ଏମ୍‌ସ କଶ୍ମୀର ଛାତ୍ର ନିଖୋଜ ମାମଲା : ଗୁର୍‌ଗାଓଁରେ ଲାଗିଲା ପୋଷ୍ଟର

ଖଣ୍ଡଗିରି: ନିଖୋଜ ଏମ୍‌ସ ଛାତ୍ର ସୋହେଲ୍‌କୁ ଦିଲ୍ଲୀରେ ଖୋଜୁଥିବା ପୁଲିସ ଟିମ୍‌ ଦ୍ୱିତୀୟ ଦିନରେ ମଧ୍ୟ ସଫଳତା ପାଇନଥିବା ଜଣାପଡ଼ିଛି। ଗୁର୍‌ଗାଓଁର ସେକ୍ଟର ୪୪ ଅଞ୍ଚଳରେ ପୁଲିସ ପୋଷ୍ଟର ଲଗାଇ ପଚରାଉଚରା ଜାରି ରଖିଥିଲେ ମଧ୍ୟ କୌଣସି ସ୍ପଷ୍ଟ ଚିତ୍ର ମିଳି ପାରିନାହିଁ। ପୁଲିସ ଟିମ୍‌ ସେହି ସ୍ଥାନୀୟ ଅଞ୍ଚଳର ବିଭିନ୍ନ କମ୍ପାନି, ମାର୍କେଟ୍‌ ଓ ପାର୍କିଂ ଅଞ୍ଚଳରେ ପୋଷ୍ଟର ଲଗାଇ ସୋହେଲ୍‌କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛି। ସ୍ଥାନୀୟ କିଛି ଲୋକଙ୍କଠାରୁ ସୋହେଲ୍‌ ବାବଦରେ ସୁରାକ୍‌ ମିଳିଥିବାରୁ ପୁଲିସ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ପୁଲିସ ମଧ୍ୟ ସେହି ଆଧାରରେ ସୋହେଲ୍‌କୁ ଠାବ କରାଯିବା ନେଇ ଆଶାବାଦୀ ରହିଛି। ଗୁରୁତ୍ୱପୂର୍ଣ କଥା ହେଉଛି ଯେଉଁ ଲୋକଟି ପ୍ରଥମେ ସୋହେଲ୍‌କୁ ଦେଖିଥିବା ନେଇ ଫୋନ୍‌ କରିଥିଲା, ତାକୁ ପୁଲିସ ଭେଟି ପାରିନାହିଁ। ସୋହେଲ୍‌ଙ୍କ ବାପା ଏଜାଜ୍‌ଙ୍କୁ ଫୋନ୍‌ କରିଥିବା ସମ୍ପର୍କୀୟ ଭାଇ ପୁଲିସ ନିକଟରେ ପହଞ୍ଚିବା ପରେ ତାଙ୍କୁ ଫୋନ୍‌ କରିଥିବା ଯୁବକଙ୍କ କଥା ଉଠିଥିଲା। ଉକ୍ତ ଯୁବକ ଜଣଙ୍କ ରାଜସ୍ଥାନ ମେଓ୍ଵାର ଅଞ୍ଚଳର। ସେ ପୁଲିସ ପଚରାଉଚରାକୁ ଏଡ଼ାଇ ଯାଇଛି। ସୋହେଲ୍‌ ଭଳି ଦେଖାଯାଉଥିବା ଜଣେ ଯୁବକକୁ ଦେଖି ସେ ସନ୍ଦେହ କରିଥିଲେ ବୋଲି ଜଣାଇବା ସହ ଆଉ କିଛି ସାହାଯ୍ୟ କରି ପାରିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି। ତେବେ ସେହି ମେଓ୍ଵାର ଯୁବକଙ୍କ ସୂଚନାନୁସାରେ ପୁଲିସ ଆଜି ଦ୍ୱିତୀୟ ଦିନରେ ଗୁର୍‌ଗାଓଁର ସେକ୍ଟର-୪୪ ଅଞ୍ଚଳରେ ତଲାସି ଚଳାଇଥିଲା। ସେକ୍ଟର-୪୪ ଥାନା ପୁଲିସ ସହଯୋଗରେ ବିଭିନ୍ନ ଲୋକଙ୍କୁ ଫଟୋ ଦେଖାଇ ପଚରାଉଚରା କରାଯାଇଥିଲା ଓ କେହି ଦେଖିଲେ ପୁଲିସକୁ ଜଣାଇବା ପାଇଁ କୁହାଯାଇଥିଲା। କିଛି ଲୋକ ସୋହେଲ୍‌ଙ୍କ ଫଟୋ ଦେଖି ଚିହ୍ନିବା ଭଳି ସନ୍ଦେହ ପ୍ରକଟ କରିଥିଲେ। ସେହି ଭଳି ଜଣେ ଯୁବକ ୧୦/୧୨ ଦିନ ପୂର୍ବେ ସେହି ଅଞ୍ଚଳରେ ବୁଲୁଥିବା ନେଇ ସେମାନେ ପୁଲିସକୁ ସୂଚନା ଦେଇଥିଲେ। ତେଣୁ ସୋହେଲ୍‌ ମିଳିଯିବା ନେ୍‌ଇ ପୁଲିସ ଆଶାବାଦୀ ହୋଇପଡ଼ିଥିଲା। ତେଣୁ ଜନଗହଳି ପୂର୍ଣ କିଛି ସ୍ଥାନରେ ସୋହେଲ୍‌ଙ୍କ ଫଟୋ ଥିବା ପୋଷ୍ଟର ଲଗାଯାଇଥିଲା। କାଳେ ସ୍ଥାନୀୟ କେଉଁ କମ୍ପାନିରେ ସୋହେଲ୍‌ କାମ କରୁଥାଇ ପାରେ ବୋଲି ପୁଲିସ ଅନୁମାନ କରୁଛି। ସୂଚନାନୁସାରେ ଆସନ୍ତାକାଲି ରବିବାର ଛୁଟି ପଡ଼ୁଥିବାରୁ ପୁଲିସକୁ ସ୍ଥାନୀୟ ଲୋକଙ୍କ ସହଯୋଗ କମ୍‌ ମିଳିପାରେ। ତେଣୁ ସ୍ଥାନୀୟ ଲୋକଙ୍କ ସୂଚନା ଯଦି ଠିକ୍‌ ହୋଇଥାଏ, ତେବେ ସୋମବାର ସୁଦ୍ଧା କିଛି ନା କିଛି ସୁଫଳ ମିଳିଯିବ ବୋଲି ପୁଲିସ ଆଶା ବାନ୍ଧିଛି।

ଟେରରିଷ୍ଟ୍‍ ଲିଙ୍କ୍‌ ଉପରୁ ସନ୍ଦେହ ହଟୁଛି
ଜମ୍ମୁକଶ୍ମୀରର ଆତଙ୍କବାଦୀପ୍ରବଣ ଜିଲ୍ଲା କୁପ୍‌ଓ୍ଵାଡ଼ାରେ ସୋହେଲ୍‌ଙ୍କ ଘର ହୋଇଥିବାରୁ ତାଙ୍କ ନିଖୋଜ ହେବା ପଛରେ ଆତଙ୍କବାଦୀ ସଂଗଠନର ଲିଙ୍କ୍‌ ନେଇ ସନ୍ଦେହ କରାଯାଇଥିଲା। ଚଣ୍ଡୀଗଡ଼ରେ ବିବାହ ଉତ୍ସବରେ ଯୋଗ ଦେବାକୁ ମିଛ କହି ସେ ନିଖୋଜ ହୋଇ ଯାଇଥିବାରୁ ସମସ୍ତଙ୍କ ନଜର ଆତଙ୍କବାଦୀ ସଂଗଠନ ଲିଙ୍କ୍‌ ଆଡ଼କୁ ଯାଇଥିଲା। ଏମିତିକି ତାଙ୍କ ବାପା ମା ମଧ୍ୟ ସେହି ଆଶଙ୍କା କରିଥିଲେ। ତେଣୁ ସୋସିଆଲ୍‌ ମିଡିଆରେ ସେମାନେ ସୋହେଲ୍‌ଙ୍କ ଉଦ୍ଦେଶ୍ୟରେ କୌଣସି ମନ୍ଦ ରାସ୍ତା ନ ଧରିବାକୁ ନିବେଦନ କରିଥିଲେ। କିନ୍ତୁ ଆଜି ଗୁର୍‌ଗାଓଁ ସେକ୍ଟର-୪୪ର କିଛି ଲୋକ ସୋହେଲ୍‌ ଭଳି ଜଣେ ଯୁବକକୁ ଦେଖିଥିବା ଜଣାଇବା ପରେ ତାଙ୍କ ପରିବାର ଲୋକେ ଆଶ୍ୱସ୍ତ ହୋଇଛନ୍ତି। ପୁଲିସ ସମେତ ବାପା ଏଜାଜ୍‌ ଓ ଅନ୍ୟ ସମ୍ପର୍କୀୟମାନେ ସୋହେଲ୍‌ଙ୍କୁ ପାଇଯିବା ନେଇ ଆଶାବାଦୀ ହୋଇପଡ଼ିଛନ୍ତି। ତେଣୁ ସୋହେଲ୍‌ର ଆତଙ୍କବାଦୀ ଲିଙ୍କ୍‌ ପ୍ରସଙ୍ଗ ଉପରୁ କିଛିଟା ସନ୍ଦେହ ମୋଚନ ହୋଇଛି। ମାତ୍ର ସୋହେଲ୍‌ ଠାବ ନ ହେବା ପର୍ଯ୍ୟନ୍ତ ପୁଲିସ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନାହିଁ।

ସମ୍ବନ୍ଧିତ ଖବର