓପାଥିରେ ୨ ଡାକ୍ତର ଓ ଜଣେ ଯୋଗ ପ୍ରଶିକ୍ଷକ ନିଯୁକ୍ତି ପାଇଛନ୍ତି। ଓପିଡି ସହ ୬ ଶଯ୍ୟା ବିଶିଷ୍ଟ ଆଇପିଡି ରହିଛି। କରୋନା ପୂର୍ବରୁ ଏଠାକୁ ଦୈନିକ ଶତାଧିକ ରୋଗୀ ଆସୁଥିଲେ। ଏଲୋପାଥିର ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ବର୍ତ୍ତମାନ ସମୟରେ ଆୟୁଷ ଚିକିତ୍ସା ପ୍ରତି ଲୋକଙ୍କ ବିଶ୍ବାସ ବଢ଼ିଥିବାରୁ ଏଠାକୁ ବହୁ ରୋଗୀ ଆସୁଥିଲେ। ପୁରୁଣା ରୋଗର ଚିକିତ୍ସା ପାଇଁ ବେଶି ରୋଗୀ ଆସୁଥିଲେ। ବର୍ତ୍ତମାନ ଆୟୁର୍ବେଦ ଚିକିତ୍ସା ଦ୍ବାରା ବାତରୋଗ, ଆଖି ସମସ୍ୟା, ସ୍ତ୍ରୀରୋଗ, ପାଚନ ସମସ୍ୟା, ଅର୍ଶ-ମଳକଣ୍ଟକ ସମେତ ଅନେକ ଗୁରୁତର ରୋଗର ଚିକିତ୍ସା ହୋଇପାରୁଛି। ହୋମିଓପାଥି ଦ୍ବାରା ଥଣ୍ଡା, କାଶ, ଚର୍ମ ସମେତ ସବୁପ୍ରକାର ରୋଗର ଚିକିତ୍ସା ହେଉଛି। ଯୋଗ ପ୍ରଶିକ୍ଷକ ଡାକ୍ତରଖାନା କର୍ମଚାରୀଙ୍କ ସମେତ ପଂଜୀକୃତ ବ୍ୟକ୍ତିଙ୍କୁ ଯୋଗ ପ୍ରଶିକ୍ଷଣ ଦେଉଛନ୍ତି। କିନ୍ତୁ ଏବେ ଦୈନିକ ମାତ୍ର ୨୫/୩୦ ରୋଗୀ ଆସୁଛନ୍ତି।

ଲୋକଙ୍କ ଅଭିଯୋଗ ଅନୁସାରେ ଆୟୁଷ ବିଭାଗରେ କୋଭିଡ୍ ଡାକ୍ତରଖାନା ଖୋଲିବା ଯୋଗୁଁ ଏହି ବିଭାଗ ତା’ର ସତ୍ତା ହରାଇଛି। ବର୍ତ୍ତମାନ ମଧ୍ୟ ଏଠାରେ ଗୋଟିଏ ଆଇସିୟୁ କୋଭିଡ୍‌ ପାଇଁ କାର୍ଯ୍ୟ କରୁଛି। ଏଣେ କୋଭିଡ୍‌ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ଏମ୍‌ସର ଅନ୍ୟାନ୍ୟ ଅଣକୋଭିଡ୍‌ ଚିକିତ୍ସା ସ୍ବା‌ଭାବିକ ହୋଇସାରିଛି। କିନ୍ତୁ ଆୟୁଷ ବିଭାଗକୁ ପୂରା ସ୍ବତନ୍ତ୍ର କରାଯାଇନାହିଁ। ବଡ଼ କଥା ହେଉଛି, ଏଥିପାଇଁ ପଞ୍ଚକର୍ମ ସମ୍ପ୍ରସାରଣ ଯୋଜନା ବର୍ତ୍ତମାନ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନାହିଁ।