ଖଣ୍ଡଗିରି: ସିକଲ୍ ସେଲ୍ (ରକ୍ତଶିକୁଳି) ରୋଗର ଅତ୍ୟାଧୁନିକ ଚିକିତ୍ସା ଓ ଏହି କ୍ଷେତ୍ରରେ ବୃହତ୍ତର ଗବେଷଣା ଲାଗି ଏମ୍‌ସ ଭୁବନେଶ୍ୱରକୁ ଉତ୍କର୍ଷତା କେନ୍ଦ୍ର (ସେଣ୍ଟର୍ ଅଫ୍ ଏକ୍ସଲେନ୍ସ) ମାନ୍ୟତା ପ୍ରଦାନ କରାଯିବ। ଆଜି ଏମ୍‌ସ ଭୁବନେଶ୍ୱରରେ ଆୟୋଜିତ ବିଶ୍ୱ ସିକଲ୍‌ ସେଲ୍‌ ସଚେତନତା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ରକ୍ତଶିକୁଳି ରୋଗୀଙ୍କୁ ଉନ୍ନତ ଚିକିତ୍ସା ପ୍ରଦାନ କରିବାରେ ଏମ୍‌ସ ଭୁବନେଶ୍ୱର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସେଣ୍ଟର୍‌ ଅଫ୍‌ ଏକ୍ସଲେନ୍ସ ମାନ୍ୟତା ମିଳିଲେ ସିକଲ୍‌ ସେଲ୍‌ ରୋଗର ଉନ୍ନତ ଗବେଷଣା ତଥା ଗୁଣାତ୍ମକ ଚିକିତ୍ସା ପ୍ରଦାନ କ୍ଷେତ୍ରରେ ଏମ୍‌ସ ଭୁବନେଶ୍ୱରକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀ ଓରାମ କହିଛନ୍ତି। ୨୦୪୭ ସୁଦ୍ଧା ସିକିଲ୍‌ ସେଲ୍‌ ଆନେମିଆକୁ ସମ୍ପୂର୍ଣ୍ଣ ଦୂର କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ। ଏପର୍ଯ୍ୟନ୍ତ ସାରା ଦେଶରେ ୫.୭୯ କୋଟି ଲୋକଙ୍କର ସ୍କ୍ରିନିଂ କରାଯାଇଛି। ସେମାନଙ୍କ ମଧ୍ୟରୁ ୫.୫୫ କୋଟି ଲୋକଙ୍କ ଫଳାଫଳ ନେଗେଟିଭ୍ ଆସିଛି। ୧୬.୩୮ ଲକ୍ଷ ଲୋକଙ୍କୁ ରକ୍ତଶିକୁଳି ରୋଗର ବାହକ ଭାବରେ ଚିହ୍ନଟ କରାଯାଇଥିବା ବେଳେ ୨.୧୦ ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ ଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment

ଏମ୍‌ସ ଭୁବନେଶ୍ୱରରେ ବର୍ତ୍ତମାନ ସାତଶହରୁ ଅଧିକ ପଞ୍ଜୀକୃତ ରକ୍ତଶିକୁଳି ରୋଗୀ ନିୟମିତ ବ୍ୟବଧାନରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ପାଞ୍ଚ ଶହରୁ ଊର୍ଦ୍ଧ୍ବ ୦-୧୯ ବୟସ ବର୍ଗର ବୋଲି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଏମ୍‌ସରେ ଏକାଧିକ ଚିକିତ୍ସା ସୁବିଧା ବ୍ୟବସ୍ଥା ପରିଦର୍ଶନ କରିବା ସହ ରକ୍ତଶିକୁଳି ରୋଗ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଂଶଗ୍ରହଣ କରି କ୍ଲିନିକାଲ୍ କେୟାର, ଉନ୍ନତ ଗବେଷଣା ଓ ଡାକ୍ତରୀ ଶିକ୍ଷାକୁ ଅନ୍ତର୍ଭୁକ୍ତ କରିବାରେ ଏମ୍‌ସ ଭୁବନେଶ୍ବରର ସାମଗ୍ରିକ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଏମ୍‌ଏସ୍‌ ଦିଲୀପ କୁମାର ପରିଡ଼ା, ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର, ଉପନିର୍ଦ୍ଦେଶକ ସନ୍ତୋଷ କୁମାର ରଥ, ହେମାଟୋଲୋଜି ବିଭାଗ ମୁଖ୍ୟ, ଡ.ଆଶୁତୋଷ ପାଣିଗ୍ରାହୀ, ସୋନାଲି ମହାପାତ୍ର, ଦେବାଶିଷ ସାହୁ, ରଶ୍ମିରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।