ତାତିଲେ ଏମ୍ସ ଠିକା ଶ୍ରମିକ: ୭୫୦ ଟଙ୍କା କାଟୁଥିବା ଠିକାଦାରଙ୍କୁ ଗିରଫ ଦାବି

ଭୁବନେଶ୍ବର : ଦରମାରୁ ପ୍ରତିମାସ ୭୫୦ ଟଙ୍କା କଟାଯିବା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ ଏମ୍ସର ୫୦୦ରୁ ଊର୍ଧ୍ବ ଠିକା ଶ୍ରମିକ। ‌ଏହି ଆନ୍ଦୋଳନରେ ୪ ବିଭାଗର ସଫେଇ କର୍ମଚାରୀ, ରୋଗୀ ସେବା କରୁଥିବା ଆଟେଣ୍ଡାଣ୍ଟ ଏବଂ ମାଳି ସାମିଲ ହୋଇଥିଲେ। ସେମାନଙ୍କ ବେତନରୁ ଟଙ୍କା କାଟି ନେଉଥିବା ଠିକାଦାରଙ୍କୁ ଗିରଫ ସମେତ ବିଭିନ୍ନ ଦଫା ଦାବି ନେଇ ଏମ୍ସ ମୁଖ୍ୟ ଫାଟକ ସମ୍ମୁଖରେ ସକାଳ ୭ଟାରୁ ଆନ୍ଦୋଳନ ଆରମ୍ଭ କରିଥିଲେ। ଦାବି ପୂରଣ ନେଇ ଠିକା ସଂସ୍ଥା ଲିଖିତ ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ୧.୩୦ରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଆନ୍ଦୋଳନ ଯୋଗୁଁ ଓପିଡି ସ୍ବାଭାବିକ ରହିଥିଲେ ମଧ୍ୟ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା।

କର୍ମଚାରୀମାନଙ୍କ ଅଭିଯୋଗ ଅନୁଯାୟୀ, ୨୦୧୯ ଅଗଷ୍ଟରୁ ଏହି କର୍ମଚାରୀମାନେ ଏହି ଠିକା ସଂସ୍ଥା ସହିତ କାର୍ଯ୍ୟ କରୁଛନ୍ତି। ପ୍ରତିବର୍ଷ ସରକାରୀସ୍ତରରେ ଦୁଇ ଥର ଦରମା ବଢ଼ିବ ବୋଲି ସେତେବେଳେ ପ୍ରତିଶ୍ରୁତି ଦିଆଯାଇଥିଲା। ଜାତୀୟ ଛୁଟି ସହିତ ବର୍ଷକୁ ୩ଟି ଛୁଟିର ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା। କିନ୍ତୁ ତାହା ହେଲା ନାହିଁ। ବରଂ ସେମାନଙ୍କ ବେତନରୁ ଟଙ୍କା କାଟି ଦିଆଯାଉଛି। ଯେଉଁ ଦରମା ମଧ୍ୟ ଦିଆଯାଉଛି ତାହା ମଧ୍ୟ ଠିକ ଭାବରେ ମିଳୁ ନାହିଁ କି ସାଲାରି ସ୍ଲିପ ମଧ୍ୟ ଦିଆଯାଉନାହିଁ। କର୍ମଚାରୀମାନେ କହିଛନ୍ତି, ଦିଲ୍ଲୀ ଏବଂ ଭୋପାଳ ଏମ୍ସରେ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ମାସକୁ ୧୮ ହଜାର ଟଙ୍କା ବେତନ ପାଆନ୍ତି। କିନ୍ତୁ ଏମ୍ସ ଭୁବନେଶ୍ବରରେ ସେମାନଙ୍କୁ ୧୧ ହଜାର ୫୦୦ ଟଙ୍କା ଦିଆଯାଉଛି। ଏମ୍ସର ଅନ୍ୟ ଠିକା ସଂସ୍ଥା ବିଆଇଏସରେ କାର୍ଯ୍ୟରତ ଠିକା କର୍ମଚାରୀମାନଙ୍କର ଛୁଟି ସହିତ ଅଧିକ ବେତନ ମିଳୁଛି। କର୍ମଚାରୀଙ୍କ ସାଲାରି ସ୍ଲିପ ନଥିବାରୁ ଋଣ କରିପାରୁ ନାହାନ୍ତି। ଆଜିର ଆନ୍ଦୋଳନରେ ଶ୍ରମିକ ଛଟେଇ ବନ୍ଦ, କାଟି ନିଆଯାଉଥିବା ଟଙ୍କା ଫେରସ୍ତ, ସାଲାରି ସ୍ଲିପ ପ୍ରଦାନ, ବୋନସ, ଇଏସଆଇ, ଇପିଏଫ ପ୍ରଦାନ, ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି, ସମାନ କାମକୁ ସମାନ ଦରମା, ଠିକା ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି, ଶ୍ରମ ଆଇନ ଅନୁଯାୟୀ ଛୁଟି ଏବଂ ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ ପାଇଁ ଦାବି କରାଯାଇଥିଲା। ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ କରିବେ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର