ଏୟାର ଓଡ଼ିଶାକୁ ମିଳିଲା ସିଡ୍ୟୁଲ୍‌ ଅପରେଟର୍‌ ମାନ୍ୟତା

ଭୁବନେଶ୍ୱର: ଏୟାର ଓଡ଼ିଶା ଆଭିଏସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଡିଜିସିଏ ଆଜି ସିଡ୍ୟୁଲ୍‌ ଅପରେଟର୍‌ ମାନ୍ୟତା ପ୍ରଦାନ କରିଛିି। ଏହାଦ୍ୱାରା ଏୟାର ଓଡ଼ିଶା ‘ଉଡ଼ାଣ’ ଯୋଜନାରେ ନିୟମିତ ଭାବେ ବାଣିଜ୍ୟିକ ବିମାନ ଉଡ଼ାଣ କରିବାକୁ ଅନୁମତି ପାଇଛି। ଡିଜିସିଏ ଦ୍ୱାରା ଅନୁମୋଦିତ ଉଡ଼ାଣ ସୂଚୀ ଅନୁଯାୟୀ ଏଣିକି ଏୟାର ଓଡ଼ିଶା ବିମାନ ସେବା ଯୋଗାଇବ। ଏହି ଅନୁମତି ୩ବର୍ଷ ପାଇଁ ପ୍ରଦାନ କରାଯାଇଛି। ଏୟାର ଓଡ଼ିଶାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସିଡ୍ୟୁଲ୍‌ ଅପରେଟର୍‌ ମାନ୍ୟତା ମିଳିବା ପରେ ଆମେ ପ୍ରଥମେ ଅହମ୍ମଦାବାଦ ରୁଟ୍‌ରେ ବିମାନ ସେବା ଆରମ୍ଭ କରିବୁ। ଏହାପରେ ଯେଉଁ ରାଜ୍ୟରେ ଆମକୁ ବିମାନବନ୍ଦର ଯୋଗାଇ ଦିଆଯିବ ସେଠାରେ ଉଡ଼ାଣ ଆରମ୍ଭ କରିବୁ। ଓଡ଼ିଶାର ନାମକୁ ସାରା ଦେଶରେ ପ୍ରଚାର ପ୍ରସାର କରିବାରେ ଏୟାର ଓଡ଼ିଶା ସହାୟକ ହେବ। ଅପରପକ୍ଷେ ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ସେବା ଯୋଗାଇବା ପାଇଁ ଏୟାର ଓଡ଼ିଶା ‘ଉଡ଼ାଣ’ ଯୋଜନାରେ ଅନୁମତି ପାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଉଡ଼ାଣ ଆରମ୍ଭ କରିପାରିନି। ଏନେଇ ଏୟାର ଓଡ଼ିଶା କର୍ତ୍ତୃପକ୍ଷ କହିଛନ୍ତି ଯେ, ରାଉରକେଲା ବିମାନବନ୍ଦରକୁ ଏବେ ସୁଦ୍ଧା ବାଣିଜ୍ୟିକ ବିମାନବନ୍ଦର ମାନ୍ୟତା ମିଳିନାହିଁ। ତେଣୁ ଏଠାରୁ ଏବେ ବିମାନ ସେବା ଆରମ୍ଭ ହେବନି। ଡିଜିସିଏ ରାଉରକେଲା ବିମାନବନ୍ଦରକୁ ବାଣିଜ୍ୟିକ ବିମାନବନ୍ଦର ମାନ୍ୟତା ପ୍ରଦାନ କରିବା ପରେ ଉଡ଼ାଣ ଆରମ୍ଭ ହେବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର