ମହାନଗରବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖିଲା ହାରୋଏୟାର ଇଣ୍ଡିଆର ବ୍ୟାଙ୍କକ୍କୁ ବିମାନ ଉଡ଼ାଣ ପ୍ରସଙ୍ଗbySambad DigitalbySambad Digital 21 Jul 2018 02:04 IST Link copied!Copy failed!ଭୁବନେଶ୍ୱର: ଏୟାର ଇଣ୍ଡିଆ ଭୁବନେଶ୍ୱରରୁ ବ୍ୟାଙ୍କକ୍କୁ ବିମାନ ସେବା ହଠାତ୍ ବନ୍ଦ କରିଦେବା ପରେ ବିବାଦ ବଢ଼ିବାରେ ଲାଗିଛି। ରାଜ୍ୟ ସରକାର ଏୟାର ଇଣ୍ଡିଆର ବିମାନ ପ୍ରତ୍ୟାହାର ନେଇ ମୁହଁ ଖୋଲି ନଥିଲେ ହେଁ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶା (ହାରୋ) ପକ୍ଷରୁ ଏହାକୁ ପ୍ରତିବାଦ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଛି। ହାରୋର ଅଧ୍ୟକ୍ଷ ଜେ.କେ ମହାନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ଏୟାର ଇଣ୍ଡିଆ ହଠାତ୍ ବ୍ୟାଙ୍କକ୍କୁ ବିମାନ ଉଡ଼ାଣ ବନ୍ଦ କରିବା ଦ୍ୱାରା ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏବେ ବହୁ ଟୁର୍ ଅପରେଟର ଓ ହୋଟେଲ ଆଗୁଆ ପ୍ୟାକେଜ୍ ଓ ଟିକେଟ୍ ବୁକିଂ କରିଛନ୍ତି। କିନ୍ତୁ ଏୟାର ଇଣ୍ଡିଆ ବିମାନ ବାତିଲ୍ କରିବା ଦ୍ୱାରା ସମସ୍ତେ ପ୍ରଭାବିତ ହୋଇଛନ୍ତି। କେବଳ ଏତିକି ନୁହେଁ ବ୍ୟାଙ୍କକ୍କୁ ବିମାନ ଉଡ଼ାଣ ଦ୍ୱାରା ରାଜ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା। ଓଡ଼ିଶାର ବୌଦ୍ଧ ସର୍କିଟରେ ଯାତ୍ରୀଙ୍କ ସଂଖ୍ୟା ବଢ଼ୁଥିଲା। କିନ୍ତୁ ବ୍ୟାଙ୍କକ୍କୁ ସିଧା ବିମାନ ଉଡ଼ାଣ ବନ୍ଦ ହେବା ଦ୍ୱାରା ଯାତ୍ରୀମାନେ କୋଲକାତା, ଦିଲ୍ଲୀ ହୋଇ ଓଡ଼ିଶା ଆସିବାକୁ ପସନ୍ଦ କରୁନାହାନ୍ତି। ତେଣୁ ଏୟାର ଇଣ୍ଡିଆ ଯେପରି ଭୁବନେଶ୍ୱରରୁ ପୂର୍ବଭଳି ବ୍ୟାଙ୍କକ୍କୁ ବିମାନ ଉଡ଼ାଣ କରିବ ସେନେଇ ପଦକ୍ଷେପ ନିଆଯାଉ। ହାରୋ ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଦିଆଯାଇଥିବା ଚିଠିର ନକଲ ମୁଖ୍ୟମନ୍ତ୍ରୀ, ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପର୍ଯ୍ୟଟନ ମନ୍ତ୍ରଣାଳୟ ସଚିବ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ, ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବଙ୍କୁ ଦିଆଯାଇଛି। ଏନେଇ ଏୟାର ଇଣ୍ଡିଆର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ମୁଖ୍ୟଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ପରିଚାଳନାଗତ ସମସ୍ୟା ଯୋଗୁଁ ଭୁବନେଶ୍ୱର ବ୍ୟାଙ୍କକ୍ ବିମାନ ଉଡ଼ାଣ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଯେଉଁମାନେ ଭୁବନେଶ୍ୱରରୁ ବ୍ୟାଙ୍କକ୍ ଯିବା ପାଇଁ ଟିକେଟ୍ ବୁକିଂ କରିଛନ୍ତି ସେମାନଙ୍କୁ ବମ୍ବେ କିମ୍ବା ଦିଲ୍ଲୀ ଦେଇ ବ୍ୟାଙ୍କକ୍ ପଠାଯାଉଛି। ଏନେଇ ଯାତ୍ରୀମାନଙ୍କୁ ସୂଚନା ଦିଆଯାଇଛି।bySambad DigitalbySambad Digital 21 Jul 2018 02:04 IST Link copied!Copy failed!