ଭୁବନେଶ୍ବର: ଏମ୍‌ସ ଭୁବନେଶ୍ବରରେ ୪୭.୮ ପ୍ରତିଶତ ମହିଳା କର୍ମଚାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ନର୍ସିଂ ଓ ସଫେଇ କର୍ମଚାରୀ ବର୍ଗରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ। ତେବେ ଏଠାରେ ମହିଳା ଫାକ୍‌ଲଟିଙ୍କ ସଂଖ୍ୟା ମାତ୍ର ୩୩ ପ୍ରତିଶତ। କିନ୍ତୁ ଗବେଷଣା କ୍ଷେତ୍ରରେ ମହିଳା ଫାକ୍‌ଲଟିଙ୍କ ଅବଦାନ ଉଲ୍ଲେଖନୀୟ।

Advertisment

ଏମ୍‌ସ ଫାକ୍‌ଲଟି କେବଳ ଚିକିତ୍ସା କରନ୍ତି ନାହିଁ, ଗବେଷଣା କ୍ଷେତ୍ରରେ ସେମାନଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ପାରିବାରିକ, ସାମାଜିକ ଚାପର ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ମହିଳା ଫାକ୍‌ଲଟିମାନେ ବେଶ୍‌ ଆଗରେ ଅଛନ୍ତି। ଅନେକଙ୍କୁ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ କରାଯାଇଛି। ଏମାନଙ୍କ ମଧ୍ୟରୁ ଜଣେ ହେଲେ ପ୍ରସୂତି ରୋଗ ବିଭାଗର ଅତିରିକ୍ତ ପ୍ରଫେସର୍‌ ଶ୍ବେତା ସିଂ। ସେ ଏବେ ଆଇଆଇଟି କାନପୁର ପ୍ରଫେସର୍‌ ଅସୀମା ପ୍ରଧାନଙ୍କ ସହିତ ମିଳିତ ଭାବେ ଲେଜର ଜରିଆରେ ଜରାୟୁ କର୍କଟ ଚିହ୍ନଟ ନେଇ ଗବେଷଣା କରୁଛନ୍ତି। ଏହା ପୂର୍ବରୁ ସେ ଗର୍ଭବତୀ ମହିଳାଙ୍କ ରକ୍ତଚାପ, ବାତରୋଗ ଉପରେ ଗବେଷଣା କରି ସଫଳତା ପାଇଥିଲେ।

ଏଥିପାଇଁ ତାଙ୍କୁ ଏପ୍ରିଲ୍‌ରେ ଜାତୀୟସ୍ତରୀୟ ମହିଳା-ପ୍ରସୂତି ଫେଡେରେସନ୍‌ ସୋସାଇଟି (ଫୋଗସି ମୁଭିକଲ ଆୱାର୍ଡ) ପ୍ରଦାନ କରାଯିବ। ଡା. ଶ୍ବେତାଙ୍କ ଭଳି ମାଇକ୍ରୋବାୟୋଲୋଜି ବିଭାଗର ପ୍ରଫେସର ଡା. ବୈଜୟନ୍ତୀ, କମ୍ୟୁନିଟି ମେଡିସିନ ବିଭାଗର ଡା. ସ୍ବୟଂପ୍ରଜ୍ଞା, ମନସ୍ତତ୍ବ ବିଭାଗର ଡା. ଦେବଦତ୍ତା ମହାପାତ୍ର ଆଦି ଆହୁରି ଅନେକ ଫାକ୍‌ଲଟି ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ପରିବାର ଓ ବୃତ୍ତି ମଧ୍ୟରେ ସମନ୍ବୟ ପ୍ରତିଷ୍ଠାକୁ ନେଇ ଡା. ଶ୍ବେତା କହନ୍ତି, କେବଳ ସେ କାହିଁକି, ପ୍ରତ୍ୟେକ ମହିଳା ଏକ ସମୟରେ ଏକାଧିକ କାର୍ଯ୍ୟ କରିପାରନ୍ତି। ସକାଳ ସାଢ଼େ ୮ରୁ ସାଢ଼େ ୫ ପର୍ଯ୍ୟନ୍ତ ବୃତ୍ତିଗତ ଜୀବନ ଓ ଏହା ପରେ ସେ ଗୃହିଣୀ ହୋଇଯାଆନ୍ତି। ଯେକୌଣସି ମୁହୂର୍ତ୍ତରେ କୌଣସି ରୋଗୀଙ୍କୁ ସହଯୋଗ କରିବାକୁ ପଡ଼ିଲେ, ସେ ଫୋନ୍‌ରେ ପରାମର୍ଶ ଦିଅନ୍ତି କିମ୍ବା ଜରୁରୀ କ୍ଷେତ୍ରରେ ଚିକିତ୍ସା ପାଇଁ ଯାଆନ୍ତି।

publive-image

ଏଠାରେ କାର୍ଯ୍ୟରତ ତୃତୀୟ ଓ ଚତୁର୍ଥ ଶ୍ରେଣୀ ମହିଳା କର୍ମଚାରୀମାନେ ମଧ୍ୟ କମ୍‌ ନୁହଁନ୍ତି। ହାଉସ୍‌ କିପିଂ କର୍ମଚାରୀ ଶିବାନୀ ସାହୁ କହନ୍ତି, ତାଙ୍କର ବଡ଼ ପରିବାର। ବାପା ମା’ଙ୍କୁ ଆର୍ଥିକ ସହଯୋଗ କରିବା ପାଇଁ ସେ ନୟାଗଡ଼ରୁ ଆସି ଭୁବନେଶ୍ବରରେ ରହୁଛନ୍ତି। ଆଇସିୟୁ ସଫେଇ ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ତାଙ୍କ ଉପରେ ରହିଛି। ଯେତେ କଷ୍ଟକର ଓ ପ୍ରତିକୂଳ ପରିସ୍ଥିତି ହେଲେ ମଧ୍ୟ ସେ ସମ୍ପୂର୍ଣ୍ଣ ୮ ଘଣ୍ଟା ଆଇସିୟୁରେ ରହନ୍ତି। ପରିବାରକୁ ସହଯୋଗ କରିବା ସହିତ ରୋଗୀ ସେବାରେ ନିଜକୁ ନିୟୋଜିତ କରିପାରୁଥିବାରୁ ସେ ଗର୍ବିତ ବୋଲି କହନ୍ତି ଶିବାନୀ।