ଭୁବନେଶ୍ୱର: ଦେଶର ପ୍ରଦୂଷଣମୁକ୍ତ ସର୍ବଶ୍ରେଷ୍ଠ ସହର ଭିତରେ ଭୁବନେଶ୍ବର ରୢାଙ୍କିଙ୍ଗ୍‌ରେ ଉପରକୁ ଉଠିଛି। ୩ ଲକ୍ଷରୁ ୧୦ଲକ୍ଷ ବିଶିଷ୍ଟ ସହର ଭିତରେ ଭୁବନେଶ୍ବର ସାରା ଦେଶରେ ଚତୁର୍ଥ ସର୍ବଶ୍ରେଷ୍ଠ ସହରର ମାନ୍ୟତା ପାଇଛି। ସ୍ବଚ୍ଛ ବାୟୁ ସର୍ବେକ୍ଷଣରେ ଭୁବନେଶ୍ବର ସର୍ବମୋଟ୍‌ ୧୯୬.୫ ମାର୍କ ରଖି ଏହି ଗୌରବ ଅର୍ଜନ କରିଛି। ନିକଟରେ ସ୍ବଚ୍ଛତା କ୍ଷେତ୍ରରେ ସାରା ଦେଶରେ ଭୁବନେଶ୍ବର ନବମ ସ୍ଥାନରେ ରହିଥିଲା। ପୁଣି ଥରେ ବାୟୁର ସ୍ବଚ୍ଛତାରେ ଭୁବନେଶ୍ବର ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନରେ ରହିଛି। ଅପରପକ୍ଷେ ସ୍ବଚ୍ଛ ବାୟୁ ସର୍ବେକ୍ଷଣରେ କଟକ ୧୮୨.୫ ମାର୍କ ସହ ଦଶମ ଓ ରାଉରକେଲା ୧୭୪.୬ ମାର୍କ ସହ ୧୭ତମ ସ୍ଥାନରେ ରହିଛନ୍ତି।

Advertisment

କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ନ୍ୟାସନାଲ୍ କ୍ଲିୟର୍‌ ଏୟାର୍‌ ପ୍ରୋଗ୍ରାମ(ଏନ୍ଏସିପି) ଜରିଆରେ ୨୦୨୨ ମସିହାରୁ ସ୍ବଚ୍ଛ ବାୟୁ ସର୍ବେକ୍ଷଣ ଆରମ୍ଭ ହୋଇଛି। ଏହି ସର୍ବେକ୍ଷଣର ପ୍ରମୁଖ ଲକ୍ଷ୍ୟ ହେଉଛି ପ୍ରଦୂଷଣମୁକ୍ତ ପରିବେଶର ଉପକାରିତା ବିଷୟରେ ସମାଜକୁ ସଚେତନ କରିବା ସହ ନାଗରିକଙ୍କୁ ଏହାର ଉପକାରିତା ଓ ଅପକାରିତା ଜଣାଇବା। ବିଭିନ୍ନ ସହରର ବାୟୁର ମାନ ଜାଣିବା ଏବଂ ସେହି ଅନୁସାରେ ଆବଶ୍ୟକ ପ୍ରତିକାରାତ୍ମକ ପଦକ୍ଷେପ ନେବା। ସ୍ବଚ୍ଛ ବାୟୁ ସର୍ବେକ୍ଷଣ-୨୦୨୪ରେ ଦେଶର ୧୩୦ଟି ସହରକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ୩ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର, ୩ଲକ୍ଷରୁ ୧୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ଓ ୧୦ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର, ଏଭଳି ତିନିଟି ବର୍ଗରେ ୧୩୦ଟି ସହରର ବାୟୁର ମାନ ପରୀକ୍ଷା କରାଯାଇଥିଲା। ପରିବେଶ ସନ୍ତୁଳନ ସହିତ ରାସ୍ତାରେ ପେଭର୍‌ ବ୍ଲକ୍‌ ପକାଇବା, ଯନ୍ତ୍ରାଚାଳିତ ସଫେଇ, ବହୁବର୍ଷର ଆବର୍ଜନାର ଜୈବ ପ୍ରତିକାର, କଠିନ ବର୍ଜ୍ୟ ପରିଚାଳନା, ଡମ୍ପିଂୟାର୍ଡର ପୁନରୁଦ୍ଧାର ଓ ନଗରବାଟିକା ଗଠନ, ଇଣ୍ଟେଲିଜେନ୍ସ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା, ମିୟାୱାକି ବନୀକରଣ, ଶିଳ୍ପ କ୍ଷେତ୍ରରେ ପ୍ରଦୂଷଣମୁକ୍ତ ଇନ୍ଧନ ବ୍ୟବହାର ଆଦିକୁ ମାନଦଣ୍ଡ ଆକାରରେ ନିଆଯାଇଥିଲା। ଯେଉଁମାନେ ଏଥିରେ ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ସେହି ସହରଗୁଡ଼ିକୁ ‘ଜାତୀୟ ସ୍ୱଚ୍ଛ ବାୟୁ ସହର’ ମାନ୍ୟତା ପ୍ରଦାନ କରିଛନ୍ତି। ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଜାତୀୟ ମିସନ୍‌ର ଏକ ଅଂଶ ହୋଇଥିବା ବେଳେ ପ୍ରତିବର୍ଷ ସେପ୍ଟେମ୍ବର ୭ରେ ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ପାଳନ ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଏ। ବାୟୁର ମାନ ପରୀକ୍ଷା ପ୍ରକ୍ରିୟା ୟୁଏଲ୍‌ବି ଦ୍ୱାରା ଦାଖଲ ହୋଇଥିବା ସହାୟକ କାଗଜପତ୍ର ସହ ସ୍ୱମୂଲ୍ୟାଙ୍କନ ରିପୋର୍ଟ ଆଧାରରେ ମୂଲ୍ୟାଙ୍କନ କରାଯାଏ। ରିପୋର୍ଟ ଓ ଡକ୍ୟୁମେଣ୍ଟଗୁଡ଼ିକ ପରିବେଶ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ସମ୍ପୃକ୍ତ ବାୟୁର ଗୁଣବତ୍ତା ମନିଟରିଂ କମିଟି ଦ୍ୱାରା ଯାଞ୍ଚ କରାଯାଇଥାଏ। ପ୍ରତିବର୍ଷ ଗ୍ରହଣ କରାଯାଉଥିବା ଓ ପୂର୍ବ ଆର୍ଥିକ ବର୍ଷର ଅବଧି ଅର୍ଥାତ ୧ ଏପ୍ରିଲରୁ ୩୧ ମାର୍ଚ୍ଚ ପାଇଁ ଦାଖଲ ହୋଇଥିବା ମୂଲ୍ୟାଙ୍କନକୁ ଆଧାର କରି ସହରଗୁଡ଼ିକ ରୢାଙ୍କିଙ୍ଗ୍ କରାଯାଏ। ଏହି ରୢାଙ୍କିଙ୍ଗ୍ ପ୍ରକ୍ରିୟାରେ ଭୁବନେଶ୍ୱର ମହାନଗର ନିଗମ ଚତୁର୍ଥ ସ୍ଥାନ ଅଧିକାର କରିଥିବା ବେଳେ ଅମରାବତୀ ପ୍ରଥମ, ମୋରଦାବାଦ ଓ ଝାନ୍ସି ଦ୍ୱିତୀୟ ଏବଂ ଅଲଵାର ତୃତୀୟ ହୋଇଛନ୍ତି। ବିଏମ୍‌ସିକୁ ଏହି ସମ୍ମାନ ମିଳିବା ପରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କମିସନର୍ ଚଞ୍ଚଳ ରାଣାଙ୍କ ସମେତ ସମସ୍ତ ଷ୍ଟାଣ୍ଡିଂ କମିଟର ଅଧ୍ୟକ୍ଷ, ଅଧ୍ୟକ୍ଷା, କର୍ପୋରେଟର୍‌, ବିଏମ୍‌ସି ଅଧିକାରୀ ଓ କର୍ମଚାରୀ ଖୁସିବ୍ୟକ୍ତ କରିଛନ୍ତି।