ଭୁବନେଶ୍ବର : ଚିକିତ୍ସା ବ୍ୟବସ୍ଥା ଅଛି, ବିଶେଷଜ୍ଞ ବି ଅଛନ୍ତି। କିନ୍ତୁ ଶଯ୍ୟା ଅଭାବ ଯୋଗୁଁ ଏମ୍ସର ପ୍ଲାଷ୍ଟିକ ସର୍ଜରି ବିଭାଗ ନିର୍ମାଣ ଶ୍ରମିକ ସ୍ବର୍ଣ୍ଣ ଦାସଙ୍କୁ ଫେରାଇଦେଲା। ସେ ବାଧ୍ୟ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଯାଇଥିଲେ, ମାତ୍ର ଚିକିତ୍ସା ଖର୍ଚ ୨ ଲକ୍ଷ ୬୦ ହଜାର ଟଙ୍କା ବୋଲି ଜାଣିବା ପରେ ଫେରି ଆସିଲେ। ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମାତ୍ର ଏଠାରେ ମଧ୍ୟ ଶଯ୍ୟା ଅଭାବ ଯୋଗୁଁ ତଳେ ଗଡ଼ୁଛନ୍ତି। ଏମ୍ସ ଭୁବନେଶ୍ବରର ପ୍ଲାଷ୍ଟିକ ସର୍ଜରି ବିଭାଗକୁ ଆସୁଥିବା ରୋଗୀଙ୍କୁ ଏହିଭଳି ଫେରାଇ ଦିଆଯାଉଛି। ଏପ୍ରିଲ ମାସରେ ଆସୁଥିବା ରୋଗୀଙ୍କୁ ଆଡମିସନ୍ ପାଇଁ ଜୁନ୍ ମାସର ତାରିଖ ଦିଆଯାଉଛି। ଅସ୍ତ୍ରୋପଚାର ତାରିଖ ମଧ୍ୟ ସେହିଭଳି ବିଳମ୍ବିତ ହେଉଛି।
ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅର୍ନ୍ତଗତ ନୂଆଗାଁରୁ ଆସି ୨୫ବର୍ଷ ହେବ ପଟିଆ ନିକଟସ୍ଥ ଶିଖରଚଣ୍ଡୀ ବସ୍ତିରେ ସ୍ବାମୀ ବାସୁ ଦାସ ଏବଂ ତିନି ପୁଅଙ୍କ ସହ ରହୁଛନ୍ତି ସ୍ବର୍ଣ୍ଣ। ସ୍ବାମୀ ବାସୁ ଜଣେ ଟ୍ରଲି ଚାଳକ, ତିନି ପୁଅ ବେକାର। ସ୍ବର୍ଣ୍ଣ ନିଜେ ନିର୍ମାଣ ଶ୍ରମିକ ଭାବେ କାମ କରି ପରିବାର ଚଳାନ୍ତି। ଗତ ମାସ କାର୍ଯ୍ୟରତ ଅବସ୍ଥାରେ ତାଙ୍କ ଗୋଡ଼ରେ ଇଟା ପଡ଼ି ଯିବାରୁ ଖଣ୍ଡିଆ ହୋଇଯାଇଥିଲା। ସାମନ୍ୟ କ୍ଷତ ଭାବି ପ୍ରଥମେ ଅବହେଳା କରିଥିଲେ। ମଧୁମେହ ରୋଗ ଥିବାରୁ କ୍ଷତଟି ବଢ଼ି ବର୍ତ୍ତମାନ ଗୋଡ଼ର ଏକ ତୃତୀୟାଂଶ ନଷ୍ଟ କରି ସାରିଛି। ଚିକିତ୍ସା ପାଇଁ ସେ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ଯାଇଥିଲେ। ସେଠାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଗଲା। ହେଲେ ଶଯ୍ୟା ନଥିବା ଦର୍ଶାଇ ଏମ୍ସ ଫେରାଇଦେଲା।
ଏମ୍ସରେ ଯେଉଁଭଳି ଚିକିତ୍ସା ସୁବିଧା ରହିଛି, ସେଠାରେ ଚିକିତ୍ସିତ ହୋଇଥିଲେ ରାସନ କାର୍ଡ ଯୋଗୁଁ ରିହାତିରେ ଔଷଧ, ଉନ୍ନତମାନର ଚିକିତ୍ସା ଉପକରଣ ସହିତ ଦକ୍ଷ ଡାକ୍ତର ଯୋଗୁଁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଶୀଘ୍ର ସ୍ବଭାବିକ ହୋଇଥାଆନ୍ତା ବୋଲି ଆଶା କରିଥିଲେ ସ୍ବର୍ଣ୍ଣ। ମାତ୍ର ଶଯ୍ୟାଭାବ ଯୋଗୁଁ ସେ ଏଥିରୁ ବଞ୍ଚିତ ହୋଇଥିବା କହିଛନ୍ତି। ଅନ୍ୟ ଦିଗରେ ଡାକ୍ତରଖାନା ପକ୍ଷରୁ କୁହାଯାଇଛି, ଏମ୍ସ ପ୍ଲାଷ୍ଟିକ୍ ସର୍ଜରି ବିଭାଗର ୨୪ଟି ଶଯ୍ୟା ମଧ୍ୟରୁ ୨୧ଟି କାର୍ଯ୍ୟକ୍ଷମ ରହିଛି। ପ୍ରତିଦିନ ଶଯ୍ୟାରେ ରୋଗୀ ଭରି ରହୁଛନ୍ତି। ଗୁରୁତର ସ୍ଥିତିରେ ରୋଗୀ ଏଠାକୁ ଆସୁଥିବାରୁ ଶୀଘ୍ର ଡିସ୍ଚାର୍ଜ ମଧ୍ୟ ସମ୍ଭବ ହେଉ ନାହିଁ। ଏଣେ ପ୍ରତିଦିନ ଯେତେ ସଂଖ୍ୟକ ରୋଗୀ ଆସୁଛନ୍ତି; ସେମାନଙ୍କ ମଧ୍ୟରୁ ଅନ୍ୟୂନ ୮ରୁ ୧୦ଜଣଙ୍କୁ ଆଡମିସନ୍ର ଆବଶ୍ୟକତା ପଡ଼ୁଛି। ତେଣୁ ବାଧ୍ୟ ହୋଇ ଗୁରୁତର ରୋଗୀଙ୍କୁ ଆଡମିସନ୍ କରାଯାଇ ବାକିମାନଙ୍କୁ ଆସିବା ପାଇଁ ନୂଆ ତାରିଖ ଦିଆଯାଉଛି। ଏମ୍ସରେ ସ୍ବତନ୍ତ୍ର ଭାବରେ ବର୍ଣ୍ଣ ୟୁନିଟ୍ ଖୋଲିବା ପାଇଁ ନିର୍ମାଣ ଜାରି ରହିଛି। ଏହା ଖୋଲିଲେ ଆଉ କିଛି ଶଯ୍ୟା ମିଳିବ ବୋଲି ଆଶା ରହିଛି। ଅନ୍ୟପକ୍ଷରେ ସ୍ବର୍ଣ୍ଣଙ୍କ ପରିବାର କହିଛନ୍ତି, କଟକ ବଡ଼ ଡାକ୍ତରଖାନାରେ ତାଙ୍କ ଚିକିତ୍ସା ସତ୍ତ୍ବେ ଅସ୍ତ୍ରୋପଚାର ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସେବା ପାଇଁ ଅନ୍ୟୂନ ୧ଲକ୍ଷ ଟଙ୍କା ଆବଶ୍ୟକ। ତାଙ୍କ ପରିବାର ପାଖରେ ଏହି ଟଙ୍କାର ଅଭାବ ରହିଛି। କେହି ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଥିଲେ ମୋ: ୭୮୫୪୯୯୯୩୯୨, ୯୧୭୮୮୬୬୦୦୫ରେ ଯୋଗାଯୋଗ କରିବାକୁ ସେମାନେ ଅନୁରୋଧ କରିଛନ୍ତି।