ଚନ୍ଦ୍ରଶେଖରପୁର : ସକାଳୁ ସକାଳୁ ଆକାଶରେ ମାଡ଼ି ଆସିଥିଲା କଳା ଧୂଆଁ। ଯୁଆଡ଼େ ଚାହିଁଲେ କେବଳ ଧୂଆଁ। ଗୋଟିଏ କି ଦୁଇ କିମି ପର୍ଯ୍ୟନ୍ତ ନୁହେଁ। ୫ କିମି ପର୍ଯ୍ୟନ୍ତ ଆକାଶରେ ମାଡ଼ି ଯାଇଥିଲା କଳା ଧୂଆଁ। ଅଣନିଶ୍ବାସୀ ହୋଇପଡ଼ୁଥିଲେ ବାଇକ୍‌ ଚାଳକ। ଗାଡ଼ି ଚଳାଇବେ ନା ଧୂଆଁରୁ ରକ୍ଷା ପାଇବେ ତାହାକୁ ନେଇ ବିଚଳିତ ହୋଇପଡ଼ୁଥିଲେ ସମସ୍ତେ। ମଧ୍ୟାହ୍ନ ପର୍ଯ୍ୟନ୍ତ ଏଭଳି ଧୂଆଁମୟ ପରିବେଶରେ କଲବଲ ହେଉଥିଲେ ଅଞ୍ଚଳବାସୀ।

Advertisment

କିଟ୍‌ ଓ କିସ୍‌ ବିଶ୍ବବିଦ୍ୟାଳୟ ମଧ୍ୟରେ ଥିବା ଏକ ଡମ୍ପିଂୟାର୍ଡ ନିକଟରେ ନିଆଁ ଲାଗିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା। ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା କଥା ହେଉଛି ଯେ ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଏକ ଗଦି ଫ୍ୟାକ୍ଟ୍ରିରୁ ବାହାରୁଥିବା ଆବର୍ଜନା ଏଠାରେ ଜମା ହୋଇଥିଲା। ୧୦ ଫୁଟ୍‌ରୁ ଅଧିକ ଉଚ୍ଚର ଜମା ହେବା ପରେ ରବିବାର ରାତିରେ ସେଥିରେ କେହି ନିଆଁ ଲଗାଇ ଦେଇଛି। ଯେଉଁଥିପାଇଁ ସକାଳୁ ଆକାଶ ଧୂଆଁମୟ ହୋଇଯାଇଛି। ପ୍ରତି ୮ରୁ ୧୦ ଦିନ ବ୍ୟବଧାନରେ ସମ୍ପୃକ୍ତ କମ୍ପାନି ଏହି ସ୍ଥାନରେ କତା, ତୁଳା ଆଦି ଆବର୍ଜନା ଜମା କରେ। ଦୀର୍ଘଦିନ ଧରି ଅଳିଆ ପଡ଼ି ରହିବା‌ ପରେ ସମ୍ପୃକ୍ତ କମ୍ପାନିର କର୍ମଚାରୀମାନେ ନିଆଁ ଲଗାଇ ପୋଡ଼ି ଦିଅନ୍ତି। ଫଳରେ ସମ୍ପୃକ୍ତ କମ୍ପାନିକୁ ଅଧିକ ଅର୍ଥ ଖର୍ଚ୍ଚ କରି ସହର ବାହାରକୁ ଆର୍ବଜନା ନେବାକୁ ପଡ଼େ ନାହିଁ। ଆଜି ସକାଳୁ ଆକାଶରେ ମେଘ ଥିବାରୁ ଧୂଆଁ ଉପରକୁ ଉଠି ପାରିଲା ନାହିଁ। ଯେଉଁଥିପାଇଁ କମ୍ପାନିର କାରସାଦି ଧରାପଡ଼ି ଯାଇଛି। ଏନେଇ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ କେହି ଶୁଣୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି।

ସବୁଠାରୁ ବଡ଼ କଥା‌ ହେଉଛି ଯେ ଯେଉଁ ସ୍ଥାନରୁ ଧୂଆଁ ବାହାରୁଥିଲା ତାହା ନିକଟରେ ଏକାଧିକ ବିଶ୍ବବିଦ୍ୟାଳୟ, ଚିକିତ୍ସାଳୟ, ସ୍କୁଲ, କଲେଜ, ପ୍ରଶାନ୍ତି ବିହାର, କିଟ୍ ଅଞ୍ଚଳ, ଚନ୍ଦକା ଶିଳ୍ପାଞ୍ଚଳ, ପଟିଆ ରହିଛି। ନିଆଁ ଲାଗିଥିବା ସ୍ଥାନରୁ କିମ୍‌ସ ମେଡିକାଲ କଲେଜ ଓ ହସ୍ପିଟାଲର ଦୂରତା ମାତ୍ର ୫୦୦ ମିଟର। ତେଣୁ ମେଡିକାଲକୁ ଆସୁଥିବା ରୋଗୀମାନେ ମଧ୍ୟାହ୍ନ ପର୍ଯ୍ୟନ୍ତ ନିଆଁ ଧୂଆଁରେ ହନ୍ତସନ୍ତ ହୋଇଥିଲେ। ବିଚିତ୍ର କଥା ହେଉଛି ଯେ ନିଆଁ ଲାଗିଥିବା ସ୍ଥାନରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟର ଦୂରତା ମାତ୍ର ଦେଢ଼ କିଲୋମିଟର। ଏତେ କମ୍‌ ବାଟରେ ନିଆଁ ଲାଗି ପରିବେଶ ପ୍ରଦୂଷିତ ହେଉଥିଲେ ମଧ୍ୟ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କ ପାଖରେ କୌଣସି ଖବର ନାହିଁ। କେଉଁଠି ଲାଗିଛି? କେମିତି ଲାଗିଛି? କିଏ ନିଆଁ ଲଗାଇଛି? ତାହାର ଖବର ଅଧିକାରୀ ଜାଣି ନଥିବା କହିଛନ୍ତି। ଶୀତ ଦିନେ କୁହୁଡ଼ିଆ ପାଗରେ ପରିବେଶ ପ୍ରଦୂଷିତ ହୋଇଥିଲେ ମଧ୍ୟ ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁ ଲିଭାଇବାକୁ ନ ଆସିବା ଚିନ୍ତାର ବିଷୟ ପାଲଟିଛି।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଭୁବନେଶ୍ବର ଜୋନ୍‌ ଅଧିକାରୀ ବି ବି ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏନେଇ ଆମ ପାଖକୁ କୌଣସି ଅଭିଯୋଗ ଆସିନି। ଶିଳ୍ପ ସଂସ୍ଥା ଯଦି ନିୟମ ଉଲ୍ଲଂଘନ କରନ୍ତି ତେବେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ। ଯଦି ସମ୍ପୃକ୍ତ ଗଦି କମ୍ପାନି ସେଠାରେ ବାରମ୍ବାର ଆବର୍ଜନା ପକାଇ ନିଆଁ ଲଗାଉଥିବ ତେବେ ଆମେ ତାହାର ତଦନ୍ତ କରିବୁ। ପ୍ରମାଣ ମିଳିଲେ ନୋଟିସ୍‌ ଜାରି କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ।

ସ୍ଥାନୀୟ ଲୋକେ କୁହନ୍ତି...

ପ୍ରତି ଦୁଇରୁ ତିନି ମାସ ବ୍ୟବଧାନରେ ସମ୍ପୃକ୍ତ କମ୍ପାନି ଏଭଳି ନିଆଁ ଲଗାଉଛି। ସ୍ଥାନୀୟ କର୍ପୋରେଟରଙ୍କ ନିକଟରେ ଅଭିଯୋଗ କରିବା ପରେ ସେ ସମ୍ପୃକ୍ତ କମ୍ପାନି ମ୍ୟାନେଜର ନିକଟରେ ଅଭିଯୋଗ କରୁଥାନ୍ତି। ତଥାପି କେହି ଶୁଣୁ ନାହାନ୍ତି। ଆଗରୁ ବି ଏଭଳି ସମସ୍ୟା ହୋଇଥିଲା। ଏବେ ଶୀତ ଦିନ ହୋଇଥିବାରୁ ଥଣ୍ଡା ସାଙ୍ଗକୁ ଧୂଆଁରେ ଅଣନିଶ୍ବାସୀ ହୋଇପଡ଼ୁଛୁ। ବୟସ୍କମାନେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି।
-ରତ୍ନାକର ସାହୁ, ଆର୍ଯ୍ୟପଲ୍ଲୀ

ପ୍ରଶାନ୍ତି ବିହାର ଅଞ୍ଚଳରେ କିଛି ବସ୍ତି ରହିଛି। ଯାହାକି ଶିଳ୍ପାଞ୍ଚଳ ଅଧୀନରେ ରହୁଛି। ଶିଳ୍ପାଞ୍ଚଳରୁ ବାହାରୁଥିବା ଆବର୍ଜନା‌ ପକାଇବା ପାଇଁ ଏଠାରେ ସ୍ବତନ୍ତ୍ର ଡର୍ମ୍ପିଂୟାର୍ଡ ନାହିଁ। ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ସମ୍ପୃକ୍ତ କମ୍ପାନି ଦାୟୀ। ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ରାତି ଅଧରେ କମ୍ପାନିର କର୍ମଚାରୀମାନେ ଅଳିଆ ଗଦାରେ ନିଆଁ ଲଗାଇ ଦେଇ ପଳାଉଛନ୍ତି। ଆଉ ଏହାର ପରିଣାମ ଭୋଗୁଛନ୍ତି ସାଧାରଣ ଲୋ‌କେ। ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ।
-ଅନିତା ମହାରଣା, ପ୍ରଶାନ୍ତି ବିହାର

ସକାଳୁ ଉଠିଲା ବେଳକୁ ‌ବଡ଼ ଜୋରରେ ଶବ୍ଦ ହେଉଥିଲା। ବାହାରକୁ ଆସିବା ପରେ ସବୁଆଡେ କେବଳ ଧୂଆଁ ଦେଖିବାକୁ ମିଳିଥିଲା। ସକାଳ ୯ଟା ପର୍ଯ୍ୟନ୍ତ ଏମିତି ଧୂଆଁ ହେଉଥିଲା ଯେ ଘରୁ ବାହାରିବା‌ ମୁସ୍କିଲ୍‌। ଘର ଭିତରକୁ ଧୂଆଁ ପଶିବା ଦ୍ବାରା ପିଲାଙ୍କ ଶ୍ବାସକ୍ରିୟାରେ ସମସ୍ୟା ହେଉଛି। ଏହି ଅଞ୍ଚଳରେ ଦୁଇଟି ଶିକ୍ଷାନୁଷ୍ଠାନରେ ୫୦ ହଜାରରୁ ଅଧିକ ପିଲା ପଢ଼ୁଥିଲେ ମଧ୍ୟ ସେମାନଙ୍କ ସୁରକ୍ଷା ପାଇଁ କେହି ବି ଧ୍ୟାନ ଦେଉ ନଦେବା ପରିତାପର ବିଷୟ।
-ଶାନ୍ତନୁ ଦାସ, ଚନ୍ଦକା ଶିଳ୍ପାଞ୍ଚଳ