ସ୍ଥାୟୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅପେକ୍ଷାରେ ଭୁବନେଶ୍ୱର ଏମ୍‌ସ

ଓଡ଼ିଶା ଡାକ୍ତରଙ୍କୁ ଉପେକ୍ଷା; ବାହାର ରାଜ୍ୟରୁ ନିଯୁକ୍ତି ସପକ୍ଷରେ ଲବି

ଭୁବନେଶ୍ୱର : ସ୍ଥାୟୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ଅପେକ୍ଷା କରିଛି ଏମ୍‌ସ ଭୁବନେଶ୍ବର। ବର୍ତ୍ତମାନ ମଙ୍ଗଲଗିରିର ନିର୍ଦ୍ଦେଶକ ଏଠିକାର ଦାୟିତ୍ବରେ ଅଛନ୍ତି। ଡିସେମ୍ବର ୨୦ ତାରିଖରୁ ଏମ୍‌ସ ଭୁବନେଶ୍ବର, ଭୋପାଳ, ପାଟଣା, ଋଷିକେଶ, ଗୌହାଟି, ଅବନ୍ତୀପୁର ଏବଂ ଦରଭଙ୍ଗା ନିର୍ଦ୍ଦେଶକ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦେଶର ଅଭିଜ୍ଞ ଏବଂ ସର୍ବୋଚ୍ଚ ଯୋଗ୍ୟତାପ୍ରାପ୍ତ ୧୨୪ ପ୍ରଫେସର୍‌ଙ୍କ ସାକ୍ଷାତକାର ନିଆଯାଇଥିଲା। ଏଥିରେ ଏମ୍‌ସ ଭୁବନେଶ୍ବରର ପୂର୍ବତନ ନିର୍ଦ୍ଦେଶିକା ଗୀତାଞ୍ଜଳି. ବି, ଅଧୀକ୍ଷକ ପ୍ରଫେସର୍‌ ସଚ୍ଚିଦାନନ୍ଦ ମହାନ୍ତି, ରେଡିଓଲୋଜି ବିଭାଗର ପ୍ରଫେସର୍‌ ଦିଲ୍ଲୀପ ପରିଡ଼ା, ସର୍ଜିକାଲ ଅଙ୍କୋଲୋଜି ବିଭାଗର ପ୍ରଫେସର୍‌ ମାଧବାନନ୍ଦ କର, ଏସ୍‌ସିବି ମେଡିକାଲ କଲେଜ ଶ୍ବାସରୋଗ (ପଲ୍‌‌ମୋନାରି) ବିଭାଗର ପ୍ରଫେସର୍‌ ମନୋରଞ୍ଜନ ପଟ୍ଟନାୟକ, ନ୍ୟୁରୋସର୍ଜରି ବିଭାଗର ପ୍ରଫେସର୍‌ ସୁଧାଂଶୁ ଶେଖର ମିଶ୍ର, ଭୁବନେଶ୍ବରସ୍ଥିତ ସ୍ପର୍ଶ ଡାକ୍ତରଖାନାର କନ୍‌ସଲଟାଣ୍ଟ ସର୍ଜନ ଡା. ଦୀପକ ରାଉତରାୟ, ଅବସରପ୍ରାପ୍ତ ଡିଏମ୍‌ଇଟି ଡା. ସୁନାମାଳି ବାଗ, କିମ୍ସ ଅଧୀକ୍ଷକ ବ୍ରିଗେଡିୟର ଅମ୍ବିକା ପ୍ରସାଦ ମହାନ୍ତି ରହିଥିଲେ। ବର୍ତ୍ତମାନ ସୁଦ୍ଧା ୭ଟି ଏମ୍‌ସ ପାଇଁ ନିର୍ଦ୍ଦେଶକ ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ହୋଇସାରିଛି। ଏକ ତାଲିକା ସଂସଦୀୟ କମିଟି ପାଖକୁ ମଧ୍ୟ ପଠାଯାଇଛି। ଖୁବ୍‌ଶୀଘ୍ର ନାମ ଘୋଷଣା ହେବ ବୋଲି ଆଶା ରହିଛି।

ଏମ୍‌ସ ଭୁବନେଶ୍ବରର ପ୍ରଥମ ନିର୍ଦ୍ଦେଶକ ଭାବେ ଡା. ଅଶୋକ ମହାପାତ୍ର ରହିଥିଲେ। ତାଙ୍କ କାର୍ଯ୍ୟକାଳରେ ଏମ୍‌ସର ଅନେକ ବିକାଶ ହୋଇଥିଲା। ତେଣୁ ଜଣେ ଓଡ଼ିଆ ଭୁବନେଶ୍ବର ଏମ୍‌ସର ନିର୍ଦ୍ଦେଶକ ହେଲେ ଓଡ଼ିଶା ଓ ଓଡ଼ିଆ ରୋଗୀଙ୍କ ସ୍ବାର୍ଥରକ୍ଷା ଦିଗରେ କାମ କରିପାରିବେ। କିନ୍ତୁ ଏମ୍‌ସ ଭୁବନେଶ୍ବରରେ କାର୍ଯ୍ୟରତ କେହି ଡାକ୍ତର ୨୦ ବର୍ଷ ପର୍ଯ୍ୟନ୍ତ ଏଠିକାର ନିର୍ଦେଶକ ହୋଇପାରିବେ ନାହିଁ ବୋଲି ନିୟମ ରହିଛି। ଏହାବ୍ୟତୀତ ଓଡ଼ିଶାର ଅନ୍ୟ ହସ୍ପିଟାଲରେ କାର୍ଯ୍ୟରତ ଓଡ଼ିଆ ଡାକ୍ତରଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯିବ ନାହିଁ ବୋଲି ଏକ ଅଲିଖିତ ନିର୍ଦ୍ଦେଶ ଆସିଥିବା ଜଣାପଡ଼ିଛି। ବର୍ତ୍ତମାନ ଏମ୍‌ସ ଭୁବନେଶ୍ବରର ନିର୍ଦ୍ଦେଶକ ଭାବେ ଏମ୍‌ସ ଭୋପାଳର ଡିନ୍‌ ଏବଂ ଏମ୍‌ସ ଦିଲ୍ଲୀର ମେଡିସିନ୍‌ ବିଭାଗର ଫାକଲ୍‌ଟିଙ୍କ ନାମ ଚର୍ଚ୍ଚାର ସର୍ବାଗ୍ରେ ରହିଛି। ଏମ୍‌ସ ଦିଲ୍ଲୀ ମେଡିସିନ୍‌ ବିଭାଗର ଫାକଲଟିଙ୍କ ଘର ନବରଙ୍ଗପୁରରେ। ଓଡ଼ିଶାରେ କାର୍ଯ୍ୟରତ ଏମ୍‌ସର ଜଣେ ପ୍ରଫେସର୍‌ଙ୍କ ନାମ ନିର୍ଦ୍ଦେଶକ ଭାବେ ଚୟନ ହୋଇଥିବା ଆଉ ଗୋଟିଏ ମହଲରୁ ପ୍ରକାଶ। ହେଲେ ତାଙ୍କୁ ଭୁବନେଶ୍ବର ନୁହେଁ ବରଂ ଦରଭଙ୍ଗା ଏମ୍‌ସରେ ନିୟୋଜିତ କରାଯାଇପାରେ।

ସୂଚନା ଅନୁଯାୟୀ, ଏମ୍‌ସ ଭୁବନେଶ୍ବର ସମେତ ସବୁ ନୂତନ ଏମ୍‌ସ ନିର୍ଦ୍ଦେଶକଙ୍କ ମାନ୍ୟତା ହ୍ରାସ ପାଇଛି। ତୃତୀୟଥର ହେବାକୁ ଯାଉଥିବା ନିର୍ଦ୍ଦେଶକଙ୍କୁ ଆଉ ନିର୍ଦ୍ଦେଶକ ଭାବେ ନୁହେଁ, ବରଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୁହାଯିବ। ବର୍ତ୍ତମାନ କେବଳ ସ୍ବାସ୍ଥ୍ୟ ସଚିବଙ୍କ କାର୍ଯ୍ୟାଳୟ ଅନ୍ତର୍ଗତରେ ଆସୁଥିବା ଏମ୍‌ସ ଦିଲ୍ଲୀ, ପିଜିଆଇଏମ୍ଆର୍‌ ଚଣ୍ଡୀଗଡ଼ର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶକର ମାନ୍ୟତା ଦିଆଯାଇଛି। ଏହି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ମାନ୍ୟତା ଦିଲ୍ଲୀ ଏବଂ ଚଣ୍ଡୀଗଡ଼ଠାରୁ ତଳରେ ରହିବ। ସେମାନେ ଯୁଗ୍ମ ସଚିବଙ୍କ କାର୍ଯ୍ୟାଳୟ ଅଧୀନରେ ରହିବେ। ଅନ୍ୟପକ୍ଷରେ ନିର୍ଦ୍ଦେଶକଙ୍କ ମାନ୍ୟତା ସ୍ବାସ୍ଥ୍ୟ ସଚିବଙ୍କ ମାନ୍ୟତା ସହ ସମାନ ରହୁଥିଲା। ପାହ୍ୟା ଖସିବା ପରେ ଅନେକ ଯୋଗ୍ୟ ଫାକ୍‌ଲଟି ଏହି ପଦ ପାଇଁ କାର୍ଯ୍ୟ କରିବାକୁ ଇଚ୍ଛା କରୁନାହାନ୍ତି।

ସମ୍ବନ୍ଧିତ ଖବର