ତରଳ ଅମ୍ଳଜାନ ପ୍ଲାଣ୍ଟ ଅଧିକ ଜରୁରୀ

ଏମ୍‌ସ ହେଲିପ୍ୟାଡ୍‌ ସ୍ଥାନାନ୍ତର ପ୍ରସଙ୍ଗ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍‌ସର ଟ୍ରମା ସେଣ୍ଟର ନିକଟରେ ପ୍ରତିଷ୍ଠା ହେବାକୁ ଥିବା ହେଲିପ୍ୟାଡ୍‌କୁ ଅଳ୍ପ କିଛି ଦୂରକୁ ସ୍ଥାନାନ୍ତର କରାଯିବ। ଟ୍ରମା ସେଣ୍ଟର ନିକଟରେ ତରଳ ଅମ୍ଳଜାନ ପ୍ଲାଣ୍ଟ ପ୍ରତିଷ୍ଠାର ଅଧିକ ଆବଶ୍ୟକତା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି। ହେଲିପ୍ୟାଡ୍‌ ପାଇଁ ଯେଉଁ ସ୍ଥାନ ଚିହ୍ନଟ ହୋଇଛି, ତାହା ଟ୍ରମା ସେଣ୍ଟର୍‌ଠାରୁ ଅଧିକ ଦୂର ନୁହେଁ ବୋଲି ଏମ୍‌ସ କର୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାନୁସାରେ, ଟ୍ରମା ସେଣ୍ଟର୍‌କୁ ଲାଗି ହେଲିପ୍ୟାଡ୍‌ ନିର୍ମାଣ କରାଯିବାର ଥିଲା। ଏଥିପାଇଁ ନକ୍‌ସା ବି ପ୍ରସ୍ତୁତ ହୋଇ ସାରିଥିଲା। ମାଓପ୍ରବଣ ଜିଲ୍ଲାମାନଙ୍କରୁ ଆହତ ସୈନିକମାନଙ୍କୁ ହେଲିକପ୍ଟର ଯୋଗେ ଅଣାଯାଇ ତୁରନ୍ତ ଚିକିତ୍ସା ଯୋଗାଇବା ଲକ୍ଷ୍ୟରେ ହେଲିପ୍ୟାଡ୍‌କୁ ଟ୍ରମା ସେଣ୍ଟର୍‌ ନିକଟରେ ପ୍ରତିଷ୍ଠା କରାଯିବାର ଥିଲା। ମାତ୍ର ପରେ ତରଳ ଅମ୍ଳଜାନ ପ୍ଲାଣ୍ଟ ପାଇଁ ଏହି ନକ୍‌ସାରେ ପରିବର୍ତନ ଅଣାଯାଇଛି। ଟ୍ରମା ସେଣ୍ଟର୍‌ ନିକଟରେ ଅମ୍ଳଜାନ ପ୍ଲାଣ୍ଟ ରହିବା ଖୁବ୍‌ ଜରୁରୀ। ଅନ୍ୟପଟେ ଏକ୍‌ସପ୍ଲୋସିଭ୍‌ ଆକ୍‌ଟ ଅନୁସାରେ ତରଳ ଅମ୍ଳଜାନ ପ୍ଲାଣ୍ଟ ନିକଟରେ ହେଲିପ୍ୟାଡ୍‌ ରହି ପାରିବ ନାହିଁ। ତେଣୁ ଚିକିତ୍ସା ସେବାର ପ୍ରାଥମିକତା ଦୃଷ୍ଟିରୁ ନକ୍‌ସାକୁ ବଦଳାଇ ହେଲିପ୍ୟାଡ୍‌ ପାଇଁ ପ୍ରସ୍ତାବିତ ଜମିରେ ଅମ୍ଳଜାନ ପ୍ଲାଣ୍ଟ୍‌ ପ୍ରତିଷ୍ଠା କରାଯାଇଛି। ଆସନ୍ତା ୧୬ ତାରିଖରେ ଉପରାଷ୍ଟ୍ରପତି ଏମ୍‌ ଭେଙ୍କେୟା ନାଇଡୁ ଏହାକୁ ଉଦ୍‌ଘାଟନ କରିବେ। ପୁଣି ଏମ୍‌ସରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ରୋଗୀ ସମ୍ପର୍କୀୟମାନଙ୍କ ରହିବା ପାଇଁ ଏକ ଧର୍ମଶାଳାର ଆବଶ୍ୟକତା ମଧ୍ୟ ରହିଛି। ଅମ୍ଳଜାନ ପ୍ଲାଣ୍ଟ ପ୍ରତିଷ୍ଠା ପରେ ଅବଶିଷ୍ଟ ଜମିରେ ଏକ ଧର୍ମଶାଳା ପ୍ରତିଷ୍ଠା କରାଯିବ। ନାଲ୍‌କୋ ଦ୍ୱାରା ନିର୍ମାଣ ହେବାକୁ ଥିବା ଏହି ଧର୍ମଶାଳାରେ ୫୦୦ ଶଯ୍ୟା ରହିବ। ଫଳରେ ଟ୍ରମା ସେଣ୍ଟର୍‌ରେ ଚିକିତ୍ସାଧୀନ ରୋଗୀମାନଙ୍କ ଆଟେଣ୍ଡାଣ୍ଟ ବା ସମ୍ପର୍କୀୟମାନଙ୍କ ରହିବାରେ ଆଉ ସମସ୍ୟା ହେବ ନାହିଁ। ୧୬ ତାରିଖରେ ଉପରାଷ୍ଟ୍ରପତି ଏହି ଧର୍ମଶାଳା ପାଇଁ ଶିଳାନ୍ୟାସ କରିବେ। ହେଲିପ୍ୟାଡ୍‌ ସ୍ଥାନାନ୍ତରକୁ ନେଇ ଉଠିଥିବା ବିତର୍କ ଉପରେ ମତ ରଖି ଏମ୍‌ସ କର୍ତୃପକ୍ଷ ସୂଚନା ଦେଇଛନ୍ତି ଯେ ଏବେ ହେଲିପ୍ୟାଡ୍‌ ପାଇଁ ଯେଉଁ ସ୍ଥାନକୁ ଚିହ୍ନଟ କରାଯାଇଛି, ତାହା ଟ୍ରମା ସେଣ୍ଟର୍‌ଠାରୁ ବିଶେଷ ଦୂରତାରେ ନାହିଁ। ତେଣୁ ହେଲିକପ୍ଟର ଯୋଗେ ଆସିବାକୁ ଥିବା ରୋଗୀଙ୍କ ଆଶୁ ଚିକିତ୍ସା ପାଇଁ କୌଣସି ସମସ୍ୟା ହେବ ନାହିଁ। ପୁଣି ଆଗକୁ ଟ୍ରମା ସେଣ୍ଟରର କଳେବର ମଧ୍ୟ ବଢ଼ିବାର ରହିଛି। ନିର୍ମାଣାଧୀନ ସମସ୍ତ ଅପରେସନ୍‌ ଥିଏଟର କାର୍ଯ୍ୟକ୍ଷମ ହେବା ପରେ ଏହାକୁ ସଂପ୍ରସାରଣ କରାଯିବ। ତେଣୁ ପ୍ରସ୍ତାବିତ ହେଲିପ୍ୟାଡ୍‌ ଓ ଟ୍ରମା ସେଣ୍ଟର ମଧ୍ୟରେ ଦୂରତ୍ୱକୁ ନେଇ ଯେଉଁ ସମସ୍ୟାର ଆଶଙ୍କା କରାଯାଉଛି, ତାହା ଆଦୌ ରହିବ ନାହିଁ। ତେବେ ଏନେଇ ଏମ୍‌ସ କର୍ତୃପକ୍ଷ ଖୁବ୍‌ ଶୀଘ୍ର ଏକ ପ୍ରେସ୍‌ ରିଲିଜ୍‌ ଜାରି କରିବାକୁ ଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର