ରକ୍ତହୀନତା ନିରାକରଣ ପଥରେ ବହୁ ପ୍ରତିବନ୍ଧକ

ଏମ୍‌ସରେ ନିପି ଯୋଜନା ବିସ୍ତାର କର୍ମଶାଳା

ଖଣ୍ଡଗିରି: ଓଡ଼ିଶାର ଗ୍ରାମାଞ୍ଚଳ ଓ ଆଦିବାସୀ ବହୁଳ ଅଞ୍ଚଳରେ ବହୁ ପରିମାଣର ମହିଳା ଓ ଶିଶୁମାନେ କୁପୋଷଣ କାରଣରୁ ରକ୍ତହୀନତା (ଆନେମିଆ) ରୋଗରେ ଆକ୍ରାନ୍ତ ହେଉଛନ୍ତି। ୪୦ ପ୍ରତିଶତରୁ ଅଧିକ ମହିଳା ଓ ୬୦ ପ୍ରତିଶତରୁ ଅଧିକ ଶିଶୁ ଏହି ରୋଗର ଶିକାର ହେଉଛନ୍ତି ବୋଲି ଆକଳନ କରାଯାଏ। ଏହାର ନିରାକରଣ ପାଇଁ ସରକାର ଯଥେଷ୍ଟ ପରିମାଣର ଆଇରନ୍‌ ବଟିକା ଓ ସିରପ୍‌ ଯୋଗାଇ ଦେଉଥିଲେ ବି କିଛି ସୁଫଳ ମିଳୁନାହିଁ। ବିଭିନ୍ନ ପ୍ରତିବନ୍ଧକ କାରଣରୁ ସରକାରଙ୍କ ନେସନାଲ୍‌ ଆଇରନ୍‌ ପଲ୍‌ସ ଇନିସିଏଟିଭ୍‌ (ଏନ୍‌ଆଇପିଆଇ-ନିପି) କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରୁନାହିଁ। କାର୍ଯ୍ୟକ୍ରମକୁ ବିସ୍ତାର କରାଇବା ଓ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ମଙ୍ଗଳବାର ଭୁବନେଶ୍ୱର ଏମ୍‌ସରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ୟୁନିସେଫ୍‌, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଭୁବନେଶ୍ୱର ଏମ୍‌ସର କମ୍ୟୁନିଟ୍‌ ମେଡିସିନ୍‌ ବିଭାଗର ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ତଥା କମିସନର ପ୍ରମୋଦ କୁମାର ମେହର୍ଦା ଯୋଗ ଦେଇଥିବା ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏମ୍‌ସ ଡିନ୍‌ ଡ. ବିକାଶ ଭାଟିଆ ସ୍ୱାଗତ ଭାଷଣ ଦେଇଥିଲେ। ନିର୍ଦେଶିକା ପ୍ରଫେସର ଗୀତାଞ୍ଜଳୀ ବାତ୍ମାମାଁବାନେ ନିପି କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଉପରେ ବକ୍ତବ୍ୟ ରଖି ବିପୁଳ ସରକାରୀ ଔଷଧ ନଷ୍ଟ ହେଉଥିବା ଦର୍ଶାଇଥିଲେ। ଲୋକେ ନିଜ ଶିଶୁମାନଙ୍କୁ ଆଇରନ୍‌ ସିରପ୍‌ ଖୁଆଉନାହାନ୍ତି କି ଗର୍ଭବତୀ ଅବସ୍ଥାରେ ନିଜେ ଆଇରନ୍‌ ଟାବ୍‌ଲେଟ୍‌ ଖାଉନାହାନ୍ତି। ତେଣୁ ସାଧାରଣ ଲୋକେ ଏହି ଔଷଧ କିଭଳି ବ୍ୟବହାର କରିବାକୁ ଆଗ୍ରହ କରିବେ, ସେ ଦିଗକୁ ନଜରରେ ରଖି ପଦକ୍ଷେପ ଗ୍ରହଣ କରିବା ଜରୁରି। ୟୁନିସେଫ୍‌ର ଓଡ଼ିଶା ଫିଲଡ୍‌ ଅଫିସର୍‌ ୟୁମି ବେ ଔଷଧ ବିତରଣ ଓ ବ୍ୟବହାରକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ନୋଡାଲ ଅଫିସର ଗଙ୍ଗାଧର ସାହୁ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ଆଇରନ୍‌ ବଟିକା ଦିଆଯାଉଥିବା କହିଥିଲେ। ଆଦିବାସୀ ଅଞ୍ଚଳରେ କମ୍‌ ବୟସର ବିବାହ ଓ ଅନ୍ୟାନ୍ୟ ପାରମ୍ପରିକ କାରଣରୁ ନିପି ଯୋଜନା ସଫଳ ହେଉନାହିଁ ବୋଲି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ନିର୍ଦେଶକ ଅଖିଳ ବିହାରୀ ଓତା କହିଥିଲେ। ଅନ୍ଧବିଶ୍ୱାସ ଓ ଔଷଧ ସେବନର ଭୟ ନିପି ପଥରେ ପ୍ରତିବନ୍ଧକ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ବିନୋଦ ମିଶ୍ର ସୂଚାଇଥିଲେ। ପୋଲିଓ କାର୍ଯ୍ୟକ୍ରମ ସଫଳ ହୋଇଥିବା ବେଳେ ଠିକ୍‌ ଢାଞ୍ଚାରେ ପରିଚାଳିତ ହେଲେ ନିପି ମଧ୍ୟ ସଫଳ ହେବ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ଦିଲ୍ଲୀ ଏମ୍‌ସର ପ୍ରଫେସର ଉମେଶ କପିଲ୍‌, ଡ. ଶଶିକାନ୍ତ, ସଫଦରଜଙ୍ଗ ହସ୍ପିଟାଲର ପ୍ରଫେସର ଯୁଗଲ କିଶୋର, ପୁଡୁଚେରି ଜିପ୍‌ମରର ପ୍ରଫେସର କେସି ପ୍ରେମ୍‌ ରାଜନ୍‌ ଓ ଲକ୍ଷ୍ନୌର ପ୍ରଫେସର ସିଏମ୍‌ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର