୨୫ରେ ଏମ୍‌ସର ପ୍ରଥମ ସମାବର୍ତ୍ତନ ଉତ୍ସବ: ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ୱର: ଭୁବନେଶ୍ୱର ଏମ୍‌ସ(ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ)ର ପ୍ରଥମ ସମାବର୍ତନ ଉତ୍ସବ ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ୨୦୦୩ରେ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ସିଜୁଆଠାରେ ଏହି ଜାତୀୟସ୍ତରୀୟ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ପଡ଼ିଥିବା ବେଳେ ୨୦୧୩ରେ ପାଠପଢ଼ା ଆରମ୍ଭ ହେଲା। ୫୦ ଜଣ ଏମ୍‌ବିବିଏସ୍‌ ଓ ୫୬ ଜଣ ବିଏସ୍‌ସି ନର୍ସିଂ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନକୁ ଇତି ମଧ୍ୟରେ ୫ ବର୍ଷ ପୂରଣ ହୋଇଛି। ୨୦୧୮ରେ ପ୍ରଥମ ବ୍ୟାଚ୍‌ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କୁ ଡିଗ୍ରି ପ୍ରଦାନ ଲାଗି କ୍ୟାମ୍ପସରେ ଆୟୋଜିତ ହେବ ପ୍ରଥମ ସମାବର୍ତନ ଉତ୍ସବ। ଏଥିରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବେ। ଉପରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ଏମ୍‌ସ କ୍ୟାମ୍ପସରେ ଜୋରଦାର ପ୍ରସ୍ତୁତି ଚାଲିଛି।

ଜଗିବେ ୨୫ ପ୍ଲାଟୁନ୍‌ ଫୋର୍ସ
ଉତ୍ସବକୁ ନେଇ କମିସନରେଟ୍‌ ପୁଲିସ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ଉପରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ବ୍ଲୁ-ବୁକ୍‌ ସିକ୍ୟୁରିଟି ବ୍ୟବସ୍ଥା ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଚିଠି ଆସିବା ପରେ ଆଜି କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର ତଦାରଖ କରାଯାଇଛି। ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତିଙ୍କ ସମେତ ଅତିରିକ୍ତ ପୁଲିସ କମିସନର ସଞ୍ଜୟ ସିଂ, ଡିସିପି ଅନୁପ ସାହୁ, ଟ୍ରାଫିକ୍‌ ଏସିପି ଅନୁପ୍‌ କାନୁନ୍‌ଗୋ ପ୍ରମୁଖ ବିମାନବନ୍ଦରଠାରୁ ଏମ୍‌ସ ପର୍ଯ୍ୟନ୍ତ ରାସ୍ତାର ସୁରକ୍ଷା ଯାଞ୍ଚ କରିଥିଲେ। ଉପରାଷ୍ଟ୍ରପତି ବିମାନବନ୍ଦରରେ ଓହ୍ଲାଇବା ପରେ ରାଜଭବନ ଯିବେ। ସେଠାରୁ ଜୟଦେବ ବିହାର ଦେଇ ଜାତୀୟ ରାଜପଥ ୧୬ରେ ଯାଇ ଏମ୍‌ସରେ ପହଞ୍ଚିବେ। ଉତ୍ସବ ସରିବା ପରେ ସିଧାସଳଖ ବିମାନବନ୍ଦର ଅଭିମୁଖେ ଯିବେ। ପ୍ରାୟ ୩ ଘଣ୍ଟା ଧରି ଉପରାଷ୍ଟ୍ରପତି ଭୁବନେଶ୍ୱରରେ ରହିବେ ବୋଲି ସୂଚନା ମିଳିଛି। ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ବିମାନବନ୍ଦରଠାରୁ ଏମ୍‌ସ ପର୍ଯ୍ୟନ୍ତ ୨୫ ପ୍ଲାଟୁନ୍‌ ଫୋର୍ସ ଓ ୧୨୫ ଅଫିସର ନିୟୋଜିତ ହେବେ। ଉତ୍ସବ ସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ହେବ। ରାସ୍ତାରେ ବାରିକେଡ୍‌ କରାଯାଇଛି। ଗସ୍ତ ପୂର୍ବରୁ ଆସନ୍ତା ୨୪ ତାରିଖରେ ରିର୍ହାସେଲ୍‌ କରାଯିବ ବୋଲି ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତି ସୂଚନା ଦେଇଛନ୍ତି।

୨୩ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ
୨୦୧୩ରେ ନାମ ଲେଖାଇଥିବା ପ୍ରଥମ ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କୁ ସମାବର୍ତନ ଉତ୍ସବରେ ଡିଗ୍ର୍ରି ପ୍ରଦାନ କରାଯିବ। ଏଥିରେ ୫୦ ଜଣ ଏମ୍‌ବିବିଏସ୍‌ ଓ ୫୬ଜଣ ବିଏସ୍‌ସି ନର୍ସିଂରେ ଡିଗ୍ରି ହାସଲ କରିଥିବା ଛାତ୍ରଛାତ୍ରୀ ରହିଛନ୍ତି। ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୩ ଜଣଙ୍କୁ ସ୍ୱର୍ଣ୍ଣପଦକ ଦିଆଯିବ। ପୂର୍ବାହ୍ନରେ ପ୍ରାୟ ଏକ ଘଣ୍ଟା ଧରି ଏହି ଉତ୍ସବ ଅନୁଷ୍ଠିତ ହେବ।

ପଡ଼ିବ ଧର୍ମଶାଳାର ଭିତ୍ତିପ୍ରସ୍ତର
ନାଲ୍‌କୋ ସହାୟତାରେ ଭୁବନେଶ୍ୱର ଏମ୍‌ସ ପରିସରରେ ଧର୍ମଶାଳା ପ୍ରତିଷ୍ଠା ହେବ। ପୂର୍ବରୁ ପ୍ରସ୍ତାବିତ ହେଲିପ୍ୟାଡ୍‌ ସ୍ଥାନରେ ଏହି ଧର୍ମଶାଳା ନିର୍ମାଣ କରାଯିବ। ନାଲ୍‌କୋ ସହାୟତାରେ ପ୍ରାୟ ଏକ ଏକର ଜମିରେ ଏହା ଛିଡ଼ା ହେବ। ସମାବର୍ତନ ଉତ୍ସବରେ ଯୋଗଦେବା ଅବସରରେ ଉପରାଷ୍ଟ୍ରପତି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେହିପରି ଏନ୍‌ଟିପିସି ସହାୟତାରେ ଏମ୍‌ସ ପରିସରରେ ଖୋଲିବାକୁ ଥିବା ବର୍ଣ୍ଣ ଓ୍ଵାର୍ଡର ଭିତ୍ତିପ୍ରସ୍ତର ଉପରାଷ୍ଟ୍ରପତିଙ୍କ ଦ୍ୱାରା ପଡ଼ିବ। ଏଥିରେ ୨୫କୋଟି ଟଙ୍କାର ସମାଗ୍ରୀ ଲାଗିବ। ପ୍ରଥମ ପର୍ଯ୍ୟାୟରେ ଏନ୍‌ଟିପିସି ଏଥିପାଇଁ ୧୫କୋଟି ଟଙ୍କା ଦେବ। ଏଥିସହ ନିର୍ମାଣ ଶେଷ ହୋଇଥିବା ତରଳ ଅକ୍ସିଜେନ୍‌ ପ୍ଲାଣ୍ଟର ଲୋକାର୍ପଣ କରାଯିବ।

ଓଡ଼ିଆ କଳା ଓ ସଂସ୍କୃତିର ଝଲକ୍‌
ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବାକୁ ଥିବା ସମାବର୍ତନ ଉତ୍ସବରେ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ପ୍ରେକ୍ଷାଳୟ ପ୍ରବେଶ ପଥରେ ଚିତ୍ରକଳା ଅଙ୍କା ଯାଇଛି। ରାସ୍ତାର ଦୁଇ ପାର୍ଶ୍ୱରେ ଥୁଆ ହେବାକୁ ଥିବା ଫୁଲ କୁଣ୍ଡଗୁଡ଼ିକରେ ଝୋଟି, ଚିତା ପକା ଯାଉଛି। ଆସନ୍ତା ଦୁଇ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କ୍ୟାମ୍ପସକୁ ସୌନ୍ଦର୍ଯ୍ୟମୟ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର