ରୋମାଞ୍ଚ ଭରିଲା ‘ସୂର୍ଯ୍ୟକିରଣ’

ବୀରତ୍ବ ଦେଖାଇଲେ ବାୟୁବୀର

ଭୁବନେଶ୍ବର: ଶବ୍ଦ ‌ଯେତିକି କର୍କଶ ଥିଲା, ଗତି ସେମିତି କ୍ଷୀପ୍ର ଥିଲା। ଆଖିପିଛୁଳାକେ ଲୁଚି ଯାଉଥିଲେ ଓ ପୁଣି ଦୃଶ୍ୟମାନ ହେଉଥିଲେ ଆକାଶରେ। ଲାଗୁଥିଲା ସତେ ଯେମିତି ବିମାନଗୁଡ଼ିକ ମନଠୁ ବି ଅଧିକ ବେଗରେ ଗତି କରୁଥିଲେ। କେତେବେଳେ ସିଧାସଳଖ ଉପରକୁ ଉଠୁଥିଲେ ତ କେତେବେଳେ ସିଧା ତଳକୁ ମୁହଁ କରି ଖସି ଆସୁଥିଲେ। ଲାଗୁଥିଲା ମାଟିରେ ଖସି ପଡ଼ିବେ କି! ଆଖି ବୁଜି ହୋଇଯାଉଥିଲା, ମାତ୍ର ହଠାତ୍ ପୁଣି ଚିତ୍‌ପଟାଙ୍ଗ ହୋଇ ଉପରକୁ ଉଠି ଆକାଶରେ ଛପି ଯାଉଥିଲେ। ବେଳେବେଳେ ଦୁଇ ବିମାନ ମଝିରେ ପଶି ଆଉ ଏକ ବିମାନ ନିମିଷେକ ମଧ୍ୟରେ ଚାଲିଯାଉଥିଲା।

ଥରି ଯାଉଥିଲା ଛାତି। ବାଜି ଯିବ କି! ପୁଣି କେତେବେଳେ ଗତି କମିଯାଉଥିଲା। ଚଢ଼େଇ ଭଳି ଖେଳୁ୍ଥିଲେ ଆକାଶ ବୁକୁରେ। କିଏ ଓଲଟା ଉଡ଼ୁଥିଲା ତ କିଏ ତେରେଛା‌ ଉଡ଼ୁଥିଲା। କ୍ଷୀପ୍ର ବେଗ ବେଳେ ଛାତିରେ ଛନକା ପଶି ଯାଉଥିଲା। ଶିହରଣ ଖେଳିଯାଉଥିଲା ହୃଦୟରେ। ପୁଣି ଧୀର ବେଗ ବେଳେ ମନ ପୂରିଉଠୁଥିଲା। ପ୍ରାୟ ୨୦ ମିନିଟ୍‌ କାଳ ଭୁବନେଶ୍ବର ବାଲିଯାତ୍ରା ପଡ଼ିଆ ଆକାଶରେ ଏମିତି ଜଲୱା ଦେଖାଇଥିଲେ ବାୟୁବୀରମାନେ। ଆଜି ଭାରତୀୟ ବାୟୁସେନା ପକ୍ଷରୁ ରାଜଧାନୀବାସୀଙ୍କ ପାଇଁ ଆୟୋଜିତ ହୋଇଥିବା ଏୟାର୍‌ ସୋ’ ‘ସୂର୍ଯ୍ୟକିରଣ’ ଅବସରରେ ଭାରତୀୟ ବାୟୁସେନା ସେମାନଙ୍କ ସୌର୍ଯ୍ୟ ତଥା ବୀରତ୍ବର ଗାଥା ପ୍ରଦର୍ଶନ କରିଥିଲେ।

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଅନୁଷ୍ଠିତ ଏହି ଏୟାର୍‌ ସୋ’ କାର୍ଯ୍ୟକ୍ରମରେ ବାୟୁସେନାର ୯ଟି ହକ୍‌ ବିମାନ ସାମିଲ୍‌ ହୋଇଥିଲା। ଏହି ଲଢ଼ୁଆ ବିମାନଗୁଡ଼ିକ ରାଜଧାନୀର ନୀଳ ଆକାଶରେ ଛାଇ ଯାଇଥିଲେ। ୫ ଶହରୁ ୧ହଜାର ଫୁଟ୍‌ ଉଚ୍ଚରୁ ଘଣ୍ଟା ପ୍ରତି ୧୫ଶହ କିଲୋମିଟର ବେଗରେ ଏଭଳି କଳାକୌଶଳ ପ୍ରଦର୍ଶନ କରିଥିଲେ ବାୟୁବୀରମାନେ। ପାଖାପାଖି ୧୮ରୁ ୨୦ ମିନିଟ୍‌ ଧରି ଏହି ସୋ’ ଚାଳିଥିଲା ଓ ବିମାନ ଉଡ଼ାଣରୁ ନିର୍ଗତ ରଙ୍ଗିନ୍‌ ଧୂଆଁ କିଛି କ୍ଷଣ ପାଇଁ ଆକାଶରେ ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରିଥିଲା। ବାୟୁସେନାର ଏଭଳି କଳା ଓ ଦକ୍ଷତା ପ୍ରଦର୍ଶନ ଆଜି ରାଜଧାନୀବାସୀଙ୍କୁ ବେଶ୍‌ ରୋମାଞ୍ଚିତ କରିଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ସମେତ ବାୟୁସେନାର ବଡ଼ ପଦାଧିକାରୀମାନେ ଗ୍ୟାଲେରିରୁ ଏହାକୁ ଉପଭୋଗ କରିଥିଲେ।

ତେବେ କାର୍ଯ୍ୟକ୍ରମରେ ଭର୍ଚୁଆଲ୍‌ ମାଧ୍ୟମରେ ଯୋଡ଼ି ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସୋ’ର ଦୁଇଟି ପର୍ଯ୍ୟାୟ ମଧ୍ୟରୁ ପ୍ରଥମଟି ଥିଲା କୋମ୍ପୋଜାଇଟ୍‌ ଓ ଦ୍ବିତୀୟଟିକୁ ସିଙ୍କୋ ବୋଲି କୁହାଯାଉଥିଲା। ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଜିଏସ୍‌ ଢାଲୋ, ୱିଙ୍ଗ୍‌ କମାଣ୍ଡର ଅତୁଲ୍‌, ସ୍କ୍ବାର୍ଡନ୍‌ ଲିଡର୍‌ ଭିଲ୍ଲା ଆଦି ଏହି ଉଡ଼ାଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଏହି ସୋ’ ଦେଖିବାକୁ ସକାଳ ସାଢ଼େ ୭ଟାରୁ ରାଜଧାନୀ ଉପକଣ୍ଠ ବରିମୁଣ୍ଡ ବାଲିଯାତ୍ରା ପଡ଼ିଆକୁ ଲୋକଙ୍କ ସୁଅ ଛୁଟିବା ଆରମ୍ଭ ହୋଇଥିଲା। ମାତ୍ର କେଇ ଘଣ୍ଟା ମଧ୍ୟରେ ବାଲିଯାତ୍ରା ପଡ଼ିଆରେ ଜନସମୁଦ୍ର ହୋଇଯାଇଥିଲା। ନଦୀ ପଠାରୁ ଆରମ୍ଭ କରି ଯାତ୍ରା ପଡ଼ିଆ ଚତୁଃପାର୍ଶ୍ବରେ ଲୋକମାନେ ଚାତକ ଭଳି ଚାହିଁ ରହିଥିଲେ ବାୟୁବୀରଙ୍କ ଦମ୍‌ଦାର ପ୍ରଦର୍ଶନ ଦେଖିବାକୁ। ନିକଟସ୍ଥ କୋଠା ଘରର ଛାତ ଉପରେ ହଜାର ହଜାର ଲୋକେ ଠିଆ ହୋଇଥିଲେ। ଯୁଆଡ଼େ ଚାହିଁଲେ କେବଳ ମୁଣ୍ଡମାଳ ଦେଖାଯାଉଥିଲା। ସବୁରି ମୁହଁରେ ଥିଲା ଉତ୍କଣ୍ଠାର ଚିହ୍ନ।

‘ଭାରତମାତା କି ଜୟ’ ଧ୍ବନିରେ କମ୍ପିଲା ଗଗନପବନ

ସକାଳ ୧୦ଟା ୧୮ରେ ଉଡ଼ାଣ ଆରମ୍ଭ ହେବାର ଥିଲା। ୯ଟା ସୁଦ୍ଧା ଦର୍ଶକ ଗ୍ୟାଲେରି ପୂର୍ଣ୍ଣ ହୋଇସାରିଥିଲା। ସମସ୍ତେ ଉତ୍କଣ୍ଠାର ସହ ଅପଲକ ନୟନରେ ଚାହିଁଥିଲେ ଆକାଶକୁ। ୧୦ ଟା୨୨ ମିନିଟ୍‌ରେ ମାଇକ୍‌ରୁ ଶୁଭିଲା ୱାନ, ଟୁ, ଥ୍ରି ଷ୍ଟାର୍ଟ। କ୍ଷଣକ ମଧ୍ୟରେ ଦର୍ଶକମାନଙ୍କ ମୁଣ୍ଡ ଉପରେ ଉଡ଼ିଲେ ସୂର୍ଯ୍ୟକିରଣ ଟିମ୍। ଆକାଶରେ ବିମାନ ଦେଖାଯିବା ମାତ୍ରେ ଲୋକଙ୍କ ଭିତରୁ ଶୁଭିଲା ‘ଭାରତମାତା କି ଜୟ’ ଓ ‘ବନ୍ଦେ ମାତରମ୍’। ଏହି ସ୍ଲୋଗାନ୍‌ରେ ଗଗନପବନ କମ୍ପମାନ ହେଲା। କରତାଳିରେ ଫାଟି ପଡ଼ିଲା ପରିବେଶ।

ତ୍ରିରଙ୍ଗାମୟ ଗ୍ୟାଲେରି

ଦର୍ଶକ ଗ୍ୟାଲେରିରେ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସେମାନଙ୍କ ହାତରେ ଥିଲା ଜାତୀୟ ପତାକା। ତ୍ରିରଙ୍ଗାକୁ ଲହରାଇ ସେମାନେ ବାୟୁସେନାର ଜୟଜୟ ଗାନ କରିଚାଲିଥିଲେ। ତ୍ରିରଙ୍ଗା ଲହରରେ ସମଗ୍ର ପରିବେଶରେ ଏକ ଦେଶାତ୍ମବୋଧର ଉନ୍ମାଦନା ଦେଖିବାକୁ ମିଳିଥିଲା। ଧଳା ଧୋତି ପିନ୍ଧିଥିବା ଦୁଇ ଜଣ ଯୁବକ ଛାତିରେ ତ୍ରିରଙ୍ଗା ଚତ୍ର ଆଙ୍କିବା ସହ ହାତରେ ଜାତୀୟ ପତାକା ଧରି ଉଡ଼ାଇଥିଲେ। ଏମାନଙ୍କ ସହ ଅନେକ ପିଲା ସେଲ୍‌ଫି ଉଠାଇଥିଲେ।

ମାନିଲେନି ପୁଲିସ କଟକଣା, ଭିଡ଼ରେ ଫସିଲେ ବାୟୁସେନା ଅଧିକାରୀ

ଏହି ସୋ’ ଦେଖିବାକୁ ସହର ଭିତରୁ ହଜାର ହଜାର ସଂଖ୍ୟାରେ ଲୋକେ ବାଲିଯାତ୍ରା ପଡ଼ିଆକୁ ଛୁଟିଥିଲେ। ଟ୍ରାଫିକ୍‌ ଭିଡ଼ ହେବାରୁ ଯିଏ ଯେଉଁଠି ପାରିଲା ଗାଡ଼ି ରଖି ଚାଲିଲା। ବହୁ ଲୋକ ବାଲିଯାତ୍ରା ପଡ଼ିଆକୁ ଚାଲିଚାଲି ଯାଇଥିଲେ। ଫଳରେ ପୁଲିସକୁ ଏହି ଅସମ୍ଭାଳ ଭିଡ଼ ଅକଳରେ ପକାଇଥିଲା। କାର୍‌ ଓ ବାଇକ୍‌ ପାର୍କିଂସ୍ଥଳ ଭର୍ତ୍ତି ହୋଇଯିବାରୁ ଲୋକମାନେ ରାସ୍ତା କଡ଼ ଓ ନଦୀ ପଠାରେ ଗାଡ଼ି ରଖି ଦେଇଥିଲେ। ଲୋକେ ପୁଲିସକୁ ମାନିଲେ ନାହିଁ। ଫଳରେ ରାସ୍ତାରେ ଅଧିକ ଜାମ୍‌ ହେଲା ଓ ଭିଡ଼ ନିୟନ୍ତ୍ରଣ କରିବାକୁ ପୁଲିସକୁ ‌ନାକେଦମ୍‌ ହେବାକୁ ପଡ଼ିଲା। ବାଲିଯାତ୍ରା ପଡ଼ିଆଠାରୁ ହାଇଟେକ୍‌ ଛକ ପର୍ଯ୍ୟନ୍ତ ଏବଂ ରୋକଟ ଛକରୁ ପଟିଆ ପର୍ଯ୍ୟନ୍ତ ସବୁଠି ନାହିଁ ନଥିବା ଭିଡ଼। ସେହିଭଳି ଅବସ୍ଥା ହେଲା ସୋ’ ଶେଷ ହେବା ପରେ। ଘର ମୁହାଁଲୋକେ କିଛି ମାନିଲେ ନାହିଁ। ଫଳରେ ବହୁ ସମୟ ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ିଗୁଡ଼ିକ ଫସି ରହିଥିଲା। ଏମିତି ହେଲା ଯେ ବାୟୁସେନାର ପଦାଧିକାରୀଙ୍କ ଗାଡି ମଧ୍ୟ ରାସ୍ତା ଅତିକ୍ରମ କରିପାରିନଥିଲା। ପ୍ରାୟ ୪୫ମିନିଟ୍‌ ଧରି ବାୟୁସେନା ଅଧିକାରୀଙ୍କ ଗାଡ଼ି ଭିଡ଼ରେ ଫସି ରହିଲା। ଡିସିପି ପ୍ରତୀକ୍ ସିଂ ଓ ଏସିପି ସଂଜୀବ ଶତପଥୀ ବହୁ କଷ୍ଟରେ ସେମାନଙ୍କୁ ଭିଡ଼ରୁ ବାଟ କଢ଼ାଇ ନେଇଥିଲେ।

ଜାମ୍‌ରୁ ବର୍ତ୍ତିଲାନି ଜାତୀୟ ରାଜପଥ

ଏୟାର୍‌ ସୋ’ ଦର୍ଶକମାନଙ୍କ ଗାଡ଼ିଗୁଡ଼ିକ କୁଆଖାଇ ପଠାରୁ ଆସିବା ବେଳେ ହାଇଟେକ୍‌ ଛକଠାରେ ପ୍ରବଳ ଭିଡ଼ ହୋଇଥିଲା। ଫଳରେ ଜାତୀୟ ରାଜପଥରେ ଯାଉଥିବା ଗାଡ଼ିଗୁଡ଼ିକୁ ପ୍ରାୟ ଘଣ୍ଟାଏ କାଳ ଛିଡ଼ା ହେବାକୁ ପଡ଼ିଥିଲା। ପଳାସୁଣି ଛକ ପର୍ଯ୍ୟନ୍ତ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର