ଆକାଶ ଛତାରୁ ଭୁଲ ସ୍ଥାନକୁ ଖସିଲେ ବାୟୁସେନା ଯବାନ

କଟକ: ଚୌଦ୍ବାର ଚାରବାଟିଆସ୍ଥିତ ବାୟୁସେନାର ବିମାନ ଉଡ଼ାଣ ଗବେଷଣା କେନ୍ଦ୍ର (ଏଆର୍‌ସି)ର ଏକ ହେଲିକପ୍ଟର ଅଭ୍ୟାସ କରୁଥିବା ବେଳେ ଅଘଟଣ ଘଟିଛି। ହେଲିକପ୍ଟରରୁ ଆକାଶଛତା ସାହାଯ୍ୟରେ ଓହ୍ଲାଇଥିବା ଜଣେ ଯବାନ ନିର୍ଦ୍ଧାରିତ ସ୍ଥାନ ବଦଳରେ ଭିନ୍ନ ଏକ ସ୍ଥାନରେ ଓହ୍ଲାଇଛନ୍ତି। ନୂଆ ସ୍ଥାନର ଲୋକେ ଏହା ଜାଣି ନ ଥିବାରୁ ସେମାନେ ତାଙ୍କୁ ଘେରି ପଚରାଉଚରା କରିଥିଲେ। କିଛି ସମୟ ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ସୁରକ୍ଷିତ ଭାବେ ଆଣିଥିଲା। ସଂଧ୍ୟାରେ ଘଟିଥିବା ଏହି ଅଘଟଣ ସମଗ୍ର ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି।

ଚାରବାଟିଆସ୍ଥିତ ଗବେଷଣା କେନ୍ଦ୍ର ପକ୍ଷରୁ ବିଭିନ୍ନ ସମୟରେ ସ୍ଥାନୀୟ ଅଞ୍ଚଳରେ ବିମାନରୁ ଆକାଶଛତା ସାହାଯ୍ୟରେ ତଳକୁ ଡେଇଁବା ଅଭ୍ୟାସ କରାଯାଇଥାଏ। ଆଜି ସନ୍ଧ୍ୟାରେ ମଧ୍ୟ ସେହିପରି ଏକ ହେଲିକପ୍ଟରରୁ ଆକାଶଛତା ଅବତରଣ ଅଭ୍ୟାସ କରାଯାଉଥିଲା। ଅଭ୍ୟାସ ବେଳେ ଯବାନଜଣକ ଚୌଦ୍ବାର ଥାନା ଅନ୍ତର୍ଗତ ମହିଷାଲଣ୍ତା ପଞ୍ଚାୟତର ଗହଣ୍ତା ପଡ଼ିଆରେ ଖସିବାକୁ ଥିଲା। ହେଲେ, ଭୁଲ୍‌ବଶତଃ ସେ ଗହଣ୍ଡା ବଦଳରେ ନଖରା ପଞ୍ଚାୟତ ନିକଟବର୍ତ୍ତୀ ଷଣ୍ଢପଡ଼ିଆର ଏକ ଧାନକ୍ଷେତରେ ଆକାଶଛତା ସାହାଯ୍ୟରେ ଖସିଥିଲେ। ଗହଣ୍ଡା ପଡ଼ିଆରେ ସେ ଓହ୍ଲାଇବେ ବୋଲି ଅନ୍ୟମାନେ ଅପେକ୍ଷା କରିଥିବା ବେଳେ ଯବାନଜଣକ ଷଣ୍ଢପଡ଼ିଆରେ ଓହ୍ଲାଇବାରୁ ସ୍ଥାନୀୟ ଲୋକେ ଏହାର ବୁଝି ପାରି ନଥିଲେ। ଷଣ୍ଢପଡ଼ିଆ ନିକଟରେ ଥିବା ଲୋକେ ଏ ସମ୍ପର୍କରେ କିଛି ଜାଣି ନଥିବାରୁ ଆକାଶଛତାରୁ ଯବାନ ଖସିବା ଦେଖି ସନ୍ଦେହ କରିଥିଲେ। ଗ୍ରାମରେ ପ୍ରଥମଥର ପାଇଁ ଏଭଳି ଘଟିଥିବାରୁ ଗ୍ରାମବାସୀମାନେ ଯବାନଙ୍କୁ ପଚରାଉଚରା କରିବା ସହ ପରିଚୟ ମାଗିଥିଲେ। ଯବାନଜଣକ କେବଳ ଜଣେ ଭାରତୀୟ ବାୟୁସେନା କର୍ମଚାରୀ ବୋଲି ପରିଚୟ ଦେଇଥିଲେ। କିଛି ସମୟ ଭିତରେ ଚୌଦ୍ବାର ପୁଲିସ ଘଟଣାସ୍ଥଳରେ ପହ‌ଞ୍ଚି ଉକ୍ତ ଯବାନଙ୍କୁ ସୁରକ୍ଷାରେ ଆଣିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର