ବନ୍ଦ ହେଲା ଏମ୍ସ ଓପିଡି: ଜରୁରୀକାଳୀନ ବ୍ୟତୀତ ସବୁ ଅସ୍ତ୍ରୋପଚାର ବି ବାତିଲ

ଜାରି ରହିବ ରେଡିଓଥେରାପି, ଡାଏଲିସିସ୍‌ ଭଳି ୧୧ ସେବା, ଟେଲିମେଡିସିନ, ସ୍ବାସ୍ଥ୍ୟ ଆପ୍‌ର ସହାୟତା ନେବାକୁ ପରାମର୍ଶ

ଭୁବନେଶ୍ବର: କ୍ରମାଗତ ତୃତୀୟଥର ପାଇଁ ପୁଣି ବନ୍ଦ ହୋଇଯାଇଛି ଭୁବନେଶ୍ବର ଏମ୍‌ସ ଓପିଡି। ଦ୍ବିତୀୟ ଲହର କଟକଣା କୋହାଳ ହେବାର ମାତ୍ର ୭ ମାସ ପରେ ପୁଣି ଏମ୍ସ ଓପିଡି ଏବଂ ଅସ୍ତ୍ରୋପଚାର ବନ୍ଦ ପାଇଁ ଘୋଷଣା କରାଯାଇଛି। ଜାନୁଆରି ୧୭ରୁ ଡେ’ କେୟାର ସର୍ଭିସ, ରେଡିଓଥେରାପି, ଡାଏଲିସିସ୍‌, ଟ୍ରମା ଆଣ୍ଡ ଏମରଜେନ୍ସି, ଏମରଜେନ୍ସି ଆଣ୍ଡ ଲାଇଫ୍‌ ସେଭିଂ ସର୍ଜରି, ଟେଲି ମେଡିସିନ୍‌ ଆଣ୍ଡ ଟେଲି କନ୍‌ସଲଟିଂ ସର୍ଭିସ୍‌, ଆଇପିଡି, ଫୁସ୍‌ଫୁସ, ନିଶ୍ଚେତକ, କୋଭିଡ୍‌ ଟିକାକରଣ ଭଳି ୧୧ଟି ଜରୁରୀକାଳୀନ ସେବା କିନ୍ତୁ ପୂର୍ବଭଳି ସ୍ବଭାବିକ ଭାବେ ଚାଲୁ ରହିବ। କିନ୍ତୁ ଏମ୍ସର ସମସ୍ତ ସ୍ପେସାଲିଟି ଏବଂ ସୁପରସ୍ପେସାଲିଟି ବିଭାଗକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଥିବା ନେଇ ଏମ୍ସ ଅଧୀକ୍ଷକ ଆଦେଶନାମା ଜାରି କରିଛନ୍ତି। ତେବେ ଅନ୍‌ଲାଇନ ଜରିଆରେ ପୂର୍ବରୁ ପଞ୍ଜୀକୃତ ହୋଇଥିବା ରୋଗୀ ଡାକ୍ତରଙ୍କୁ ଦେଖା କରିପାରିବେ।

ଏହା ପୂର୍ବରୁ ୨୦୨୦ ମସିହାରେ ୭ମାସ ପର୍ଯ୍ୟନ୍ତ, ୨୦୨୧ ମସିହାରେ ଏପ୍ରିଲ୍‌ ୨୫ରୁ ଜୁନ୍‌ ୨୬ ପର୍ଯ୍ୟନ୍ତ ଅର୍ଥାତ ୨ ମାସ ପାଇଁ ଏମ୍ସ ଓପିଡି ବନ୍ଦ ରହିଥିଲା। ଏଥିଯୋଗୁଁ ଦୂରଦୂରାନ୍ତରୁ ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀ ନାହିଁ ନଥିବା ଦୁର୍ଦଶାର ସମ୍ମୁଖୀନ ହୋଇଥିଲେ। ଚଳିତ ବର୍ଷ ପୁଣି ସେହି ସ୍ଥିତିର ପୁନରାବୃତ୍ତି ହେବା ନେଇ ଆଶଙ୍କା ରହିଛି। ସୂଚନାଯୋଗ୍ୟ, ପ୍ରଥମ ଓ ଦ୍ବିତୀୟ ଲହର ଭଳି ତୃତୀୟ ଲହରରେ କୋଭିଡ୍‌ ମାରାତ୍ମକ ନୁହେଁ। ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ କୋଭିଡ୍‌ର ଉପଯୁକ୍ତ ମୁକାବିଲା କରିପାରିଛି। ଏଥିଯୋଗୁଁ ରୋଗୀଙ୍କ ଅବସ୍ଥା ଗୁରୁତର ହେଉନାହିଁ କି ଡାକ୍ତରଖାନାରେ ଭର୍ତ୍ତି ସଂଖ୍ୟା ମଧ୍ୟ ବଢ଼ୁ ନାହିଁ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏହା ବାରମ୍ବାର କହୁଛନ୍ତି। ଆଜି ରାଜ୍ୟରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୮୫୬ ରହିଛି। ଏମ୍ସରେ ଭର୍ତ୍ତି କୋଭିଡ୍‌ ରୋଗୀ ସଂଖ୍ୟା ୱାର୍ଡରେ ୧୭, ଆଇସିୟୁରେ ୫, କର୍ମଚାରୀଙ୍କ ପଜିଟିଭ୍‌ ସଂଖ୍ୟା ୫୪ ରହିଛି। ଏପରିକି ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଆଇସିୟୁରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୧୩ପ୍ରତିଶତ ରହିଛି। ଏହା ସତ୍ତ୍ବେ ସବୁ ଡାକ୍ତରଖାନାରୁ ନିରାଶ ହୋଇ ଦୂର-ଦୂରାନ୍ତରୁ ଗୁରୁତର ଅବସ୍ଥାରେ ଏମ୍ସକୁ ଆସୁଥିବା ରୋଗୀଙ୍କୁ ଓପିଡି ଆସିବା ପାଇଁ କଟକଣା ଲଗାଯାଇଛି। ଏହା ବଦଳରେ ସ୍ବାସ୍ଥ୍ୟ ଆପ୍‌ ଓ ଟେଲିମେଡିସିନିର ସହାୟତା ନେବାକୁ କୁହାଯାଇଛି। ଏ ସଂକ୍ରାନ୍ତରେ ସ୍ବତନ୍ତ୍ର ନମ୍ବର ଜାରି ହୋଇଛି। ଆବଶ୍ୟକସ୍ଥଳେ ଡାକ୍ତର ପରାମର୍ଶରେ ରୋଗୀ କୋଭିଡ୍‌ ପ୍ରୋଟୋକଲ୍‌ ମାନି ଉଭୟ ଟିକାର ପ୍ରମାଣପତ୍ର ସହିତ ଓପିଡି ଆସିପାରିବେ।

ଟେଲିମେଡିସିନ ସେବା ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୯ଟାରୁ ଅପରାହ୍‌ଣ ୫ଟା ଏବଂ ଶନିବାର ସକାଳ ୯ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲୁ ରହିବ। ସ୍ବାସ୍ଥ୍ୟ ଆପ୍‌ର ସହାୟତା ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ସାଢ଼େ ୮ଟାରୁ ଅପରାହ୍‌ଣ ୫ଟା, ଶନିବାର ସକାଳ ସାଢ଼େ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ରହିଛି। ଜରୁରୀ ସର୍ଜରି ବ୍ୟତୀତ ପୂର୍ବ ନିର୍ଧାରିତ କୌଣସି ସର୍ଜରି ନକରିବା ପାଇଁ କୁହାଯାଇଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଲେବର ଓଟି, କୋଭିଡ୍‌ ଓଟି ଓ ଏମରଜେନ୍ସି ଓଟି କାର୍ଯ୍ୟକ୍ଷମ ରହିବ। କୋଭିଡ୍‌ ଆଳରେ ଯେମିତି କୌଣସି ଜରୁରୀ ଚିକିତ୍ସା ବାଦ୍‌ ନପଡ଼ିବ, ଏହା ମଧ୍ୟ ପ୍ରତ୍ୟେକ ଡାକ୍ତରଙ୍କୁ ଧ୍ୟାନ ଦେବାକୁ କୁହାଯାଇଛି। ଅତି ଆବଶ୍ୟକସ୍ଥଳେ ରୋଗୀ ଆଇପିଡିରେ ଭର୍ତ୍ତି ହେବେ। କୋଭିଡ୍‌ ରୋଗୀଙ୍କ ସମସ୍ତ ଜରୁରୀ ଔଷଧ, ଏନ୍-୯୫ ମାସ୍କ, ସାନିଟାଇଜର୍‌ କ୍ରୟ କରିବା ପାଇଁ କେନ୍ଦ୍ରୀୟ ଫାର୍ମାସି ଅଧିକାରୀଙ୍କୁ ନିର୍ଦେଶ ହୋଇଛି। ବିନା ଅନୁମତିରେ ଗଣମାଧ୍ୟମ କର୍ମଚାରୀଙ୍କୁ ଓପିଡି କିମ୍ବା ଆଇପିଡି ପ୍ରବେଶ ଉପରେ କଟକଣା ଲଗାଯାଇଛି। ସୂଚନା ଅନୁଯାୟୀ, ଏମ୍ସ ଓପିଡିକୁ ପ୍ରତିଦିନ ୩ ହଜାରରୁ ଅଧିକ ରୋଗୀ ଆସିଥାଆନ୍ତି।

ସମ୍ବନ୍ଧିତ ଖବର