ଡିଜିପିଙ୍କୁ ଏନ୍‌ଏଚ୍‌ଆରସିଙ୍କ ରିପୋର୍ଟ ତଲବ

ଏମ୍‌ସ ଛାତ୍ର ସୋହେଲ ନିଖୋଜ ମାମଲା

ଖଣ୍ଡଗିରି: ଭୁବନେଶ୍ୱର ଏମ୍‌ସର ଦ୍ୱିତୀୟ ବାର୍ଷିକ କଶ୍ମୀର ଛାତ୍ର ସୋହେଲ୍‌ ଆଇଜାଦ୍‌ ନିଖୋଜ ମାମଲାରେ ରାଜ୍ୟ ପୁଲିସ ମହାନିର୍ଦେଶକ(ଡିଜିପି)ଙ୍କୁ ଜାତୀୟ ମାନବାଧିକାର ଆୟୋଗ(ଏନ୍‌ଏଚ୍‌ଆର୍‌ସି) ରିପୋର୍ଟ ମାଗିଛନ୍ତି। ସୋହେଲଙ୍କୁ ଖୋଜି ବାହାର କରିବା ପାଇଁ ପୁଲିସ କି କି ପଦକ୍ଷେପ ଗ୍ରହଣ କରିଛି ଓ କାହିଁକି ତାଙ୍କୁ ଠାବ କରାଯାଇନାହିଁ, ସେ ବାବଦରେ ୪ ସପ୍ତାହରେ ବିସ୍ତତ ରିପୋର୍ଟ ପ୍ରଦାନ କରିବାକୁ ଆୟୋଗ ଡିଜିପିଙ୍କୁ ନିର୍ଦେଶ ଦେଇଛନ୍ତି। ହାଓ୍ଵଡ଼ା ଓ ଦିଲ୍ଲୀରେ ବୁଲି ବୁଲି ଭୁବନେଶ୍ୱର କମିସନରେଟ୍‌ ପୁଲିସ ସୋହେଲ୍‌ଙ୍କୁ ପାଇ ନଥିବାବେଳେ ଏନ୍‌ଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ ପୁଲିସକୁ ଏବେ ଅଡ଼ୁଆରେ ପକାଇଛି।

ଉଲ୍ଲେଖଯୋଗ୍ୟ ସେ ଫେବ୍ରୁଆରି ୯ ତାରିଖରୁ ସୋହେଲ୍‌ ଭୁବନେଶ୍ୱର ଏମ୍‌ସର ଛାତ୍ରବାସ  ଛାଡ଼ିଥିଲେ। ଚଣ୍ଡୀଗଡ଼ରେ ଏକ ବିବାହ ଉତ୍ସବରେ ଯୋଗ ଦେଇ ସେହି ମାସ ୧୭ ତାରିଖରେ ଫେରିଆସିବେ କହି ସେ ଯାଇଥିଲେ। ମାତ୍ର ୧୮ ତାରିଖ ସୁଦ୍ଧା ନ ଫେରିବା ଓ ପରିବାର ଲୋକଙ୍କ ସହ ଯୋଗାଯୋଗରେ ନଥିବା ଜଣାପଡ଼ିବା ପରେ ଏମ୍‌ସ କର୍ତୃପକ୍ଷ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଛାନ୍‌ଭିନରୁ ଜଣାପଡ଼ିଲା ସେ ଫେବ୍ରୁଆରି ୧୦ ଭୋର୍‌ ପର୍ଯ୍ୟନ୍ତ ସୋହେଲ୍‌ଙ୍କ ମୋବାଇଲ୍‌ ଫୋନ୍‌ ଖୋଲା ରହିଥିଲା ଓ ହାଓ୍ଵଡ଼ା ରେଳଷ୍ଟେସନ୍‌ରେ ଥିଲା। କିନ୍ତୁ ତା ପରଠାରୁ ମୋବାଇଲ୍‌ ଫୋନ୍‌ ବନ୍ଦ ହୋଇଯାଇଥିଲା। ଛାତ୍ରାବାସରୁ ମିଳିଥିବା ସୋହେଲ୍‌ଙ୍କ ଚିଠି ’ଆଇ କୁଇଟ୍‌’ରୁ ଅନେକ କଥା ସନ୍ଦେହ ସୃଷ୍ଟି କରିଥିଲା। ସେମିଷ୍ଟାର ପରୀକ୍ଷାରେ ବ୍ୟାକ୍‌ ଲାଗିଥିବାରୁ ସେ କିଛି ଅଘଟଣ ଘଟାଇପାରନ୍ତି ବୋଲି ସନ୍ଦେହ ହୋଇଥିଲା। ଏମିତିକି ଜମ୍ମୁକଶ୍ମୀର କୁପ୍‌ଓ୍ଵାଡା ଜିଲ୍ଲା ଭଳି ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀପ୍ରବଣ ଜିଲ୍ଲାର ଯୁବକ ହୋଇଥିବାରୁ ସେ କୌଣସି ଆତଙ୍କବାଦୀ ସଂଗଠନରେ ସାମିଲ୍‌ ହୋଇଥିବା ନେଇ ସନ୍ଦେହ କରାଯାଉଥିଲା। ତେଣୁ ଖଣ୍ଡଗିରି ଥାନାର ଏକ ଚାରି ଜଣିଆ ଟିମ୍‌ ହାଓ୍ଵଡ଼ା ଗସ୍ତ କରିଥିଲା। ଫେବ୍ରୁଆରି ମାସ ଶେଷ ସପ୍ତାହଯାକ ସେଠାରେ ବିଭିନ୍ନ ଥାନା ବୁଲି ବୁଲି ଅପମୃତ୍ୟୁ ମାମଲା ଦରାଣ୍ଡିବା ସହ ସୋହେଲଙ୍କ ଫଟୋ ପୋଷ୍ଟର ଲଗାଇ ଖୋଜିବାକୁ ଉଦ୍ୟମ କରିଥିଲା। କିନ୍ତୁ କିଛି ଫଳ ମିଳି ନଥିଲା। ଏହା ପରେ ମାର୍ଚ୍ଚ ୬ ତାରିଖରେ ଦିଲ୍ଲୀରେ ସୋହେଲ୍‌ଙ୍କୁ ଦେଖିଥିବା ନେଇ କେହି ଜଣେ ସୋହେଲଙ୍କ ବାପା ଏଜାଜ୍‌ ଅହମ୍ମଦଙ୍କୁ ଫୋନ୍‌ ଯୋଗେ ଜଣାଇଥିଲା। ସେତେବେଳକୁ ଭୁବନେଶ୍ୱରରେ ରହିଥିବା ଏଜାଜ୍‌ ତୁରନ୍ତ ଖଣ୍ଡଗିରି ଥାନା ପୁଲିସକୁ ଏ ବାବଦରେ ଜଣାଇଥିଲେ। ଗୁରଗାଓଁ ସେକ୍ଟର-୪୪ ସ୍ଥିତ ଜମ୍ମୁକଶ୍ମୀର ବ୍ୟାଙ୍କ ନିକଟରେ ସୋହେଲଙ୍କୁ ଦେଖିଛି ବୋଲି ଉକ୍ତ ବ୍ୟକ୍ତି ଜଣଙ୍କ ଏଜାଜ୍‌ଙ୍କୁ କହିଥିଲା। ଏହି ସୁରାକ୍‌ ନେଇ ଖଣ୍ଡଗିରି ଥାନାର ଏକ ୩ ଜଣିଆ ଟିମ୍‌ ଦିଲ୍ଲୀ ବାହାରି ଯାଇଥିଲା। ଦିଲ୍ଲୀରେ ସୋହେଲ ମିଳିଯିବ ବୋଲି ପୁଲିସ ଆଶାବାଦୀ ହୋଇପଡ଼ିଥିଲା। ମାତ୍ର ଫଳ ହେଲା ଓଲଟା। ଫୋନ୍‌ କରିଥିବା ଉକ୍ତ ବ୍ୟକ୍ତି ପୁଲିସକୁ ସହଯୋଗ କଲା ନାହିଁ। ବିଭିନ୍ନ ଜନଗହଳିପୂର୍ଣ ସ୍ଥାନରେ ସୋହେଲ୍‌ ଫଟୋ ଥିବା ପୋଷ୍ଟର ଲଗାଇଲା। ଗୁରଗାଓଁ ଇସ୍‌ଲାମପୁର ଓ ସୋହନା ରୋଡ୍‌ ଭଳି କଶ୍ମୀରବାସୀ ବା ମୁସଲମାନ ରହୁଥିବା ଅଞ୍ଚଳରେ ପୁଲିସ ଖବରୀ ଖଞ୍ଜିଲା। କିନ୍ତୁ କିଛି ବି ଲାଭ ମିଳିଲାନାହିଁ। ସୋହେଲ୍‌ ମଧ୍ୟ କୌଣସି ଆତଙ୍କବାଦୀ ସଂଗଠନରେ ସାମିଲ୍‌ ହୋଇଥିବା ନେଇ କିଛି ସୁରାକ୍‌ ମିଳିନାହିଁ।

ସମ୍ବନ୍ଧିତ ଖବର