ନିଜ ଡାକ୍ତରଙ୍କୁ ସୁବିଧା ଦେବାକୁ କୁନ୍ଥକୁନ୍ଥ ଏମ୍‌ସ: ସ୍ବାସ୍ଥ୍ୟ ବୀମା ଯୋଜନାର ଲାଭ ପାଇବାକୁ ୩ ମାସ

ଭୁବନେଶ୍ବର: ନିଜେ କାର୍ଯ୍ୟ କରୁଥିବା ଡାକ୍ତରଖାନାରେ ସ୍ବାସ୍ଥ୍ୟ ବୀମା ଯୋଜନାର ଲାଭ ପାଇବାକୁ ଏମ୍‌ସ ଆବାସୀୟ ମହିଳା ଡାକ୍ତରଙ୍କୁ ୩ ମାସ ଲାଗିଯିବା ଘଟଣା ଚର୍ଚାର ବିଷୟ ହୋଇଛି। ଏପରିକି ଡାକ୍ତର ଜଣକ ନିଜେ ଏକୁଟିଆ ଏଥିପାଇଁ ଚେଷ୍ଟା କରି ନିରାଶ ହୋଇଥିଲେ। ଆବାସୀୟ ଡାକ୍ତର ସଂଘ ପ୍ରୟାସ ପରେ ସେ ଏହାର ସୁଫଳ ପାଇଛନ୍ତି।

ଏମ୍‌ସ ଆବାସୀୟ ଡାକ୍ତର ସଂଘର ଅଭିଯୋଗ ଅନୁଯାୟୀ, ଏମ୍‌ସରେ ଥିବା ସ୍ବାସ୍ଥ୍ୟ ବୀମା ଯୋଜନା ଅନ୍ତର୍ଗତରେ ଏଠାରେ କାର୍ଯ୍ୟରତ ଡାକ୍ତର ଓ ତାଙ୍କ ଉପରେ ନିର୍ଭରଶୀଳ ସମ୍ପର୍କୀୟ ଅଭିଭାବକ, ସନ୍ତାନ, ସ୍ବାମୀ ବା ସ୍ତ୍ରୀ ବିନା ଦେୟରେ ସମସ୍ତ ପ୍ରକାର ସ୍ବାସ୍ଥ୍ୟ ସୁବିଧା ପାଇପାରିବେ। ଗତ ଅଗଷ୍ଟ ମାସରେ ଏମ୍‌ସର ଆବାସୀୟ ମହିଳା ଡାକ୍ତର ସ୍ବାସ୍ଥ୍ୟ ବୀମା ଯୋଜନାରେ ତାଙ୍କ ଶିଶୁ କନ୍ୟାଙ୍କ ଟିକାକରଣ ପାଇଁ ଡାକ୍ତରଖାନାରେ ଅନୁରୋଧ କରିଥିଲେ। କେବଳ ଆବାସୀୟ ଡାକ୍ତରଙ୍କୁ ବୀମା ଯୋଜନାର ଲାଭ ମିଳିବ ଓ ସମ୍ପର୍କୀୟଙ୍କୁ ମିଳିବ ନାହିଁ ବୋଲି କହି ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଫେରାଇ ଦେଇଥିଲେ। ସେ ଏହାର ପ୍ରତିବାଦ କରି ନିର୍ଦେଶକ ଓ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଶୁଣିନଥିଲେ। ଏହାକୁ ନେଇ ଅସନ୍ତୁଷ୍ଟ ଆବାସୀୟ ଡାକ୍ତର ସଂଘ ଯୁକ୍ତି କରିଥିଲା ଯେ ଏମ୍‌ସ ଦିଲ୍ଲୀର ନିୟମ ଅନୁଯାୟୀ ଦେଶର ସବୁ ଏମ୍‌ସର ନୀତି ନିର୍ଧାରଣ ହୁଏ। ସ୍ବାସ୍ଥ୍ୟ ବୀମା ଯୋଜନାରେ ଆବାସୀୟ ଡାକ୍ତର ଓ ତାଙ୍କ ପରିବାରକୁ ସାମିଲ କରିବା ନୀତି କାହିଁକି ଲାଗୁ କରାଯିବ ନାହିଁ ବୋଲି ସଂଘ କହିଥିଲା। ଏହାକୁ ନେଇ ସେପ୍ଟେମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ସଂଘ ପକ୍ଷରୁ ଲଗାତାର ବିଭିନ୍ନ କ୍ଷେତ୍ରରେ ଲଢ଼େଇ କରାଯାଇଥିଲା। ଶେଷରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦେଶରେ ଏମ୍‌ସ ଭୁବନେଶ୍ବର ଏହି ନୀତି ଗ୍ରହଣ କରିଥିଲା ଓ ମହିଳା ଡାକ୍ତରଙ୍କ ଝିଅଙ୍କୁ ଏହି ଯୋଜନାର ସୁଫଳ ମିଳିଛି।

ସମ୍ବନ୍ଧିତ ଖବର