ଓପିଡି ବନ୍ଦ, ଶୂନଶାନ୍‌ ଏମ୍‌ସ

ଭୁବନେଶ୍ବର : କରୋନାକୁ ପ୍ରତିହତ କରିବା ପାଇଁ ଦ୍ବିତୀୟଥର ପାଇଁ ଏମ୍‌ସର ଓପିଡି ବନ୍ଦ କରାଯାଇଛି। ତେବେ ଏମ୍‌ସରେ ୯୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଅତି ଗୁରୁତର ରୋଗୀ ମଧ୍ୟ ଏମ୍‌ସ ଯିବାକୁ ଡରୁଛନ୍ତି। ଅଧିକ ଖର୍ଚ୍ଚାନ୍ତ ହେଲେ ସୁଦ୍ଧା ଘରୋଇ ହସ୍ପିଟାଲ ଯିବାକୁ ଉଚିତ ମଣୁଛନ୍ତି। ଯେଉଁ ରୋଗୀମାନେ ବିଭିନ୍ନ ୱାର୍ଡରେ ରହି ଚିକିତ୍ସିତ ହେଉଛନ୍ତି, ସେମାନଙ୍କୁ କିଭଳି ସୁସ୍ଥ କରି ଶୀଘ୍ର ଡିସ୍‌ଚାର୍ଜ କରାଯିବ, ସେନେଇ ବି ଏମ୍‌ସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶଯ୍ୟାରେ ଥିବା ରୋଗୀମାନେ ମଧ୍ୟ କିଭଳି ଶୀଘ୍ର ଫେରିବେ, ତତ୍ପର ହେଉଛନ୍ତି।

ବିଶେଷକରି ୧୧ଜଣ ଡାକ୍ତରଙ୍କ ସମେତ ୩୧ଜଣ ସ୍ବାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତ ହେବା ପରେ ଲୋକେ ସ୍ବତଃ ଯିବା ବନ୍ଦ କରିଦେଇଛନ୍ତି। ଆଗରୁ ମଧ୍ୟ ମାର୍ଚ୍ଚ ୨୫ରୁ ମେ’ ୩ ତାରିଖ ପର୍ଯ୍ୟନ୍ତ ଓପିଡି ସେବା ବନ୍ଦ ରହିଥିଲା। ସ୍ଥିତିରେ ସାମାନ୍ୟ ସୁଧାର ଆସିବାରୁ ପରେ ପୁଣି ଏହା ଚାଲୁ କରାଯାଇଥିଲା। କିନ୍ତୁ ଖୁବ୍‌ କମ୍‌ ଦିନ ବ୍ୟବଧାନରେ ପୁଣି ୪୦ ଆକ୍ରାନ୍ତ ବାହାରିବା ପରେ ସମ୍ପୂର୍ଣ୍ଣ ଓପିଡିକୁ ବନ୍ଦ କରି ଟେଲି ମେଡିସିନ୍‌ ସେବାର ପ୍ରଚଳନ କରାଯାଇଛି। ସେଠାରେ କ୍ୟାନ୍ସର୍‌ ଅପରେସନ୍‌ ପରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କ କହିବା ମୁତାବକ, ଏବେ ଏମ୍‌ସ ଶୂନଶାନ୍‌ ଥିଲେ ମଧ୍ୟ ରୋଗୀଙ୍କ ମଧ୍ୟରେ ଭୟ କମି ନାହିଁ। ତେବେ ସାନିଟାଇଜ୍‌ ଓ କରୋନାକୁ ପ୍ରତିହତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଯେଉଁମାନେ ଆଗରୁ ଆସି କେବଳ ଡାକ୍ତରଙ୍କ ପରାମର୍ଶ କରି ଚାଲି ଯାଇଛନ୍ତି ଏବଂ ଅପରେସନ୍‌ ହେବାକୁ ଦିନ ଧାର୍ଯ୍ୟ କରିଥିଲେ, ସେମାନେ ଏବେ ଚିନ୍ତାରେ ପଡ଼ିଛନ୍ତି। ଟଙ୍କା ଅଭାବରୁ ଅନେକ ବଡ଼ ବ୍ୟାଧି ପାଇଁ ଏମ୍‌ସ ଉପରେ ନିର୍ଭରଶୀଳ ଥିଲେ। ଅପରେସନ୍‌ ପାଇଁ ମାସାଧିକ ସମୟ ଦିଆଯାଉଥିଲେ ବି ସେମାନେ ଅପେକ୍ଷା କରି ରହିଥିଲେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ରୋଗୀମାନେ ଏହି ଚିକିତ୍ସା ସେବାର ଲାଭ ଉଠାଉଥିଲେ। ମାତ୍ର ଏତେ କରୋନା ଆକ୍ରାନ୍ତ ବାହାରିବା କଥା ଶୁଣି ସେମାନେ ଏମ୍‌ସକୁ ଯିବା ପାଇଁ ଡରିଲେଣି।

ସମ୍ବନ୍ଧିତ ଖବର