ଭୁବନେଶ୍ବର: ତ୍ବରିତ ଓ ଗୁଣାତ୍ମକ ଜରୁରୀକାଳୀନ ସେବା ଯୋଗାଇଦେବା ଲକ୍ଷ୍ୟରେ ଭୁବନେଶ୍ବର ଏମ୍‌ସରେ ନୂଆ ଟ୍ରମା କେନ୍ଦ୍ର ଖୋଲିଛି। ବଢ଼ୁଥିବା ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହାର ଶଯ୍ୟା ସଂଖ୍ୟା ମଧ୍ୟ ବୃଦ୍ଧି କରାଗଲା। ତେବେ ଉଦ୍‌ଘାଟନର ଏକ ବର୍ଷ ପରେ ମଧ୍ୟ ଏମ୍‌ସ ଟ୍ରମା କେନ୍ଦ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ। ପ୍ରତିଦିନ ଏଠାକୁ ୧୮୦ରୁ ୨୦୦ ଗୁରୁତର ରୋଗୀ ଆସୁଛନ୍ତି। ମାତ୍ର ଶଯ୍ୟା ଅଭାବରୁ ସେମାନଙ୍କୁ ଏଠାରେ ଉପଯୁକ୍ତ ସେବା ଯୋଗାଇବା ସମ୍ଭବ ହେଉନଥିବାରୁ ସେମାନେ ଘରୋଇ ଡାକ୍ତରଖାନାମୁହାଁ ହେଉଛନ୍ତି। ଗୁରୁତର ଆବଶ୍ୟକତା ଥିବା ରୋଗୀଙ୍କ ପାଇଁ ଉପଯୁକ୍ତ ସମୟରେ ସହାୟତା ନମିଳିବା କାରଣରୁ ରୋଗୀଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

୨୦୨୪ ଫେବ୍ରୁଆରି ପ୍ରାରମ୍ଭରେ ଲୋକାର୍ପିତ ଏହି ଅତ୍ୟାଧୁନିକ ଟ୍ରମା କେନ୍ଦ୍ରରେ ୯୦ଟି ଶଯ୍ୟା ରହିବା କଥା। ଏଥିରେ ୧୬ଟି ‌ୟେଲୋ ଜୋନ୍‌, ୨ଟି ଇଏଚ୍‌ଏସ୍‌, ୬ଟି ରେଡ୍‌ ଜୋନ୍‌, ୨ଟି ଶିଶୁରୋଗ, ୧୧ଟି ଆଇସିୟୁ, ଏଚ୍‌ଡିୟୁ, ମେଡିକାଲ୍‌ ଆଇସିୟୁ ୭ଟି, ପ୍ରାଇଭେଟ୍‌ କ୍ୟାବିନ୍‌ ୭ଟି, ୪୦ଟି ଟ୍ରମା ୱାର୍ଡବେଡ୍‌ ଏବଂ ଗ୍ରିନ୍‌ଜୋନ୍‌ ବେଡ୍‌ ରହିବା କଥା। କିନ୍ତୁ ମାତ୍ର ୭୬ଟି କାର୍ଯ୍ୟକ୍ଷମ ରହିଛି। ଏପରିକି ଏପର୍ଯ୍ୟନ୍ତ ଏଚ୍‌ଡିୟୁ ଓ ମେଡିକାଲ୍‌ ଆଇସିୟୁ କାର୍ଯ୍ୟକ୍ଷମ ହୋଇନାହିଁ। ଅନୁରୂପ ଭାବେ ଆଇସିୟୁର ୪ଟି ଶଯ୍ୟା କାର୍ଯ୍ୟକ୍ଷମ ହୋଇନାହିଁ। ବିଭାଗରେ ୧୨ଜଣ ଫ୍ୟାକଲ୍ଟିଙ୍କ ସମେତ ସିନିୟର୍‌ ରେସିଡେଣ୍ଟ ଓ ସହାୟକମାନେ କାର୍ଯ୍ୟରତ ଅଛନ୍ତି। ତଥାପି ରୋଗୀ ସଂଖ୍ୟା ଅନୁଯାୟୀ ଶଯ୍ୟା ସଂଖ୍ୟା ନଥିବାରୁ ଲୋକଙ୍କୁ ଉପଯୁକ୍ତ ସେବା ମିଳୁ ନଥିବା ଅଭିଯୋଗ ହେଉଛି। 

ଶଯ୍ୟା ଅଭାବ ଭଳି ପରିସ୍ଥିତିରେ ଏମ୍‌ସ ଟ୍ରମା କେନ୍ଦ୍ରରେ ରୋଗୀମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଭଳି ଅଭିଯୋଗ ମଧ୍ୟ ଆସୁଛି। ପ୍ରତି ମୁହୂର୍ତ୍ତରେ ଏମ୍‌ସ ଟ୍ରମା କେନ୍ଦ୍ରକୁ ସମଗ୍ର ରାଜ୍ୟରୁ ରୋଗୀଙ୍କ ସୁଅ ଛୁଟୁଛି। ଆମ୍ବୁଲାନ୍ସ ପରେ ଆମ୍ବୁଲାନ୍ସ ଆସୁଛି। ରୋଗୀ କିଭଳି ଉପଯୁକ୍ତ ଚିକିତ୍ସା ପାଇବେ, ସେନେଇ ରୋଗୀଙ୍କ ସମ୍ପର୍କୀୟମାନେ ଚିନ୍ତିତ ରହୁଛନ୍ତି। ଶଯ୍ୟା ଅଭାବରୁ ରୋଗୀଙ୍କୁ ପରିଚାଳନା କରିବାରେ ସିନିୟର୍‌ ରେସିଡେଣ୍ଟ ଓ ଅନ୍ୟମାନେ ନୟାନ୍ତ ହେଉଛନ୍ତି। ସବୁଦିନ ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଛି। ତିନିଦିନ ତଳେ ଝାରପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି ଦୁର୍ଘଟଣାରେ ଆହତ ହୋଇ ଆସିଥିଲେ। ପ୍ରାୟ ଏକ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ଶଯ୍ୟା ନମିଳିବାରୁ ତାଙ୍କୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏନେଇ ରୋଗୀଙ୍କ ସମ୍ପର୍କୀୟ ଓ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟଙ୍କ ମଧ୍ୟରେ ବହୁ ସମୟ ଧରି ଯୁକ୍ତିତର୍କ ଲାଗିରହିଥିଲା। ଜଟିଳ ତଥା ଜରୁରିକାଳୀନ ଅବସ୍ଥାରେ ରୋଗୀଙ୍କୁ ଏକ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବାରୁ ରୋଗୀଙ୍କ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିଥିଲେ।

ଏସମ୍ପର୍କରେ ଭୁବନେଶ୍ବର ଏମ୍‌ସର ଅଧୀକ୍ଷକ ଡା. ଦିଲୀପ କୁମାର ପରିଡ଼ା କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଟ୍ରମା କେୟାର୍‌ରେ କାର୍ଯ୍ୟକ୍ଷମ ହୋଇନଥିବା ଶଯ୍ୟାଗୁଡ଼ିକ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା ଚାଲିଛି। ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ିବା ଯୋଗୁ ଏମ୍‌ସ ପରିସରରେ ୧୭୦ ଶଯ୍ୟା ବିଶିଷ୍ଟ ଏକ କ୍ରିଟିକାଲ୍‌ କେୟାର୍‌ ହସ୍ପିଟାଲ୍‌ ନିର୍ମାଣାଧୀନ ରହିଛି। ଏହା କାର୍ଯ୍ୟକ୍ଷମ ହେବା ପରେ ଦୁର୍ଘଟଣାଜନିତ ଗୁରୁତର ତଥା ଜରୁରୀକାଳୀନ ରୋଗୀଙ୍କୁ ପରିଚାଳନା କରିବାରେ ସୁବିଧା ହେବ। ସେହିପରି ରୋଗୀଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଆସିଲେ ବିଭାଗୀୟ ମୁଖ୍ୟଙ୍କୁ ଏସମ୍ପର୍କରେ ନୋଟିସ୍‌ ଦିଆଯିବ। ପ୍ରମାଣ ମିଳିଲେ ସଂପୃକ୍ତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ରହିଛି ବୋଲି ଡା. ପରିଡ଼ା କହିଛନ୍ତି।