ଖଣ୍ଡଗିରି: ଏମ୍‌ସ ଭୁବନେଶ୍ବରକୁ ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କ ଆଗମନ ଘଟୁଛି। ଲୋକସଂଖ୍ୟା ବୃଦ୍ଧି ସହ ସ୍ଥାନୀୟ ଅଞ୍ଚଳରେ ଅପରାଧ ମଧ୍ୟ ଘଟୁଛି। ବିଭିନ୍ନ ସମୟରେ ଚୋରି, ଲୁଟ୍‌ ଓ ଅପମୃତ୍ୟୁ ମାମଲାକୁ ଦୃଷ୍ଟିରେ ରଖି ଏମ୍‌ସ ପରିସରରେ ଖଣ୍ଡଗିରି ଥାନା ଅଧୀନରେ ଏମ୍‌ସ ଫାଣ୍ଡି ସ୍ଥାପନ କରାଯାଇଛି। ମାତ୍ର ଫାଣ୍ଡିର ନିଜସ୍ବ କାର୍ଯ୍ୟାଳୟ ନଥିବାରୁ ଅଭିଯୋଗକାରୀଙ୍କ ସମେତ ପୁଲିସ ଅଧିକାରୀଙ୍କ ପାଇଁ ସମସ୍ୟା ସୃ‌ଷ୍ଟି ହେଉଛି। ଫାଣ୍ଡିରେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ ଏମ୍‌ସ ସିକ୍ୟୁରିଟି ଗାର୍ଡଙ୍କ ପାଇଁ ନିର୍ମିତ ଏକ ବଖରା ବିଶିଷ୍ଟ ରୁମ୍‌ରେ ବସିବାକୁ ପଡ଼ୁଛି। ଥାନା ସମ୍ପର୍କିତ କାଗଜପତ୍ର ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏହାର ସୁରକ୍ଷା ଦୃ‌ଷ୍ଟିରୁ ଏମ୍‌ସ ପରିସରରେ ସ୍ଥାୟୀ ଫାଣ୍ଡି ନିର୍ମାଣ ପାଇଁ ଦାବି ହୋଇଛି।

Advertisment

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଏମ୍‌ସ ଭୁବନେଶ୍ବର ଫାଣ୍ଡିରେ ଜଣେ ଏସ୍‌ଆଇ, ୬ଜଣ କନ୍‌ଷ୍ଟେବଳ ଓ ୩ଜଣ ହୋମଗାର୍ଡ କାର୍ଯ୍ୟରତ ଅଛନ୍ତି। ପ୍ରତିମାସରେ ଫାଣ୍ଡିରେ ୫୦ରୁ ୬୦ଟି ଭିନ୍ନ ଭିନ୍ନ ମାମଲା ରୁଜୁ ହେଉଛି। ଏଥିରେ ମୁଖ୍ୟତଃ ଅପମୃତ୍ୟୁ ମାମଲା ଅଧିକ ରହୁଛି। ଅପରାଧିକ ମାମଲା ହାରାହାରି ୨୦ରୁ ୨୫ଟି ରୁଜୁ ହେଉଛି। ତେବେ ପୁଲିସ ଅଭିଯୁକ୍ତଙ୍କୁ ଧରିବା ପରେ ଫାଣ୍ଡିରେ ରଖିବା ଲାଗି କୌଣସି ସୁବିଧା ନାହିଁ। ସେହିପରି ଏମ୍‌ସ ପରିସରରୁ ବିଭିନ୍ନ ସମୟରେ ଦଲାଲ ଗିରଫ ହେଉଛନ୍ତି। ହାଜତ ନଥିବାରୁ ଅଭିଯୁକ୍ତକୁ ଜଗି ରହିବା ପାଇଁ ଦୁଇଜଣ ପୁଲିସ କର୍ମଚାରୀ ଅସ୍ଥାୟୀ ଫାଣ୍ଡି କାର୍ଯ୍ୟାଳୟରେ ବସି ରହୁଛନ୍ତି। କେବଳ ଏମ୍‌ସ ନୁହେଁ ଆଖପାଖରେ ଥିବା‌ ପଞ୍ଚାୟତ ମଧ୍ୟ ଏମ୍‌ସ ଫାଣ୍ଡି ଅଧୀନରେ ଆସୁଛି। ଏଣୁ କର୍ମଚାରୀମାନେ ସେଠାକୁ ପାଟ୍ରୋଲିଂ କରିବାକୁ ଗଲେ ଏମ୍‌ସ ପରିସର ପୁଲିସଶୂନ୍ୟ ହୋଇପଡ଼ୁଛି।

ଏହି କାର୍ଯ୍ୟାଳୟରେ ଶୌଚାଳୟ ନଥିବାରୁ କର୍ମଚାରୀମାନେ ସାର୍ବଜନୀନ ଶୌଚାଳୟ ବ୍ୟବହାର କରୁଛନ୍ତି। ଏମ୍‌ସ ପଛ ଭାଗରେ ପୁଲିସ କର୍ମଚାରୀଙ୍କ ପାଇଁ ଏକ ବାରାକ୍‌ ଦିଆଯାଇଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଭାବେ ପଡ଼ିରହିଛି। ଏ ସମ୍ପର୍କରେ ପୁଲିସ କର୍ମଚାରୀ କହିଛନ୍ତି, ଏମ୍‌ସ ପରିସରରେ ଫାଣ୍ଡି ସ୍ଥାପନ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା କୋଠାଘରେ ‘କେନ୍ଦ୍ରୀୟ ଅନୁସନ୍ଧାନ ଏବଂ ଦକ୍ଷତା ପରୀକ୍ଷାଗାର’ ଚାଲିଛି। ଏମ୍‌ସ ପକ୍ଷରୁ ଆବଶ୍ୟକ ଜମି ଯୋଗାଇ ଦିଆଗଲେ ଫାଣ୍ଡି ନିର୍ମାଣ ହୋଇପାରନ୍ତା। ଏ ସମ୍ପର୍କରେ ଏମ୍‌ସ ଅଧୀକ୍ଷକ ଡା. ଦିଲୀପ କୁମାର ପରିଡ଼ା କହିଛନ୍ତି , ପୂର୍ବରୁ ଏମ୍‌ସ ପଛଗେଟ୍‌ ନିକଟରେ ଫାଣ୍ଡି ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟାଳୟ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତିନିମାସ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି।