ଏମ୍‌ସ ପ୍ରବେଶିକା ପରୀକ୍ଷା ଆରମ୍ଭ : ଓଡ଼ିଶାରୁ ୧୯,୨୬୨ ପରୀକ୍ଷାର୍ଥୀ, ୧୫ ଏମ୍‌ସର ୧୨୦୭ ଏମ୍‌ବିବିଏସ୍‌ ସିଟ୍‌ରେ ନାମଲେଖା ହେବ

ଭୁବନେଶ୍ବର : ଭୁବନେଶ୍ବର ସମେତ ଦେଶରେ ଥିବା ୧୫ଟି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ଗୁଡ଼ିକର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ଆରମ୍ଭ ହୋଇଛି। ଦେଶର ୧୫୧ ସହରର ପରୀକ୍ଷା କେନ୍ଦ୍ର‌ରେ ୩ ଲକ୍ଷ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ହେଉଥିବା ଏହି ପରୀକ୍ଷାର ପ୍ରଥମ ଦିନ ସୁରୁଖୁରରେ ଶେଷ ହୋଇଛି। ଓଡ଼ିଶାରୁ ୧୯ ହଜାର ୨୬୨ ଜଣ ପରୀକ୍ଷାର୍ଥୀ ଏଥିରେ ଭାଗ ନେଇଥିବା ପରୀକ୍ଷା ପରିଚାଳନା କରୁଥିବା ଦିଲ୍ଲୀ ଏମ୍‌ସ ପକ୍ଷରୁ ସୂଚନା ମିଳିଛି।

ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେଉଛି। ପ୍ରଥମ ସିଟିଂ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଓ ଦ୍ବିତୀୟ ସିଟିଂ ପରୀକ୍ଷା‌ ଅପରାହ୍‌ଣ ୩ଟାରୁ ୬ଟା ୩୦ ଯାଏ ଚାଲୁଛି। ପରୀକ୍ଷାର ସୁପରିଚାଳନା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ବର ସମେତ ବାଲେଶ୍ବର, ସମ୍ବଲପୁର, କଟକ, ବ୍ରହ୍ମପୁର, ଢେଙ୍କାନାଳ ଓ ରାଉରକେଲାରେ ପରୀକ୍ଷା କେନ୍ଦ୍ର ହୋଇଛି। ପ୍ରବେଶିକା ପରୀକ୍ଷା ଫଳ ଜୁନ୍‌ ୧୨ରେ ପ୍ରକାଶ ପାଇବ। ଜୁନ୍‌ ଶେଷ ସପ୍ତାହଠାରୁ ନାମଲେଖା ଲାଗି କାଉନସେଲିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ଭୁବନେଶ୍ବର ସମେତ ଦେଶରେ ଥିବା ୧୫ଟି ଏମ୍‌ସର ୧୨୦୭ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଛି। ଦିଲ୍ଲୀ ଏମ୍‌ସର ୧୦୭ ସିଟ୍‌ ସମେତ ଭୋପାଳ, ଭୁବନେଶ୍ବର ଗୁଣ୍ଟୁର, ଯୋଧପୁର, ନାଗପୁର, ପାଟଣା, ରାୟପୁର, ଓ ଋଷିକେଶ ଏମ୍‌ସର ଶହେ ଲେଖାଏ ସିଟ୍‌ ଲାଗି ନାମଲେଖା ହେବ। ଏଥିସହ ଭଟିଣ୍ଡା, ଗୋରଖପୁର, କଲ୍ୟାଣୀ, ବରେଲି, ଦେଓଗଡ଼, ତେଲେଙ୍ଗାନା ଏମ୍‌ସର ୫୦ଟି ଲେଖାଏ ସିଟ୍‌ରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା କରାଯାଉଛି।

ସମ୍ବନ୍ଧିତ ଖବର