ଭୁବନେଶ୍ବର ଏମ୍‌ସରେ ଓପିଡି ସେବା ପୁଣି ଆରମ୍ଭ

ଟେଲି ମେଡିସିନ୍‌ ସେବାରେ ଯୋଡ଼ି ହେଲା ଚର୍ମରୋଗ ଓ ଇଏନ୍‌ଟି

ଭୁବନେଶ୍ବର : ମହାମାରୀ କୋଭିଡ୍‌-୧୯ ସଂକ୍ରମଣ ପ୍ରତିହତ କରିବାକୁ ମାର୍ଚ୍ଚ ୨୫ ତାରିଖରୁ ଭୁବନେଶ୍ବର ଏମ୍‌ସ‌ରେ ବନ୍ଦ କରାଯାଇଥିବା ବହିର୍ବିଭାଗ ରୋଗୀ ସେବା(ଓପିଡି)କୁ ପୁଣି ଆରମ୍ଭ କରାଯାଇଛି। ମେ ୪ ତାରିଖରୁ ଏହି ସେବାର ପୁଣି ଆରମ୍ଭ କରାଯାଇଥିଲେ ମଧ୍ୟ ଟେଲି ମେଡିସିନ ସେବା ପୂର୍ବ ଭଳି ଜାରି ରହିବ। ପୂର୍ବରୁ ‌ଟେଲି ମେଡିସିନ ସେବାରେ ଥିବା ୮ଟି ବିଭାଗ ସହ ଏଥର ଚର୍ମ ରୋଗ ଓ କର୍ଣ୍ଣ, ନାସା ଗଳା(ଇଏନ୍‌ଟି) ବିଭାଗକୁ ଅନ୍ତର୍ଭୁକ୍ତ କରାଯାଇଛି।

ଏମ୍‌ସ ପକ୍ଷରୁ ମିଳିଥିବା ସୂଚନାନୁସାରେ ଓଡ଼ିଶାରେ ୨୪ ତାରିଖରୁ ତାଲାବନ୍ଦ ଲାଗୁ କରାଯାଇଥିଲା ଓ ମାର୍ଚ୍ଚ ୨୫ ତାରିଖରୁ ଓପିଡି ସେବାକୁ ବନ୍ଦ କରାଯାଇଥିଲା। ସେହିଭଳି କିଛି ଇଲେକ୍ଟିଭ୍ ଅପରେସନ୍‌( ନିହାତି ଜରୁରୀ ହୋଇ ନ ଥିବା)କୁ ମଧ୍ୟ ବନ୍ଦ କରାଯାଇ ଥିଲା। କିନ୍ତୁ ୨୪ ଘଣ୍ଟିଆ ଆପାତକାଳୀନ ‌ସେବା ଓ ନିହାତି ଜରୁରୀ ‌ଅପରେସନ୍ ଜାରି ରହିଥିଲା। ତାଲାବନ୍ଦ ଭିତରେ ୨୬୫୪ ଜଣଙ୍କୁ ଆପାତକାଳୀନ ସେବା ଯୋଗାଇ ଦିଆଯାଇଛି ଓ ୫୬୩ଟି ଜରୁରୀ ଅପରେସନ୍ କରାଯାଇଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏପ୍ରିଲ୍‌ ୧୫ ତାରିଖରୁ ୮ଟି ବିଭାଗକୁ ନେଇ ଏଠାରେ ଟେଲି ମେଡିସିନ ସେବା ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୪ ହଜାର ରୋଗୀ ଏହି ସେବା ଦ୍ବାରା ଉପକୃତ ହୋଇଛନ୍ତି। ଏବେ ଏଥିରେ ଚର୍ମ ରୋଗ ବିଭାଗ ସହ ଇଏନ୍‌ଟି ବିଭାଗକୁ ସାମିଲ୍ କରାଯାଇଛି। ଚର୍ମ ରୋଗୀମାନେ ମୋବାଇଲ୍ ନମ୍ବର ୮୨୮୦୩୪୬୬୦୮ ଓ ଇଏନ୍‌ଟି ବିଭାଗ ପାଇଁ ରୋଗୀମାନେ ମୋବାଇଲ୍‌ ନମ୍ବର ୮୨୮୦୩୪୬୬୧୩ରେ ଡାକ୍ତରମାନଙ୍କ ସହ ଯୋଗାଯୋଗ କରିପାରିବେ। ଏବେ ମଧ୍ୟ ତାଲାବନ୍ଦ କଟକଣା ପାଇଁ ଦୂରଦୁରାନ୍ତରୁ ରୋଗୀମାନେ ଭୁବନେଶ୍ବର ଏମ୍‌ସ ଆସିବା ସମ୍ଭବ ହେଉନଥିବାରୁ ଓପିଡି ସେବାରୁ ବହୁ ଲୋକ ବଞ୍ଚିତ ହେଉଛନ୍ତି। ତେଣୁ ଏହି ଟେଲି ମେଡିସିନ ସେବା ଜାରି ରହିବ ବୋଲି କୁହାଯାଇଛି। ତେବେ ସେଭଳି ବିଶେଷ ଆବଶ୍ୟକତା ନଥିବା ରୋଗୀମାନଙ୍କୁ ଏମ୍‌ସ ନ ଆସିବା ପାଇଁ ଅନୁରୋଧ କରାଯାଇଛି। ଓପିଡି ସେବା ଆରମ୍ଭ ହୋଇଥିଲେ ବି ଅଯଥା ଭିଡ଼ ନକରିବାକୁ କୁହାଯାଇଛି। ଓପିଡିକୁ ଆସୁଥିବା ଲୋକମାନେ ମୁହଁରେ ନିଶ୍ଚୟ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ବଜୟ ରଖିବାକୁ ପଡ଼ିବ ‌ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର