ଏମ୍‌ସ ଛାତ୍ର ନିଖୋଜ ମାମଲା : ଦିଲ୍ଲୀରେ କମିସନରେଟ୍‌ ପୁଲିସ

ଚିନ୍ତା ବଢ଼ାଇଲା ଜମ୍ମୁକଶ୍ମୀର ବ୍ୟାଙ୍କ୍‌ ଲିଙ୍କ୍‌

ଖଣ୍ଡଗିରି: ରହସ୍ୟମୟଭାବେ ନିଖୋଜ ହୋଇଯାଇଥିବା ଭୁବନେଶ୍ୱର ଏମ୍‌ସର ଦ୍ୱିତୀୟ ବାର୍ଷିକ କଶ୍ମୀର ଛାତ୍ର ସୋହେଲ୍‌ ଆଇଜାଦ୍‌କୁ ଖୋଜିବା ପାଇଁ କମିସନରେଟ୍‌ ପୁଲିସ ଗୁରୁବାର ଦିଲ୍ଲୀ ଯାତ୍ରା କରିଛି। ଖଣ୍ଡଗିରି ଥାନାର ଏହି ୩ ଜଣିଆ ଟିମ୍‌ ଦିଲ୍ଲୀରେ ନୋଏଡ଼ା, ଗୁରଗାଓଁ ଓ ତା’ର ଆଖପାଖ ଅଂଚଳରେ ଖୋଜାଖୋଜି କରିବା ଯୋଜନା ରଖିଛି। ସୋହେଲ୍‌ଙ୍କ ବାପାଙ୍କୁ ଫୋନ୍‌ କରିଥିବା ବ୍ୟକ୍ତିଙ୍କ ସୂଚନା ଆଧାରରେ ପୁଲିସ ଦିଲ୍ଲୀରେ ଛାନ୍‌ଭିନ୍‌ କରି ନିଖୋଜ ସୋହେଲ୍‌କୁ ଠାବ କରିବାରେ ସଫଳ ହେବା ଆଶା ରଖିଛି। କିନ୍ତୁ ଦିଲ୍ଲୀରେ ଜମ୍ମୁକଶ୍ମୀର ବ୍ୟାଙ୍କ୍‌ ଏଟିଏମ୍‌ ନିକଟରେ ସୋହେଲ୍‌ଙ୍କୁ ଦେଖିବାକୁ ମିଳିବା ଘଟଣା ପୁଲିସର ଚିନ୍ତା ବଢ଼ାଇ ଦେଇଛି। ସୋହେଲ୍‌ ନିଖୋଜ ହୋଇଥିବା ନେଇ ଭୁବନେଶ୍ୱର କମିସନରେଟ୍‌ ପୁଲିସ ପକ୍ଷରୁ ବିଭିନ୍ନ ଜାତୀୟ ଖବରକାଗଜରେ ଏକ ବିଜ୍ଞାପନ ଦିଆଯାଇଥିଲା। ଏହି ବିଜ୍ଞାପନରେ ନିଖୋଜ ସୋହେଲ୍‌ଙ୍କ ଫଟୋ ସହିତ ଖଣ୍ଡଗିରି ଥାନା ଫୋନ୍‌ ନମ୍ବର ଓ ବାପା ଏଜାଜ୍‌ଙ୍କ ମୋବାଇଲ୍‌ ନମ୍ବର ଥିଲା। ଗତ ୬ ତାରିଖରେ ସୋହେଲ୍‌ଙ୍କ ବାପା ଏଜାଜ୍‌ ଅହମ୍ମଦଙ୍କ ନିକଟକୁ ଦିଲ୍ଲୀରୁ ଏକ ଫୋନ୍‌ କଲ୍‌ ଆସିଥିଲା। ନୋଏଡ଼ାସ୍ଥିତ ଜମ୍ମୁକଶ୍ମୀର ବ୍ୟାଙ୍କର ଏକ ଏଟିଏମ୍‌ ନିକଟରେ ସୋହେଲ୍‌ଙ୍କ ଭଳି ଜଣେ ଯୁବକ ବୁଲୁଥିବା ସେ ଦେଖିଥିଲେ ବୋଲି ଏଜାଜ୍‌ଙ୍କୁ କହିଥିଲେ। ତୁରନ୍ତ ଏଜାଜ୍‌ ଏ ବାବଦରେ ଖଣ୍ଡଗିରି ଥାନା ଅଧିକାରୀଙ୍କ ସମେତ ଭୁବନେଶ୍ୱର ଡିସିପି ଓ ସିପିଙ୍କୁ ଜଣାଇଥିଲେ। ସଙ୍ଗେସଙ୍ଗେ ପୁଲିସ ଉକ୍ତ ନମ୍ବରରେ ସେହି ଲୋକ ସହ ଯୋଗାଯୋଗ କରିଥିଲା। ପୁଲିସକୁ ସେହି ବ୍ୟକ୍ତି ଦେଇଥିବା ସୂଚନାନୁସାରେ ଜମ୍ମୁକଶ୍ମୀର ବ୍ୟାଙ୍କ୍‌ ଏଟିଏମ୍‌ ନିକଟରେ ୪/୫ ଥର ସୋହେଲଙ୍କ ଭଳି ଜଣେ ଯୁବକଙ୍କୁ ସେ ଦେଖିଛନ୍ତି। ଖବରକାଗଜରେ ବାହାରିଥିବା ସୋହେଲ୍‌ଙ୍କ ଫଟୋ ସହ ଉକ୍ତ ଯୁବକଙ୍କ ଚେହେରାର ମେଳ ଖାଉଥିବାରୁ ସନ୍ଦେହ କରି ସେ ଏଜାଜ୍‌ଙ୍କୁ ଜଣାଇଥିଲେ ବୋଲି କହିଥିଲେ। ଉକ୍ତ ବ୍ୟକ୍ତିଙ୍କ ସୂଚନାରେ ପୂରା ଠିକ୍‌ ତଥ୍ୟ ନଥିଲେ ବି ସୋହେଲ୍‌କୁ ଖୋଜିବା ପାଇଁ ବ୍ୟାକୁଳ କମିସନରେଟ୍‌ ପୁଲିସ ଦିଲ୍ଲୀ ଯିବାକୁ ବାଧ୍ୟ ହୋଇଛି। ତେଣୁ ଦିଲ୍ଲୀ ଯାଇଥିବା ପୁଲିସ ଟିମ୍‌ ସେଠାରେ ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିବା ସହ ଜମ୍ମୁକଶ୍ମୀର ବ୍ୟାଙ୍କ ଏଟିଏମ୍‌ର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବ। ସେହିଭଳି ଏହି ଟିମ୍‌ ଗୁରଗାଓଁ ଓ ତା’ର ଆଖପାଖ ଅଂଚଳରେ ବୁଲି ସୋହେଲ୍‌କୁ ଖୋଜାଖୋଜି କରିବ। କିଛି ପ୍ରମୁଖ ସ୍ଥାନର ସିସିଟିଭି ଫୁଟେଜ୍‌ ମଧ୍ୟ ପୁଲିସ ଦେଖିବାର ଯୋଜନା ରହିଛି।

ସୋହେଲ୍‌ଙ୍କୁ ଜମ୍ମୁକଶ୍ମୀର ବ୍ୟାଙ୍କ୍‌ ଏଟିଏମ୍‌ ନିକଟରେ ଦେଖିବାକୁ ମିଳିବା କଥା ଜଣାପଡ଼ିବା ପରେ ଏହି ମାମଲାକୁ ନେଇ ସାଂଘାତିକ ସନ୍ଦେହ ସୃଷ୍ଟି ହୋଇଛି। ପୂର୍ବରୁ ଏହି ବ୍ୟାଙ୍କ୍‌ରେ ସୋହେଲ୍‌ଙ୍କର ଆକାଉଣ୍ଟ୍‌ ନଥିବାବେଳେ ନିଖୋଜ ପରଠାରୁ ଏହି ବ୍ୟାଙ୍କ୍‌ ସହ ତାଙ୍କ ଲିଙ୍କ୍‌କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ସୋହେଲ୍‌ଙ୍କ ଆକାଉଣ୍ଟ୍‌ ଏସ୍‌ବିଆଇରେ ଥିଲା। ନିଖୋଜ ହେବା ପରଠାରୁ ତାଙ୍କ ଆକାଉଣ୍ଟ୍‌ରେ ଟଙ୍କା ଜମା କରାଯାଉଥିଲେ ବି ସେ ଆଦୌ ଟଙ୍କା ଉଠାଇ ନାହାନ୍ତି। ଅଥଚ ଜମ୍ମୁକଶ୍ମୀର ବ୍ୟାଙ୍କ୍‌ ଏଟିଏମ୍‌ ନିକଟରେ ସେ କ’ଣ ପାଇଁ ବୁଲୁଥିଲେ ବୋଲି ପ୍ରଶ୍ନ ଉଠୁଛି। ଯଦି ଦିଲ୍ଲୀରୁ ସୋହେଲ୍‌ଙ୍କ ବାପାଙ୍କୁ ଫୋନ୍‌ କରିଥିବା ବ୍ୟକ୍ତି ଦେଖିଥିବା ଯୁବକ ସତକୁ ସତ ସୋହେଲ୍‌ ହୋଇଥିବେ, ତେବେ ମାମଲା ବଡ଼ ସଂଗିନ୍‌ ହୋଇପାରେ। ଅନ୍ୟ କେହି ନୂଆ ଆକାଉଂଟ୍‌ରେ ତାଙ୍କୁ ଟଙ୍କା ଯୋଗାଉ ଥାଇପାରେ ବୋଲି କୁହାଯାଇପାରେ। ମାତ୍ର ପୁଲିସ ଏ ନେଇ କିଛି ସ୍ପଷ୍ଟ ଭାବେ କହିବା ଅବସ୍ଥାରେ ନାହିଁ। ପ୍ରଥମେ ଉକ୍ତ ବ୍ୟକ୍ତିଙ୍କ ସହ ଆଲୋଚନା ଓ ପରେ ସିସିଟିଭି ଫୁଟେଜ୍‌ ତନଖି କରିବା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ଏହି ମାମଲାରେ ପୁଲିସକୁ ବହୁ ବ୍ୟକ୍ତି ଅଯଥାରେ ହଇରାଣ କରିବାକୁ ଚେଷ୍ଟା କରୁଥିବାରୁ ପୁଲିସ ବଡ଼ ସତର୍କତାର ସହ ତଦନ୍ତକୁ ଆଗକୁ ନେଉଛି।

ସମ୍ବନ୍ଧିତ ଖବର