ଭୁବନେଶ୍ବର: ଭିନ୍ନ ଭିନ୍ନ ସଂସ୍ଥାରେ ପଦବି ଖାଲିଥିବା ଦର୍ଶାଇ ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ ଭଳି ସୋସିଆଲ୍ ମିଡିଆରେ ବିଜ୍ଞାପନ ଦେଉଥିଲେ। ଆଉ ଚାକିରି କରାଇଦେବା ପାଇଁ ମୋଟା ଅଙ୍କର ଟଙ୍କା ଦାବି କରୁଥିଲେ। ଆକାଉଣ୍ଟରେ ଟଙ୍କା ନେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମସ୍ତ ଆକାଉଣ୍ଟକୁ ବ୍ଲକ କରିଦେଉଥିଲେ। ଏମିତି ଲୋକଙ୍କୁ ଭୂଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଚୂନ ଲଗାଇଥିବା ଏକ ସାଇବର ଲୁଟେରା ଗ୍ୟାଙ୍ଗର ୪ଜଣଙ୍କୁ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ବାଣପୁର ନଚ୍ଛିପୁରୀ ଅଞ୍ଚଳର ବାଦଲ ଦାସ(୨୩), ଗମ୍ଭାରୀମୁଣ୍ଡା ଅଞ୍ଚଳର ସଞ୍ଜୟ କୁମାର ସାହୁ(୨୬), ସୁନୀଲ ସେଠୀ(୨୯) ଏବଂ ଅଜୟ କୁମାର ଜେନା(୨୫)। ପୁଲିସ ସେମାନଙ୍କଠାରୁ ୮୦ ହଜାର ଟଙ୍କା, ମୋବାଇଲ୍ ଫୋନ୍ ଏବଂ ବିପୁଳ ପରିମାଣର ପ୍ରି ଆକ୍ଟିଭେଟେଡ୍ ସିମ୍ ଜବତ କରିଛି।
ସୂଚନା ମୁତାବକ, କିଛିଦିନ ତଳେ ଅଭଯୁକ୍ତମାନେ ଏମ୍ସରେ କିଛି ପଦବି ଖାଲିଥିବା ଫେସ୍ବୁକ୍ରେ ବିଜ୍ଞାପନ ଦେଇଥିଲେ। ଗତ ୨୪ ତାରିଖରେ ବିଜ୍ଞାପନ ଦେଖି ପାତ୍ରପଡ଼ା ଅଞ୍ଚଳର ରଶ୍ମିରେଖା ନାୟକ ନାମକ ଜଣେ ଯୁବତୀ ବାଦଲ ସହ ଯୋଗାଯୋଗ କରିଥିଲେ। ସେତେବେଳେ ବାଦଲ ନିଜକୁ ଆକାଶ ମହାପାତ୍ର ବୋଲି ପରିଚୟ ଦେଇ ଏମ୍ସର ଏଚ୍ଆର୍ ହେଡ୍ ଥିବା କହିଥିଲେ। ଯୁବତୀଙ୍କ ମନରେ ବିଶ୍ବାସ ଆଣିବା ପାଇଁ ତାଙ୍କ ହ୍ବାଟସ୍ଆପ୍ ନମ୍ବରକୁ ବଭିନ୍ନ ଜାଲ୍ ପରିଚୟ ପତ୍ର ଦେଇଥିଲେ। ଯୁବତୀଙ୍କ ବିଶ୍ବାସ ଆସିବା ପରେ ୮ଜଣ ଚାକିରି ପାଇଁ ଆଗ୍ରହୀ ଥିବା କହିଥିଲେ। ଏହାପରେ ଜଣପିଛା ୩୦ ହଜାର ହିସାବରେ ଅଗ୍ରିମ ୨ଲକ୍ଷ ୪୦ହଜାର ଟଙ୍କା ନେଇଥିଲେ। ଟଙ୍କା ନେବା ପରେ ଯୁବତୀଙ୍କ ନମ୍ବର, ସୋସିଆଲ୍ ମିଡିଆ ଆକାଉଣ୍ଟକୁ ବ୍ଲକ କରିଦେଇଥିଲେ।
ଠକାମିର ଶିକାର ହୋଇଥିବା ଜାଣିବା ପରେ ଯୁବତୀ ସାଇବର ଥାନାରେ ଅଭିଯୋଗ କରିଥିଲେ। ଏନେଇ ସାଇବର ଥାନା ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଓ ମୋବାଇଲ୍ ଡିଟେଲ୍ସ ଯାଞ୍ଚ କରି ପୁଲିସ ସେମାନଙ୍କ ଠିକଣା ଠାବ କରିଥିଲା। ଏହାପରେ ପୁଲିସର ଟିମ୍ ପ୍ରଥମେ ମୁଖ୍ୟ ଅଭିଯୁକ୍ତ ବାଦଲକୁ ବାଣପୁରରୁ ଗିରଫ କରିବା ପରେ ଧୀରେ ଧୀରେ ଗ୍ୟାଙ୍ଗର ଗୁମର ଖୋଲିଥିଲା। ପରେ ପୁଲିସ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଚଢ଼ଉ କରି ସେଠାରୁ ସଞ୍ଜୟ ଓ ସୁନୀଲ ଏବଂ ବାଲେଶ୍ବରରୁ ଅଜୟକୁ ଗିରଫ କରିଥିଲା। ଚଢ଼ଉ ବେଳେ ପୁଲିସ ସେମାନଙ୍କ ଠାରୁ ୮୦ ହଜାର ଟଙ୍କା, ମୋବାଇଲ୍ ଫୋନ ଏବଂ ବହୁ ପ୍ରି-ଆକ୍ଟିଭେଟେଡ୍ ସିମ୍ ଜବତ କରିଥିଲା। ଜେରା ବେଳେ ଜଣାପଡ଼ିଥିଲା ଯେ, ମୁଖ୍ୟ ଅଭିଯୁକ୍ତ ବାଦଲ ଅଜୟ ଏବଂ ଅନ୍ୟମାନଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ବ୍ୟବହାର କରି ଲୋକଙ୍କୁ ଠକିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିଲା। ଆଉ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଷ୍ଟେସନାରି ଦୋକାନ କରିଥିବା ସୁନୀଲ ଓ ସଞ୍ଜୟ ସୁଯୋଗ ନେଇ ଅଭିଯୁକ୍ତଙ୍କୁ ପ୍ରି-ଆକ୍ଟିଭେଟେଡ୍ ସିମ୍ ଯୋଗାଉଥିଲେ। ଏଥିପାଇଁ ସେମାନେ ମୋଟା ଅଙ୍କର ଟଙ୍କା ନେଉଥିଲେ। ଗତ ୫ମାସ ହେବ ଏହି ଗ୍ୟାଙ୍ଗ ବିଭିନ୍ନ ଲୋକଙ୍କୁ ଠକୁଥିବା ଜଣାପଡ଼ିଛି। ଜେରା ପରେ ପୁଲିସ ସମସ୍ତ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।