ଏମ୍‌ସ ଛାତ୍ର ସୋହେଲ୍‌ ନିଖୋଜ ମାମଲା : ଗୁରଗାଓଁରେ ଲାଗିଲା ମିସିଂ ପୋଷ୍ଟର

ସପ୍ତାହେ ବିତିଲା, ସୁରାକ୍‌ ମିଳିଲାନି

ଖଣ୍ଡଗିରି : ଭୁବନେଶ୍ୱର ଏମ୍‌ସର ନିଖୋଜ କଶ୍ମୀର ଛାତ୍ର ସୋହେଲ୍‌କୁ ଖୋଜୁଥିବା ଚାରି ଜଣିଆ ପୁଲିସ ଟିମ୍‌ ଚାରି ଚାରି ଦିନ କାଳ ବୁଲି ବୁଲି ହାଓ୍ଵଡ଼ାରୁ ଖାଲି ହାତରେ ଫେରିଥିଲା। ଏଥର ବି ପୁଲିସ ଟିମ୍‌ ଦିଲ୍ଲୀରୁ ଖାଲି ହାତରେ ଫେରିବ ବୋଲି ଜଳଜଳ ହୋଇ ଦିଶିଯାଉଛି। ସପ୍ତାହ ଟିଏ ବିତି ସାରିଥିଲେ ବି ସୋହେଲ୍‌ ବାବଦରେ ସାମାନ୍ୟ ସୁରାକ୍‌ ମିଳିପାରିନାହିଁ। ହୁଦା ସିଟି ସେଣ୍ଟରରୁ ଜମ୍ମୁକଶ୍ମୀର ବ୍ୟାଙ୍କ ଓ ଗୁରଗାଓଁର ବିଭିନ୍ନ ଅଞ୍ଚଳ ବୁଲି ସାରିବା ପରେ ବି ପୁଲିସକୁ କିଛି ସଫଳତା ମିଳିନାହିଁ। କେବଳ କିଛି ଲୋକଙ୍କ ସୂଚନା ପୁଲିସ ଟିମ୍‌କୁ ଆଶା ଦେଖାଉଥିବାରୁ ପୁଲିସ ଗୁରଗାଓଁରେ ସୋହେଲଙ୍କ ମିସିଂ ପୋଷ୍ଟର୍‌ ଲଗାଇବା ସହ ଦିଲ୍ଲୀରେ ଖୋଜାଖୋଜି କରୁଛି। ତେବେ ଜାତୀୟସ୍ତରରେ ଚର୍ଚ୍ଚିତ ଏହି ମାମଲାକୁ ନେଇ ଦିନକୁ ଦିନ ସନ୍ଦେହ ବଢ଼ିବାରେ ଲାଗିଛି।

ଫେବ୍ରୁଆରି ଶେଷ ସପ୍ତାହରେ ଖଣ୍ଡଗିରି ଥାନା ଟିମ୍‌ ହାଓ୍ଵଡ଼ାରୁ ବୁଲି ବୁଲି ବିଫଳ ହୋଇ ଫେରିଥିଲା। ଏତିକିବେଳେ ଦିଲ୍ଲୀରୁ ଫୋନ୍‌ ମିଳିଥିଲା ସେ ସୋହେଲ୍‌କୁ ଗୁରଗାଓଁ ସେକ୍ଟର ୪୪ ସ୍ଥିତ ଜମ୍ମୁକଶ୍ମୀର ବ୍ୟାଙ୍କ ଏଟିଏମ୍‌ ନିକଟରେ ଓ ହୁଦା ମେଟ୍ରୋ ଷ୍ଟେସନରେ ଲୋକେ ଦେଖିଛନ୍ତି। ଭୁବନେଶ୍ୱରରେ ଥିବା ସୋହେଲ୍‌ର ବାପା ଏଜାଜ୍‌ ଅହମ୍ମଦଙ୍କ ପାଖକୁ ଆସିଥିବା ଏହି ଫୋନ୍‌ ବାବଦରେ ପୁଲିସ ସୂଚନା ପାଇବା ପରେ ଗତ ୮ ତାରିଖରେ ଏକ ଟିମ୍‌ ଦିଲ୍ଲୀ ଯାତ୍ରା କରିଥିଲା। ପରଦିନ ସୋହେଲ୍‌ଙ୍କ ବାପା ଏଜାଜ୍‌ ଓ ଭାଇ ମୁଶାରଫ୍‌ ମଧ୍ୟ ଦିଲ୍ଲୀ ଯାଇ ମିସନ୍‌ ସୋହେଲ୍‌ରେ ପୁଲିସ ସହ ସାମିଲ୍‌ ହୋଇଥିଲେ। ୯ ତାରିଖରୁ ଏହି ପୁଲିସ ଟିମ୍‌ ସେକ୍ଟର୨ ପୁଲିସ ସହଯୋଗରେ ହୁଦା ମେଟ୍ରୋ ଷ୍ଟେସନର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ସେହିଭଳି ପରଦିନ ସେକ୍ଟର ୪୪ ପୁଲିସ ସହଯୋଗରେ ଜମ୍ମୁକଶ୍ମୀର ବ୍ୟାଙ୍କ ଯାଇ ସିସିଟିଭି ଫୁଟେଜ୍‌ ଓ ଆକାଉଣ୍ଟ ଇତ୍ୟାଦି ତଲାସି ଥିଲା। ମାତ୍ର ସବୁ କିଛି ନିଷ୍ଫଳ ହୋଇଥିଲା। ଏହା ପରେ ପୁଲିସ ଟିମ୍‌ ଗୁରଗାଓଁର ବିଭିନ୍ନ ସ୍ଥାନରେ ସୋହେଲ୍‌ର ଫଟୋ ପୋଷ୍ଟର ଲଗାଇଥିଲା।

ତେବେ କିଛି ସ୍ଥାନୀୟ ଲୋକ ସୋହେଲ୍‌ ଭଳି ଦେଖାଯାଉଥିବା ଜଣେ ଯୁବକଙ୍କୁ ଦେଖିଛନ୍ତି ବୋଲି କହିଥିଲେ। ତେଣୁ ପୁଲିସ ସୋହେଲ୍‌ ସନ୍ଧାନ ପାଇବା ଆଶା କରି ଆଉ କିଛି ଦିନ ସେଠାରେ ଡେରା ପକାଇଲା। ଗୁର୍‌ଗାଓଁସ୍ଥିତ ଇସ୍‌ଲାମ୍‌ପୁରରେ ଜମ୍ମୁକଶ୍ମୀରର କିଛି ଲୋକ ରହୁଛନ୍ତି। କାଳେ ସେଠାରୁ କିଛି ସୁରାକ୍‌ ମିଳିବା ଆଶା କରି ପୁଲିସ ସେଠାରେ ଖବ୍‌ରି ରଖି ବସି ରହିଛି। ସେହିଭଳି ସ୍ଥାନୀୟ ସୋହନା ରୋଡ଼ ଅଞ୍ଚଳରେ ବି ପୁଲିସ ଖବରି ଖଞ୍ଜିଛି। ମାତ୍ର ଏ ଭିତରେ ଗୋଟିଏ ସପ୍ତାହ ବିତି ଯାଇଥିଲେ ବି ପୁଲିସକୁ ସୋହେଲ ବାବଦରେ କିଛି ସୁରାକ୍‌ ମିଳିନଥିବା ଜଣାପଡ଼ିଛି। ତେଣୁ ଏବେ ପୁଲିସ ଟିମ୍‌ ନିରାଶାରେ ବସିଛି। ଯଦି ଆଉ ଦିନେ ଦୁଇ ଦିନ ଭିତରେ କିଛି ସୁରାକ୍‌ ନ ମିଳେ, ପୁଲିସ ଟିମ୍‌ ଖାଲି ହାତରେ ଫେରିବାକୁ ବାଧ୍ୟ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର