ବିମାନବନ୍ଦର ଥାନା ହେବ ଆଉ ଏକ ମଡେଲ୍‌ ଥାନା

ଭୁବନେଶ୍ୱର : ତମାଣ୍ଡୋ ପରେ ରାଜଧାନୀରେ ବିମାନବନ୍ଦର ଥାନା ହେବ ଆଉ ଏକ ଅତ୍ୟାଧୁନିକ ଥାନା। କର୍ପୋରେଟ୍‌ କାର୍ଯ୍ୟାଳୟ ଢାଞ୍ଚାରେ ନିର୍ମାଣ ହୋଇଛି ଏହି ଥାନା। ୩ ମହଲା ଘର। ଘର ତଳେ ପାର୍କିଂ ବ୍ୟବସ୍ଥା। ଭିତର ସେଣ୍ଟ୍ରାଲ ଏସି। ଲିଫ୍ଟ ମଧ୍ୟ ଲାଗିଛି ତଳ ମହଲାରୁ ଉପର ମହଲାକୁ ଯିବା ପାଇଁ। ଯେକେହି ଏହି ଥାନାକୁ ବାହାରୁ ଦେଖିବ, ପ୍ରଥମେ ଥାନା ବୋଲି ଭାବିପାରିବ ନାହିଁ। ତିନି ମହଲା ବିଶିଷ୍ଟ ଏହି ଥାନାରେ ଅଭିଯୋଗକାରୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବାକୁ ପ୍ରାଥମିକତା ଦିଆଯିବ। ଏହା କେବଳ କମିସନରେଟ୍‌ ପୁଲିସ ନୁହେଁ, ରାଜ୍ୟ ପାଇଁ ଏକ ମଡେଲ ଥାନା ହେବ। ପ୍ର୍ରଥମ ମହଲାରେ ଚାଲିବ ଥାନା କାର୍ଯ୍ୟ, ହାଜତ ଓ ମାଲ୍‌ ଖାନା। ଦ୍ଵିତୀୟ ମହଲାରେ ରହିବ ରାଇଟର୍‌ ଓ ପାସ୍‌ପୋର୍ଟ ଯାଞ୍ଚ ସେଲ୍‌। ସବା ଉପର ମହଲା ରହିବ ବାରାକ୍‌।

ପୁଲିସ କମିସନର୍‌ ଯୋଗେଶ ବାହାଦୁର ଖୁରାନିଆଙ୍କଠାରୁ ମିଳିଥିବା ସୂଚନା ମୁତାବକ, ମୁଖ୍ୟତଃ ବିମାନବନ୍ଦରର ସୁରକ୍ଷା ପାଇଁ ଏହି ଥାନା ପ୍ରତିଷ୍ଠା କରାଯିବ। ଦୁଇ ବର୍ଷ ତଳେ ଭୁବନେଶ୍ୱର ବିମାନବନ୍ଦରକୁ ମାତ୍ର ୨୦ଟି ବିମାନ ଆସୁଥିବା ବେଳେ ଏବେ ୫୦ରୁ ଅଧିକ ବିମାନ ଆସୁଛି। ଥାନା ପ୍ରତିଷ୍ଠା ହେଲେ ବିମାନବନ୍ଦର ଚାରିପଟେ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରାଯାଇପାରିବ।

ନୂଆ ଥାନାରେ ଜଣେ ଇନ୍ସପେକ୍ଟର, ଦୁଇ ଏସ୍‌ଆଇ, ୨ ଏଏସ୍‌ଆଇ, ଜଣେ ହାବିଲ୍‌ଦାର, ୧୦ ଜଣ କନ୍‌ଷ୍ଟେବଲ୍‌, ୨୦ ହୋମ୍‌ଗାର୍ଡ ନିଯୁକ୍ତ ହେବେ। ଥାନାକୁ ୨ଟି ପୁଲିସ ଭ୍ୟାନ୍‌ ଯୋଗାଇ ଦିଆଯିବ। ଏୟାରପୋର୍ଟ ଥାନାର ପରିସୀମା ବିଶେଷକରି ଏୟାର୍‌ଫିଲ୍ଡ ଥାନା ଏବଂ କ୍ୟାପିଟାଲ୍‌ ଥାନା ସୀମାରୁ ଚିହ୍ନଟ କରାଯାଇଛି। ଏୟାରପୋର୍ଟ ଥାନା ପରିସୀମାରେ ଭୀମପୁର ଓ ପୋଖରୀପୁଟ ଅଞ୍ଚଳ ରହିଛି। ପୋଖରୀପୁଟ ରାଜସ୍ୱ ଗ୍ରାମର ଫେଜ୍‌-୧ ଓ ୨ ଏବଂ ଅନନ୍ତବିହାର ଫେଜ୍‌-୧ ଓ ୨ରହିଛି। ସେହିପରି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର, ବିମାନବନ୍ଦର ଆଖପାଖ ଅଞ୍ଚଳ, ଗଙ୍ଗନଗର, ନ୍ୟୁ ବାପୁଜୀନଗର, ପଳାସପଲ୍ଲୀ, କାରଗିଲ୍‌ ବସ୍ତି, ଝରଣାବସ୍ତି, ଏୟାରପୋର୍ଟ କଲୋନି ଏୟାରପୋର୍ଟ ଥାନା ଅଧୀନରେ ରହିବ ବୋଲି ପୁଲିସ କମିସନର ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି।

ଦ୍ଵିତୀୟ ମହଲାର ଏକ ରୁମ୍‌କୁ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସଜା ଯାଉଛି। କାନ୍ଥରେ ତିଆରି ହେଉଛି ବିଭିନ୍ନ ଚିତ୍ର। ତା’ଛଡ଼ା ଉକ୍ତ ରୁମ୍‌ରେ ଅନେକ ଖେଳଣା ରହିବ। ଥାନାକୁ ଆସୁଥିବା ବାଳ ଅପରାଧୀମାନଙ୍କୁ କାଉନସେଲିଂ କରି ଅପରାଧ ଛାଡ଼ି ପାଠ ପଢ଼ା ପ୍ରତି ଧ୍ୟାନ ଦେବାକୁ ପ୍ରୟାସ କରାଯିବ। ମହିଳା, ଶିଶୁ ଓ ବରିଷ୍ଠ ନାଗରିକଙ୍କ ପାଇଁ ଥାନାରେ ସମସ୍ତ ବ୍ୟବସ୍ଥା ରହିବ। ଆସନ୍ତା ମାସରେ ଏହି ଥାନା ଉଦ୍‌ଘାଟନ ହେବ ବୋଲି ପୁଲିସ କମିସନର ଶ୍ରୀ ଖୁରାନିଆ କହିଛନ୍ତି।

ସମ୍ବନ୍ଧିତ ଖବର