ଖଣ୍ଡଗିରି: ଭୁବନେଶ୍ୱର ଏମ୍ସରେ ପଢ଼ୁଥିବା ଜମ୍ମୁକାଶ୍ମୀର କୁପ୍ଓ୍ଵାଡା ଜିଲ୍ଲାର ଦ୍ୱିତୀୟ ବାର୍ଷିକ ଛାତ୍ର ସୋହେଲ୍ ଆଇଜାଦ୍(୧୯) ଗତ ୯ ତାରିଖରୁ ରହସ୍ୟମୟ ଭାବେ କୋଲକାତାରୁ ନିଖୋଜ ହୋଇଯାଇଛନ୍ତି। ଏ ନେଇ ପଶ୍ଚିମବଙ୍ଗର ହାଓ୍ଵାଡ଼ା ଥାନା ଓ ଭୁବନେଶ୍ୱର ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିବାବେଳେ ମାମଲାର ଗମ୍ଭୀରତା ଦୃଷ୍ଟିରୁ ଜମ୍ମୁକାଶ୍ମୀର ପୁଲିସକୁ ମଧ୍ୟ ଅବଗତ କରାଯାଇଛି।
ସୂଚନାନୁସାରେ ପଞ୍ଜାବ ଅମୃତସରରେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ସୋହଲେ୍ ଏମ୍ସ ମେଡିକାଲ କଲେଜରୁ ଛୁଟି ନେଇ ଗତ ୯ ତାରିଖ ରାତିରେ ଭୁବନେଶ୍ୱର ଛାଡ଼ିଥିଲେ। ରାତି ୮.୨୦ରେ ସେ ଭୁବନେଶ୍ୱରରୁ ଟ୍ରେନ୍ ଯୋଗେ ଯାତ୍ରା ଆରମ୍ଭ କରି ପରଦିନ ସକାଳ ୫ଟା ବେଳେ ସେ ହାଓ୍ଵଡ଼ା ଷ୍ଟେସନରେ ପହଞ୍ଚିଥିଲେ। ତାଙ୍କ ମୋବାଇଲ୍ ସେହି ପର୍ଯ୍ୟନ୍ତ ଖୋଲା ରହିଥିଲା। ଏହା ପରଠାରୁ ତାଙ୍କ ମୋବାଇଲ୍ ବନ୍ଦ ରହିଛି। କିଛି ଦିନ ଧରି ସୋହେଲଙ୍କ ସହ ପରିବାର ଲୋକେ କଥା ହୋଇ ନ ପାରିବାରୁ ସେମାନେ ସନ୍ଦେହ କରି ଏମ୍ସ କର୍ତୃପକ୍ଷଙ୍କୁ ଜଣାଇଥିଲେ। ଏହା ପରେ ସୋହେଲ୍ ନିଖୋଜ ହେବା କଥା ସ୍ପଷ୍ଟ ହୋଇଥିଲା। ପରିବାର ଲୋକେ ଭୁବନେଶ୍ୱର ଧାଇଁ ଆସିଥିଲେ ଓ ଖଣ୍ଡଗିରି ଥାନାରେ ଅଭିଯୋଗ କରାଯାଇଥିଲା। ମୋବାଇଲ୍ ଟ୍ରାକିଂ କରିବାରୁ ହାଓ୍ଵଡାରେ ମୋବାଇଲ୍ ବନ୍ଦ ଥିବା ଜଣାପଡ଼ିଥିଲା। ଏହା ପରେ ପୁଲିସ ସୋହେଲ୍ ରହୁଥିବା ଏମ୍ସ ଛାତ୍ରାବାସର ରୁମ୍ ଖାନ୍ତଲାସ କରିଥିଲା। ରୁମ୍ରୁ ମିଳିଥିବା ଏକ ନୋଟ୍ ବୁକ୍ରେ ସେମିଷ୍ଟାର ପରୀକ୍ଷାରେ ଭଲ କରିନଥିବା ଓ ବ୍ୟାକ୍ ପେପର କ୍ଲିଅର୍ କରିପାରୁନଥିବା କାରଣରୁ ତାଙ୍କ ମାନସିକ ସ୍ଥିତି ଭଲ ନାହିଁ ବୋଲି ସୋହେଲ୍ ଲେଖିଥିବା ଦେଖିବାକୁ ମିଳିଥିଲା। ଏମ୍ସ ଏକ ଭଲ ଶିକ୍ଷାନୁଷ୍ଠାନରେ ପାଠପଢ଼ାରେ ଖରାପ ହେବାରୁ ତାଙ୍କୁ ବେଶ୍ ବାଧିଥିଲା, ଆଉ ଶେଷକୁ ‘ଆଇ କୁଇଟ୍’ ବୋଲି ଲେଖିଥିଲେ। ସେମିଷ୍ଟାର ପରୀକ୍ଷାରେ ସେ ଭଲ କରିନଥିବା କଥାକୁ ଏମ୍ସ ପକ୍ଷରୁ ସ୍ୱୀକାର କରାଯାଇଛି। ତେବେ ସେ କୋଲକାତାରୁ ନିଖୋଜ ହୋଇ କୁଆଡ଼େ ଗଲେ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୋହେଲଙ୍କ ନିଖୋଜ ମାମଲା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବାବେଳେ ଜମ୍ମୁକାଶ୍ମୀର ପୁଲିସ ମାମଲାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।