ଖଣ୍ଡଗିରି : ଭୁବନେଶ୍ୱର ଏମ୍ସର କଶ୍ମୀର ଛାତ୍ର ସୋହେଲ୍ ଆଇଜାଦ୍ ନିଖୋଜ ମାମଲାର ଖୋଳତାଡ଼ କରିବା ପାଇଁ ଖଣ୍ଡଗିରି ଥାନାରୁ କମିସନରେଟ୍ ପୁଲିସର ଏକ ୪ଜଣିଆ ଟିମ୍ ହାଓ୍ଵଡ଼ା ଅଭିମୁଖେ ଯାତ୍ରା କରିଛି। ଏହି ଟିମ୍ ହାଓ୍ଵଡ଼ା ଓ ନିକଟସ୍ଥ କିଛି ଥାନା ବୁଲି ସେସବୁ ଥାନାରେ ରୁଜୁ ହୋଇଥିବା ବିଭିନ୍ନ ଅପମୃତ୍ୟୁ ମାମଲାର ଛାନ୍ଭିନ୍ କରିବ ବୋଲି ସୂଚନା ମିଳିଛି। ଏ ବାବଦରେ ପଶ୍ଚିମବଙ୍ଗ ତଥା ହାଓ୍ଵଡ଼ା ପୁଲିସକୁ ବିସ୍ତୃତ ବିବରଣୀ ଦେବା ଲକ୍ଷ୍ୟରେ ଖଣ୍ଡଗିରି ଥାନା ପୁଲିସ ଟିମ୍ ଏଭଳି ପଦକ୍ଷେପ ନେଇଛନ୍ତି। ହାଓ୍ଵଡ଼ା ପୁଲିସ ସହଯୋଗରେ କମିସନରେଟ୍ ପୁଲିସ ନିଖୋଜ ସୋହେଲଙ୍କ ସନ୍ଧାନ ପାଇବା ଆଶା ରଖିଥିବା ସୂଚନା ମିଳିଛି। ଯଦି ମେଡିକାଲ ପାଠ୍ୟକ୍ରମର ସେମିଷ୍ଟର ପରୀକ୍ଷାଫଳକୁ ନେଇ ସୋହେଲ୍ ନିଖୋଜ ହୋଇଥିବେ, ତେବେ ପୁଲିସକୁ ନିଶ୍ଚୟ ସଫଳତା ମିଳିବ ବୋଲି କୁହାଯାଇଛି। ଏହି ମାମଲାକୁ ନେଇ ଏନ୍ଆଇଏ ମଧ୍ୟ ତଦନ୍ତ ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ଖଣ୍ଡଗିରି ଥାନା ପୁଲିସର ଏହି ପ୍ରାଥମିକ ତଦନ୍ତ ରିପୋର୍ଟ ବହୁ ଗୁରୁତ୍ୱ ବହନ କରୁଛି ବୋଲି କୁହାଯାଉଛି।
ଅପମୃତ୍ୟୁ ମାମଲା ଓ ସିସିଟିଭି ତନଖି ହେବ
ଖଣ୍ଡଗିରି ଥାନା ଆଇଆଇସି ହିମାଂଶୁ ଭୂଷଣ ସ୍ୱାଇଁଙ୍କ ସୂଚନାନୁସାରେ ହାଓ୍ଵଡ଼ା ଯାଇଥିବା ପୁଲିସ ଟିମ୍ ପ୍ରଥମେ ସେହି ଅଞ୍ଚଳର ବିଭିନ୍ନ ଥାନାରେ ହୋଇଥିବା ଅପମୃତ୍ୟୁ ମାମଲାର ଛାନ୍ଭିନ୍ କରିବେ। ଯଦି କେଉଁଠାରେ ଅଜଣା ମୃତଦେହ ମିଳିଥାଏ, ତେବେ ସେସବୁକୁ ଏହି ଟିମ୍ ତନଖି କରିବ। ମେଡିକାଲ ପାଠ୍ୟକ୍ରମର ସେମିଷ୍ଟର ପରୀକ୍ଷାଫଳକୁ ନେଇ ସୋହେଲ ଯଦି କିଛି ଅଘଟଣମୂଳକ ପଦକ୍ଷେପ ଗ୍ରହଣ କରିଥିବେ, ତେବେ ହାଓ୍ଵଡ଼ା ଅଞ୍ଚଳରୁ ଖଣ୍ଡଗିରି ଥାନା ପୁଲିସକୁ ବଡ଼ ସୁରାକ୍ ମିଳିଯିବ ବୋଲି ଆଇଆଇସି ଶ୍ରୀ ସ୍ୱାଇଁ କହିଛନ୍ତି। ସୋହେଲ୍ଙ୍କ ମୋବାଇଲ୍ ଫୋନ୍ ହାଓ୍ଵଡ଼ା ଷ୍ଟେସନ ନିକଟରୁ ହିଁ ସୁଇଚ୍ ଅଫ୍ ହୋଇଛି। ତେଣୁ ହାଓ୍ଵଡ଼ା ରେଳ ଷ୍ଟେସନରେ ସୋହେଲ ଟ୍ରେନ୍ରୁ ଓହ୍ଲାଇଥିବା ଆଶା କରାଯାଉଛି। ଯଦି ସେ ସେଠାରେ ଟ୍ରେନ୍ରୁ ଓହ୍ଲାଇଥିବେ, ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜ୍ରୁ କିଛି ବି ସୁରାକ୍ ମିଳିଯାଇପାରେ ବୋଲି ପୁଲିସ ଆଶାବାଦୀ ଅଛି।
ରହସ୍ୟକୁ ନେଇ ବଢ଼ୁଛି ଉତ୍କଣ୍ଠା
ସୋହେଲ୍ଙ୍କ ଏଭଳି ନିଖୋଜ ହେବା ପଛରେ ଏକ ବଡ଼ ରହସ୍ୟ ଛପି ରହିଥିବା ସ୍ପଷ୍ଟ। ତାଙ୍କ ବାପାଙ୍କ ସୂଚନା ମଧ୍ୟ ଏଥିପାଇଁ ଖୋରାକ୍ ଯୋଗାଇଛି। ସୋହେଲଙ୍କ ବାପା ଏଜାଜ୍ ଅହମ୍ମଦ କଙ୍କରିଆ ଭୁବନେଶ୍ୱର ଏମ୍ସ ଓ ଖଣ୍ଡଗିରି ଥାନା ଆସିଥିଲେ। ପରିବାରର ଭଲ ଆର୍ଥିକ ସ୍ଥିତି ନଥିବା ସତ୍ତ୍ୱେ ସୋହେଲ୍ ଜଣେ ମେଧାବୀ ଛାତ୍ର ଥିବାରୁ ଗୋଟିଏ ଥରରେ ଏମ୍ସ ଏଣ୍ଟ୍ରାନ୍ସ ପରୀକ୍ଷାରେ ସଫଳତା ହାସଲ କରିଥିଲେ। ଏମିତିକି ସେ ନିଜେ ଭୁବନେଶ୍ୱର ଏମ୍ସରେ ପଢ଼ିବାକୁ ଆଗ୍ରହ କରିଥିଲେ। ଭୁବନେଶ୍ୱର ଏମ୍ସରେ ନାମ ଲେଖାଇବା ପରେ ସେ ବେଶ୍ ଖୁସି ଥିଲେ। ତେଣୁ ପାଠପଢ଼ା କାହିଁକି ଖରାପ ହେଲା ବୋଲି ସେ କିଛି ବୁଝିପାରୁନଥିବା କହିଛନ୍ତି ବାପା ଏଜାଜ୍। ତେଣୁ ସୋହେଲଙ୍କ ବାପାଙ୍କ କଥାରୁ ସେ ପାଠପଢ଼ା ନେଇ ମାନସିକ ଚାପରେ ନଥିବା ଜଣାପଡ଼ିଛି। ଏମିତିକି ସୋହେଲ ତାଙ୍କ ମା’ଙ୍କୁ ବି ମାନସିକ ବ୍ୟସ୍ତତା ନେଇ ପୂର୍ବରୁ କିଛି ଜଣାଇନଥିବା ବାପା ଏଜାଜ୍ କହିଛନ୍ତି। ସେହିଭଳି ଏମ୍ସ କର୍ତୃପକ୍ଷ ମଧ୍ୟ ସୋହେଲ ନିଖୋଜ ମାମଲାକୁ ନେଇ କିଛି ସ୍ପଷ୍ଟ ଚିତ୍ର ଦେଇପାରୁନାହାନ୍ତି।
ହାଓ୍ଵଡ଼ା ସନ୍ଦେହର ମୂଳମଞ୍ଜି
ସୋହେଲଙ୍କ ନିଖୋଜ ମାମଲା ପଛରେ ଆତଙ୍କବାଦୀ ଲିଙ୍କ୍ ଭଳି ସଂଗିନ୍ ସନ୍ଦେହ ସୃଷ୍ଟି ହୋଇଛି। ତାଙ୍କୁ କୌଣସି ଆତଙ୍କବାଦୀ ସଂଗଠନ ଟ୍ରାପ୍ କରିଥାଇପାରେ ବୋଲି ଆଶଙ୍କା କରାଯାଉଛି। ଦୁଇଟି କାରଣକୁ ନେଇ ଏଭଳି ଆଶଙ୍କା ଉପୁଜିଛି। ପ୍ରଥମତଃ ସେ ଜମ୍ମୁକଶ୍ମୀର କୁପ୍ଓ୍ଵାଡ଼ା ଜିଲ୍ଲାର ଯୁବକ। ଏହି ଜିଲ୍ଲା ହେଉଛି ପାକ୍ ପ୍ରେତ୍ସାହିତ ଆତଙ୍କବାଦୀ ସଂଗଠନର କ୍ଷେତ୍ର। ତେଣୁ ସୋହେଲ୍ଙ୍କୁ କୌଣସି ସଂଗଠନ ନିଜ ଦଳରେ ସାମିଲ୍ କରିନେବା କିଛି ବିଚିତ୍ର କଥା ନୁହେଁ। ଏଭଳି ଆଶଙ୍କାକୁ ଦୃଢ଼ୀଭୂତ କରିଛି ହାଓ୍ଵଡ଼ା ଷ୍ଟେସନ। ହାଓ୍ଵଡ଼ାରୁ ନିଖୋଜ ହେବା ପରେ ସେ ପଶ୍ଚିମବଙ୍ଗ ସୀମା ଡେଇଁ ବାଂଲାଦେଶକୁ ପଳାଇଥିବା ଆଶଙ୍କା କରାଯାଉଛି। ତେଣୁ ଆତଙ୍କବାଦୀ ସଂଗଠନ ସୋହେଲଙ୍କୁ ହାଓ୍ଵଡ଼ାରୁ ଉଠାଇ ନେଇଥିବା କିଛି ଅସମ୍ଭବ ନୁହେଁ ବୋଲି ମନେ କରାଯାଉଛି। ତେଣୁ ଏନ୍ଆଇଏ ଭଳି କେନ୍ଦ୍ର ସରକାରଙ୍କ ସଂସ୍ଥା ତଦନ୍ତ କଲେ ସବୁ ସତ ଜଣାପଡ଼ିଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/arjuna-aiims-1.jpg)