କରୋନା ଆଳରେ ଏମ୍‌ସରେ ସୀମିତ ହେଲାଣି ରୋଗୀ ଦେଖା: ଓପିଡି ବନ୍ଦ ହେଲେ ବଢ଼ିବ ରୋଗୀ ଦୁର୍ଦ୍ଦଶା

ସିବିସି ଟେଷ୍ଟ୍ ବନ୍ଦ, ୨୦ ଦିନ ହେଲା ସରିଯାଇଛି ଏଚସିଭି ଏଲିସା କିଟ୍‌

ଭୁବନେଶ୍ବର: ଗତ ଦୁଇ ବର୍ଷ ପରି ଏଥର ବି ଯଦି କରୋନା ଆଳରେ ଓପିଡି ବନ୍ଦ କରିଦିଆଯାଏ, ତେବେ ଅବସ୍ଥା ଜଟିଳ ହୋଇଯିବ। ଏବେ ଓପିଡିକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଯେଉଁମାନଙ୍କ ଅସ୍ତ୍ରୋପଚାର ଆବଶ୍ୟକତା ହେଉଛି, ସେମାନଙ୍କୁ ଜୁନ୍‌ କିମ୍ବା ଜୁଲାଇ ମାସକୁ ତାରିଖ ଦିଆଯାଉଛି। ଓପିଡି ବନ୍ଦ ହୋଇଗଲେ, ରୋଗୀମାନଙ୍କ ଅସ୍ତ୍ରୋପଚାର ପାଳି ପାଖାପାଖି ବର୍ଷେ ପରେ ପଡ଼ିବ। କେବଳ ଗୁରୁତର ରୋଗୀଙ୍କୁ ଡାକ୍ତର ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥା’ନ୍ତି। କିନ୍ତୁ ବର୍ଷେ ପରେ ଯଦି ସେମାନଙ୍କ ଅସ୍ତ୍ରୋପଚାର ହୁଏ, ସେତେବେଳକୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା କ’ଣ ଥିବ, ତାହା ସହଜରେ ଅନୁମାନ କରାଯାଇପାରେ। ନାମ ଗୋପନ ରଖିବା ସର୍ତ୍ତରେ ଏମ୍‌ସରେ କାର୍ଯ୍ୟରତ ଜଣେ ସର୍ଜନ ଏପରି କହିବା ସହ ଚିନ୍ତାବ୍ୟକ୍ତ କରିଛନ୍ତି। ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏମ୍‌ସ‌ରେ ରୋଗୀ ଦେଖାକୁ ସୀମିତ କରି ଦିଆଯାଇଛି। ଲୋକଙ୍କୁ ଟେଲିମେଡିସିନ୍‌ର ସହାୟତା ନେବାକୁ କୁହାଯାଇଛି। ଟେଲିମେଡିସିନ୍‌ର ପରାମର୍ଶ ଦେବାରେ ଅସୁବିଧା ନାହିଁ କିନ୍ତୁ ତୃତୀୟ ବର୍ଷ ପାଇଁ ଓପିଡି ବନ୍ଦ ହେଲେ ଅବସ୍ଥା ଆହୁରି ଗୁରୁତର ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୨୦ ମସିହାରେ ରାଜ୍ୟରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ରାଜ୍ୟର ସବୁ ଡାକ୍ତରଖାନାରେ ଅଣକୋଭିଡ୍‌ ରୋଗୀଙ୍କ ଚିକିତ୍ସା ବନ୍ଦ ହୋଇଯାଇଥିଲା। ଏଥିଯୋଗୁଁ ଏମ୍‌ସରେ ଜୁଲାଇ ୧୦ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଓପିଡି ବନ୍ଦ ରହିଲା। ସେହି ସମୟରେ ରାଜ୍ୟର ଅନ୍ୟ ଡାକ୍ତରଖାନା ରୋଗୀଙ୍କ ଭଳି ଏମ୍ସ ଅଣକୋଭିଡ୍‌ ରୋଗୀ ଯେଉଁ କଷ୍ଟ ପାଇଲେ, ତାହା ସମସ୍ତେ ଜାଣିଛନ୍ତି। ସେହିପରି ଦ୍ବିତୀୟ ଲହର ବେଳକୁ ରାଜ୍ୟର କୌଣସି ସରକାରୀ କିମ୍ବା ଘରୋଇ ଡାକ୍ତରଖାନା ଓପିଡି ଅଣକୋଭିଡ୍‌ଙ୍କ ପାଇଁ ବନ୍ଦ ନଥିଲା। ଏକମାତ୍ର ଏମ୍‌ସରେ ଓପିଡି ସମେତ ଅଣକୋଭିଡ୍‌ ରୋଗୀଙ୍କ ଚିକିତ୍ସା ଏପ୍ରିଲ ୨୫ ତାରିଖରୁ ଜୁନ ୨୬ ତାରିଖ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା। କେବଳ ରେଡିଓଥେରାପି, ଡାଏଲିସିସ ଭଳି ୧୦ ଜରୁରୀ ସେବା ଖୋଲା ରହିଥିଲା। ଏହାପରେ କଟକଣା ସହ ଡାକ୍ତରଖାନା ଖୋଲା ଯାଇଥିଲା କିନ୍ତୁ ସ୍ବାଭାବିକ ରୋଗୀ ଆସିବାକୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା।

ଦୁଇ-ଦୁଇ ଥର ଓପିଡି ବନ୍ଦ କରାଯିବାରୁ ଏମ୍ସକୁ ଆସୁଥିବା ରୋଗୀ ସଂଖ୍ୟା ୨୦୧୯ମସିହାଠାରୁ ଅନେକ ସଂଖ୍ୟାରେ ବୃଦ୍ଧି ପାଇଛି। ପୂର୍ବରୁ ଆଡମିସନ୍‌ ପାଇଁ ୨ ମାସ ଲାଗୁଥିବା ବେଳେ ବର୍ତ୍ତମାନ ୩ରୁ ୪ମାସ ଅପେକ୍ଷା କରିବାକୁ ପଡ଼ୁଛି। ପ୍ରତିଥର ଅପେକ୍ଷାର ମାସ ବୃଦ୍ଧି ପାଇଛି। ଅସ୍ତ୍ରୋପଚାରର ସ୍ଥିତାବସ୍ଥା ନ କହିବା ଭଲ।
ଜଣେ ଡାକ୍ତରଙ୍କ କହିବାନୁସାରେ, ଗତଥର ଅନେକ ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାର ହୋଇ ନପାରିବାରୁ ରୋଗୀ ମୃତ୍ୟୁସଂଖ୍ୟା ଅନେକ ବଢ଼ି ଯାଇଥିଲା। ଏପରିକି କିଛି ରୋଗୀଙ୍କ ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷଣ ହୋଇ ନପାରିବାରୁ ଅବସ୍ଥା ଗୁରୁତର ହୋଇଥିଲା। ମାନସିକ ରୋଗୀ ନିୟମିତ କାଉନସେଲିଂ ପାଇଁ ଆସି ନପାରିବାରୁ ସେମାନଙ୍କ ମଧ୍ୟରେ ଆତ୍ମହତ୍ୟାପ୍ରବଣତା ବଢ଼ିଥିଲା। ଏମ୍‌ସ ଓପିଡିକୁ ପ୍ରତିଦିନ ୩ରୁ ୪ହଜାର ରୋଗୀ ଆସନ୍ତି। ଓପିଡି ବନ୍ଦ କରିବା ଅର୍ଥ ପ୍ରତିଦିନ ପ୍ରାୟ ୩ରୁ ୪ହଜାର ରୋଗୀଙ୍କ ଚିକିତ୍ସାକୁ ଠପ କରିବା ସମାନ ବୋଲି ସେ କହିଛନ୍ତି। ଦେଶର ଅନ୍ୟ ଏମ୍ସ ଭଳି ଏଠାକାର ଜରୁରୀକାଳୀନ ସେବା ଏତେ ସଶକ୍ତ ନୁହେଁ। ସାଧାରଣ ସମୟରେ ମଧ୍ୟ ଜରୁରୀକାଳୀନ ସେବା ପାଇଁ ରୋଗୀଙ୍କୁ କଷ୍ଟ ସହିବାକୁ ପଡ଼େ। ଜରୁରୀକାଳୀନରୁ ଓ୍ବାର୍ଡକୁ ଯିବାରୁ ୨ରୁ୩ ଦିନ ଅପେକ୍ଷା କରିବାକୁ ପଡ଼େ। ଓପିଡି ବନ୍ଦ ହେଲେ, ଅବସ୍ଥା କେତେ ଜଟିଳ ହେବ, ସେ ସମ୍ପର୍କରେ ଏଇଥିରୁ ଅନୁମାନ କରାଯାଇ ପାରେ। ତେଣୁ ଦୁଇଥର ଭଳି ଚଳିତଥର କରୋନାକୁ ଆଳ କରି ଏମ୍‌ସ ଓପିଡି ବନ୍ଦ ନକରୁ ବୋଲି ରୋଗୀ, ଡାକ୍ତର ଏବଂ ସ୍ଥାନୀୟ ଅଧିବାସୀ ଏମ୍‌ସ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।

ସିବିସି ଟେଷ୍ଟ୍ ବନ୍ଦ
ଭୁବନେଶ୍ବର: ଗତ କିଛି ଦିନ ହେଲା, ଏମ୍‌ସରେ ସିବିସି ବା କମ୍ପ୍ଲିଟ୍‌ ବ୍ଲଡ୍‌କାଉଣ୍ଟ ପରୀକ୍ଷଣ ବନ୍ଦ ହୋଇଯାଇଥିବାରୁ ଉଭୟ ରୋଗୀ ଓ ଡାକ୍ତର ହଇରାଣ ହେଉଛନ୍ତି। ଏହି ପରୀକ୍ଷଣ ବନ୍ଦ ହୋଇଯାଇଥିବାରୁ ରୋଗୀର ଶରୀରରେ କେତେ ହିମୋ‌ଗ୍ଲୋବିନ୍‌, ଟିଏଲ୍‌ସି, ଡିଏଲ୍‌ସି, ପ୍ଲେଟ୍‌ଲେଟ୍‌ସ ରହିଛି, ତାହା ଡାକ୍ତର ଜାଣିପାରୁନାହାନ୍ତି। ତେଣୁ ତଦନୁଯାୟୀ ଚିକିତ୍ସା ହୋଇପାରୁନାହିଁ। ମିଳିଥିବା ସୂଚନାନୁଯାୟୀ, ଏହି ପରୀକ୍ଷଣ ପାଇଁ ଆବଶ୍ୟକ ରିଏଜେଣ୍ଟ ବା ଏକ ରସାୟନିକ ପ୍ରତିକ୍ରିୟାସାଧର ପଦାର୍ଥ ସରି ଯାଇଥିବାରୁ ପରୀକ୍ଷଣରେ ବାଧକ ସୃଷ୍ଟି ହୋଇଛି। ଏହା ଅତ୍ୟନ୍ତ ସାଧାରଣ ପରୀକ୍ଷଣ ହୋଇଥିଲେ ହେଁ ରୋଗୀର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଜାଣିବାରେ ଡାକ୍ତରମାନଙ୍କ ପାଇଁ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ଥାଏ। କିନ୍ତୁ ଏମ୍‌ସ ଭୁବନେଶ୍ବର ଭଳି ଏକ ଜାତୀୟସ୍ତରର ସ୍ବାସ୍ଥ୍ୟାନୁଷ୍ଠାନରେ ଏଭଳି ସାଧାରଣ ପରୀକ୍ଷଣ ହୋଇ ନପାରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖାଲି ସେତିକି ନୁହେଁ, ଗତ ଡିସେମ୍ବର ୨୨ ତାରିଖରୁ ‘ଏଚ୍‌ସିଭି ଏଲିସା କିଟ୍‌’ ସରିଯାଇଥିବାରୁ ହେପାଟାଇଟିସ୍‌ ସି’ର ପରୀକ୍ଷଣ ହୋଇପାରୁନାହିଁ ବୋଲି ସୂଚନା ମିଳିଛି।
ଏବେ ସିବିସି ଟେଷ୍ଟ ପାଇଁ ରୋଗୀଙ୍କୁ ବାହାର ପାଥୋଲୋଜି ଉପରେ ନିର୍ଭର କରିବାକୁ ପଡ଼ୁଛି। ଯେଉଁ ପରୀକ୍ଷା ରିପୋର୍ଟ ଏମ୍‌ସରେ ଅଧଘଣ୍ଟାରେ ଏବଂ ନିଃଶୁଳ୍କ କିମ୍ବା ନାମମାତ୍ର ଅର୍ଥ ବିନିମୟରେ ହେଉଥିଲା, ଏବେ ସେଥିପାଇଁ ଗରିବ ରୋଗୀଙ୍କ ପରିଜନଙ୍କୁ ଖର୍ଚାନ୍ତ ହେବା ସହ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଏହି ପରୀକ୍ଷଣ ପାଇଁ ଆବଶ୍ୟକ ରିଏଜେଣ୍ଟ କିଟ୍‌ର ସବୁବେଳେ ଆବଶ୍ୟକ ଥିବାରୁ ଏମ୍‌ସରେ ପାଖାପାଖି ୪ ମାସର ଷ୍ଟକ୍‌ ଆଗୁଆ ଉପଲବ୍ଧ ଥାଏ। ତେଣୁ ବିଶେଷତଃ ଅସୁବିଧା ହୁଏ ନାହିଁ। ମାତ୍ର ଚଳିତଥର ଷ୍ଟକ୍‌ ରଖିବା କଥା ଦୂରେ ଥାଉ, ସରିଯିବା ପରେ ମଧ୍ୟ ତୁରନ୍ତ ଏହାର ଯୋଗାଣ ନେଇ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇନାହାନ୍ତି। ଏନେଇ ଏମ୍ସର ଅନେକ ବରିଷ୍ଠ ଡାକ୍ତର କର୍ତ୍ତୃପକ୍ଷଙ୍କ ନିକଟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ସ୍ଥିତି ସ୍ବାଭାବିକ କରିବାକୁ ଅନୁରୋଧ କରିଛନ୍ତି। ଅପରପକ୍ଷେ ‘ଏଚ୍‌ସିଭି ଏଲିସା କିଟ୍‌’ ମଧ୍ୟ ସରିଯାଇଥିବାରୁ ହେପାଟାଇଟିସ ଭଳି ଯକୃତ ସମ୍ପର୍କିତ ଗୁରୁତର ରୋଗ ଚିହ୍ନଟ ମଧ୍ୟ ଏମ୍ସରେ ହୋଇ ପାରୁନାହିଁ। ଭେଣ୍ଡର ପକ୍ଷରୁ ଏହି କିଟ୍‌ ଯୋଗାଣ ବନ୍ଦ ଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର