କ୍ୟାନସର ଚିକିତ୍ସା ପାଇଁ ‘ହେଲା’ ଓ ‘ଲେଲା’ ଓ ‘ଗାମା କ୍ୟାମେରା’

ଏମ୍‌ସରେ ଲାଗିଲା ଅତ୍ୟାଧୁନିକ ଯନ୍ତ୍ରପାତି

ଖଣ୍ଡଗିରି: କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ଭୁବନେଶ୍ୱର ଏମ୍‌ସରେ ଏକ ନୂଆ ଯୁଗର ଆରମ୍ଭ ହେଉଛି। କ୍ୟାନ୍‌ସର ରୋଗର ଚିକିତ୍ସା ପାଇଁ ‘ହାଇ ଏନର୍ଜି ଲିନିୟର୍‌ ଆକ୍ସିଲେଟର୍‌(ହେଲା), ‘ଲୋ ଏନର୍ଜି ଲିନିୟର୍‌ ଅରକ୍ସିଲେଟର୍‌’(ଲେଲା) ଓ ଗାମା କ୍ୟାମେରା ଭଳି ଅତ୍ୟାଧୁନିକ ଯନ୍ତ୍ରପାତି ଲଗାଯାଇଛି। ଏଥିସହିତ ସିଟି ଷ୍ଟିମୁଲେଟର୍‌ ଓ ହାଇ ଡୋଜ୍‌ ରେଟ୍‌ ବ୍ରାକିଥେରାପି ଉପକରଣ ଲଗାଯାଇଛି। ଆସନ୍ତା ୨ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସବୁ ଯନ୍ତ୍ରପାତିଗୁଡ଼ିକୁ ଉଦ୍‌ଘାଟନ କରିବେ ବୋଲି ଏମ୍‌ସ କର୍ତୃପକ୍ଷ ସୂଚନା ଦେଇଛନ୍ତି। ତେଣୁ ଏଣିକି ଭୁବନେଶ୍ୱର ଏମ୍‌ସ କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ଦେଶର ଏକ ପ୍ରମୁଖ କେନ୍ଦ୍ରଭାବେ ପରିଗଣିତ ହେବାକୁ ଯାଉଛି।
ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶକ ଗୀତାଂଜଳି ବାତ୍ମାବାନୋଙ୍କ ସୂଚନାନୁସାରେ ୩୦ କୋଟି ଟଙ୍କା ବ୍ୟୟ କରାଯାଇ ଏହି ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରତିଷ୍ଠା କରାଯାଇଛି। ଉଚ୍ଚ ମାନର ରେଡିଓଥେରାପି ପାଇଁ ଏହି ଉପକରଣ ବହୁ ଉପାଦେୟ। ପୂର୍ବ ଭାରତ ତଥା ଓଡ଼ିଶାରେ ଏଭଳି ଯନ୍ତ୍ରପାତି ନଥିଲା। ତେଣୁ ସର୍ଜରି ପାଇଁ ସମସ୍ୟା ଦେଖା ଦେଉଥିବା ଭଳି ସ୍ଥାନରେ କ୍ୟାନ୍‌ସର ହେଉଥିଲେ, ରୋଗୀମାନେ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେବା ସହ ଚିକିତ୍ସା ବାବଦରେ ବହୁ ଅର୍ଥ ବ୍ୟୟ କରୁଥିଲେ। ମାତ୍ର ଏଣିକି ସ୍ୱଳ୍ପ ବ୍ୟୟରେ ରୋଗୀମାନେ ଏହି ଚିକିତ୍ସା ସେବା ପାଇପାରିବେ। ଅଙ୍କୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଦିଲ୍ଲୀପ କୁମାର ପରିଡ଼ା ଓ ସହକାରୀ ପ୍ରଫେସର ସରୋଜ ଦାସ ମଜୁମ୍‌ଦାର ଏହି ନୂତନ ଉପକରଣ ମାଧ୍ୟମରେ ରୋଗୀ ଚିକିତ୍ସା କରିବେ। ଏଥିସହିତ କିଡ୍‌ନି, ହାର୍ଟ, ବୋନ୍‌, ଲିଭର୍‌, ବ୍ରେନ୍‌ ଭଳି ଗୁରୁତ୍ୱପୂର୍ଣ ଅଙ୍ଗରେ ହେଉଥିବା ରୋଗର ନିରୂପଣ ପାଇଁ ଗାମା କ୍ୟାମେରା ଲଗାଯାଇଛି। ଓଡ଼ିଶାରେ ମାତ୍ର ୨ଟି କର୍ପୋରେଟ୍‌ ହସ୍ପିଟାଲରେ ଏହି କ୍ୟାମେରା ରହିଛି। ତେଣୁ ରୋଗୀମାନେ ଏଥିପାଇଁ ବହୁ ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ଏଣିକି ଭୁବନେଶ୍ୱର ଏମ୍‌ସରେ ସ୍ୱଳ୍ପ ଖର୍ଚ୍ଚରେ ଅର୍ଥାତ୍‌ ଘରୋଇ ହସ୍ପିଟାଲମାନଙ୍କ ତୁଳନାରେ ୨୦ ଶତକଡ଼ା କମ୍‌ ଖର୍ଚ୍ଚରେ ଏହି ଚିକିତ୍ସା ସେବା ଉପଲବ୍‌ଧ ହେବ। ରୋଗୀ ସମ୍ପର୍କୀୟମାନଙ୍କ ପାଇଁ ଏକ ବିଶାଳ ବିଶ୍ରାମ ଗୃହ ମଧ୍ୟ ନିର୍ମାଣ କରାଯାଇଛି। ପ୍ରାୟ ୨୫୦ ରୋଗୀ ସମ୍ପର୍କୀୟମାନେ ଏଠାରେ ବିଶ୍ରାମ କରିପାରିବେ। ସେହିଭଳି ଟିବି ରୋଗର ନିରୂପଣ ଓ ଚିକିତ୍ସା ପାଇଁ ମଧ୍ୟ ନୂତନ ଅତ୍ୟାଧୁନିକ ଉପକରଣ ଲଗାଯାଇଛି। ଉଲ୍ଲେଖଯୋଗ୍ୟ ଯେ ୭୨ ଜଣ ନୂତନ ଡାକ୍ତରଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି ଓ ଏ ଭିତରେ ୩୯ ଜଣ ନୂତନଭାବେ ଯୋଗ ଦେଇ ସାରିଛନ୍ତି। ତେଣୁ ଏବେ ଏମ୍‌ସରେ ୧୭୫ ଜଣ ଡାକ୍ତର ରୋଗୀସେବାରେ ନିୟୋଜିତ ଅଛନ୍ତିି। ଖୁବ୍‌ ଶୀଘ୍ର ଏହି ସଂଖ୍ୟା ୨୦୦କୁ ଟପିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର