ଭୁବନେଶ୍ବର: ଦୀର୍ଘ ଦିନ ଧରି ରହୁଥିବା କ୍ଷତର ପ୍ରାଥମିକ ଚିକିତ୍ସା ସେବା ଦେଉଥିବା ଭୁବନେଶ୍ବର ଏବଂ ଏହାର ପାର୍ଶ୍ବବର୍ତ୍ତୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର, ନର୍ସ ଏବଂ ପାରା ମେଡିକାଲ କର୍ମଚାରୀମାନଙ୍କୁ ଏମସ ପକ୍ଷରୁ ତାଲିମ ପ୍ରଦାନର ଯୋଜନା ରହିଥିବା ସୂଚନା ଦେଇଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ। ଟ୍ରମା, ଜରୁରୀକାଳୀନ ବିଭାଗ, ଜେନେରାଲ ସର୍ଜରି ଏବଂ କଲେଜ ଅଫ୍ ନର୍ସିଂ ପକ୍ଷରୁ ଗଭୀର ଏବଂ ଦୀର୍ଘକାଳୀନ କ୍ଷତ ପରିଚାଳନା ନେଇ ଆୟୋଜିତ କର୍ମଶାଳାରେ ସେ ଏହି ସୂଚନା ଦେଇଥିଲେ। ସେ କହିଥିଲେ, ପ୍ରାଥମିକ ଚିକିତ୍ସା ସେବା ଦେଉଥିବା ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀମାନେ ମଧୁମେହଜନିତ ପାଦର ଘା’, ଦୀର୍ଘ ଦିନର ଆଘାତ ଜନିତ କ୍ଷତ, ଅଲସର୍ ଆଦିର ଯତ୍ନ ନେଇଥାଆନ୍ତି। ଉପଯୁକ୍ତ ଭାବେ ଏହାର ଚିକିତ୍ସା ହୋଇ ନପାରିଲେ ପରବର୍ତ୍ତୀ ଜୀବନରେ ରୋଗୀଙ୍କ ଅବସ୍ଥା ଜଟିଳ ହୋଇପଡ଼େ। ତେଣୁ ଏହାର ଉପଯୁକ୍ତ ଚିକିତ୍ସା ପାଇଁ ନିୟମିତ ତାଲିମର ଆବଶ୍ୟକତା ରହିଛି।
ଏହି ଅବସରରେ ଦେଶର ପ୍ରମୁଖ ଡାକ୍ତର ଜେପିଟିଏନଏଟିସି ଦିଲ୍ଲୀରୁ ସୁଷମା ସାଗର, ଏମ୍ସ ନୂଆଦିଲ୍ଲୀରୁ ଶିଜୋମୋଲ ଏମ୍. ଯୋଶେଫ୍ ଏବଂ ଭେନିଲା ଆର୍ ପ୍ରମୁଖ ଉନ୍ନତ ଜ୍ଞାନକୌଶଳ ସମ୍ପର୍କରେ ତାଲିମ୍ ଦେଇଥିଲେ। ଏମ୍ସ ଭୁବନେଶ୍ବରର ସର୍ଜରି ବିଭାଗ ଡାକ୍ତର ପଙ୍କଜ କୁମାର, ଟ୍ରମା ଏବଂ ପ୍ଲାଷ୍ଟିକ ସର୍ଜରିର ରିତେଶ ପଣ୍ଡା, ଅସ୍ଥିଶଲ୍ୟ ବିଭାଗର ସରୋଜ ପାତ୍ର, ବରିଷ୍ଠ ନର୍ସିଂ ଅଧିକାରୀ ଏସ୍. ଶୁଭ୍ରତା, ସୀମାରାଣୀ ପଣ୍ଡା, ସୁହଦ୍ରା ଯାଦବ ପ୍ରମୁଖଙ୍କୁ ନେଇ ଗଠିତ ଟିମ ବିଭିନ୍ନ ପ୍ରକାର କୌଶଳକୁ ଗୁରୁତ୍ବ ଦେଇଥିଲେ। କର୍ମଶାଳାରେ ସିଆରପିଏଫ, କିମସ ସମେତ ଏକାଧିକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରତିନିଧି ସାମିଲ ଥିଲେ। ଏମସ ପକ୍ଷରୁ ଡିନ୍ ଡା. ପିଆର୍ ମହାପାତ୍ର, ମେଡିକାଲ ଅଧୀକ୍ଷକ ଡା. ଦିଲ୍ଲୀପ ପରିଡ଼ା, ନର୍ସିଂ କଲେଜ ଅଧୀକ୍ଷକ ଡା. ଆଶା ପି ସେଟ୍ଟୀ, ଟ୍ରମା ଏବଂ ଜରୁରୀକାଳୀନ ବିଭାଗ ମୁଖ୍ୟ ଡା. ଚିତ୍ତରଞ୍ଜନ ମହାନ୍ତି, ସର୍ଜରି ବିଭାଗ ମୁଖ୍ୟ ଡା. ମାନସ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।